କୃଷି କ୍ଷେତ୍ରରେ ଜଳ ଉତ୍ପାଦକତା ବୃଦ୍ଧି ପାଇଁ ଆହ୍ୱାନ

0 60

ଭୁବନେଶ୍ୱର, : ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ, ଭୁବନେଶ୍ୱର ୩୮ତମ ସ୍ଥାପନା ଦିବସ ପାଳନ କରିଛି । ଓଡିଶା ସରକାରଙ୍କ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ମୁଖ୍ୟଅତିଥି ଭାବେ ଯୋଗଦେଇ ବୃକ୍ଷରେ ଜଳ ଦାନ କରି ସଭାର ଉଦଘାଟନ କରିଥିଲେ । ସେ କହିଲେ ଯେ ଆମ ଦେଶରେ ଜଳ ସମସ୍ୟା ଦିନକୁ ଦିନ ଉତ୍କଟ ରୂପ ଧାରଣ କରିବାରେ ଲାଗିଛି । ବର୍ତ୍ତମାନ ଆମର ଜଳ ଉପଯୋଗ ଦକ୍ଷତା ମାତ୍ର ଶତକଡା ୩୫ରୁ ୪୦ ଭାଗ ଅଟେ । ଏହାକୁ ଶତକଡା ୬୦%କୁ ବୃଦ୍ଧି କରିବା ପାଇଁ ବୈଜ୍ଞାନିକମାନେ ନୂତନ ଜ୍ଞାନ କୌଶଳ ବିକଶିତ କରିବା ଆବଶ୍ୟକ । ଚାଷୀମାନଙ୍କୁ ଆଗକୁ ଆସି ନୂତନ ଜ୍ଞାନ କୌଶଳ ପ୍ରୟୋଗ ଦ୍ୱାରା କୃଷି କ୍ଷେତ୍ରରେ ଜଳ ଉତ୍ପାଦକତା ବୃଦ୍ଧି ପାଇଁ ସେ ଆହ୍ୱାନ ଦେଇଥିଲେ । ସମ୍ମାନିତ ଅତିଥି ଆଇସିଏଆରର ପ୍ରାକୃତିକ ସମ୍ପଦ ପ୍ରବନ୍ଧନ ବିଭାଗର ଉପ ମହାନିର୍ଦ୍ଦେଶକ ଡକ୍ଟର ଅମରେଶ କୁମାର ନାୟକ ତାଙ୍କ ବକ୍ତବ୍ୟରେ କହିଲେ ଯେ ସବୁ ପ୍ରାକୃତିକ ସମ୍ପଦ ମଧ୍ୟରେ ଜଳ ସମ୍ପଦ ହେଉଛି ପ୍ରମୂଖ ସମ୍ପଦ । ତାର ସଂରକ୍ଷଣ, ସଦୁପଯୋଗ ଓ ଅପଚୟ ହ୍ରାସ ଆମ ସମସ୍ତଙ୍କର ପରମ ଓ ପ୍ରଧାନ କର୍ତ୍ତବ୍ୟ ହେବା ଆବଶ୍ୟକ । ଅନ୍ୟତମ ସମ୍ମାନିତ ଅତିଥି ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ତେଜ ପ୍ରତାପ ପ୍ରତିଷ୍ଠା ଦିବସ ବ୍ୟାଖ୍ୟାନରେ ଜଳ ସମ୍ପଦର ସମ୍ମନ୍ୱିତ ଉପଯୋଗ ଉପରେ ଜୋର ଦେଇଥିଲେ । ସେ କହିଲେ ଯେ ଭବିଷ୍ୟତରେ ଜଳ ସୁରକ୍ଷା ପାଇଁ ଏବେଠୁ ଆମ ସମସ୍ତଙ୍କୁ ଧ୍ୟାନ ଦେବାକୁ ହେବ । ଏହି ଅବସରରେ ଓଡିଶାର ବିଭିନ୍ନ ଜିଲ୍ଲାରେ କୃଷିରେ ପାରଦର୍ଶୀତା ଲାଭ କରିଥିବା ୧୧ ଜଣ ପ୍ରଗତିଶୀଳ ପୁରୁଷ ଓ ମହିଳା ଚାଷୀଙ୍କୁ ସମ୍ମାନିତ କରାଯାଇଥିଲା । ଅନୁଷ୍ଠାନରେ କାର୍ଯ୍ୟରତ କର୍ମଚାରୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ
ବର୍ଗରେ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା । ଅତିଥିମାନେ ପ୍ରତିଷ୍ଠାନରୁ ପ୍ରକାଶିତ ବିଭିନ୍ନ ଗବେଷଣା ବୁଲେଟିନ ଗୁଡିକୁ ଉନ୍ମୋଚନ କରିଥିଲେ । ପୂର୍ବାହ୍ନରେ କୃଷକ ଓ ବୈଜ୍ଞାନିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ଅଗ୍ରଣୀ ଚାଷୀଭାଇ ଓ ଭଉଣୀମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.