ଗ୍ୟାଙ୍ଗମ୍ୟାନ୍ ରୁ ଆଇପିଏସ

0 43

ବରଗଡ, : ରେଳ ଧାରଣାରେ କାମ କରୁଥିଲେ । ମୁଣ୍ଡ ଉପରେ ଥିଲା ପରିବାରର ବୋଝ । ତା\’ ସତ୍ତ୍ୱେ ସ୍ୱପ୍ନ ଦେଖିବା ଛାଡ଼ିନଥିଲେ । ଗୋଟିଏ ପରେ ଗୋଟିଏ ଚାକିରି କରି ନିଜ ଲକ୍ଷ୍ୟ ପଛରେ ଧାଇଁଥିଲେ । ଶେଷରେ ୨୦୧୬ରେ ୟୁପିଏସସି ପରୀକ୍ଷାରେ ସଫଳତା ହାସଲ କରି ୨୦୧୭ ବ୍ୟାଚ୍ ଆଇପିଏସ୍‌ ହୋଇଥିଲେ ବରଗଡ଼ ଏସ୍‌ପି ପ୍ରହଲ୍ଲାଦ ସାହାଇ ମୀନା । ତାଙ୍କ ବ୍ୟକ୍ତିଗତ ଜୀବନ କୌଣସି ଚଳଚ୍ଚିତ୍ରର କାହାଣୀଠୁ କମ୍ ନୁହେଁ । ରାଜସ୍ଥାନର ଦୋଷା ଜିଲ୍ଲା ଅନ୍ତର୍ଗତ ଆଭାନେରି ନାମକ ଛୋଟିଆ ଗାଁରେ ୭ ଫେବ୍ରୁଆରି ୧୯୮୮ ମସିହାରେ ଜନ୍ମଗ୍ରହଣ କରିଥିଲେ ଶ୍ରୀ ମୀନା । ଗାଁ ସ୍କୁଲରେ ପାଠପଢ଼ି ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ । ଇଞ୍ଜିନିୟର ହେବାର ଲକ୍ଷ୍ୟ ଥିଲା । କିନ୍ତୁ ଗରିବ ତଥା ଚାଷୀ ପରିବାରର ହୋଇଥିବାରୁ ଆର୍ଥିକ ସ୍ଥିତି ସେତେଟା ଭଲ ନଥିଲା । ପରେ ସ୍ନାତକ ପାଇଁ ରାଜଧାନୀ ଜୟପୁରକୁ ଯାଇଥିଲେ । ପାଠପଢ଼ା ସହ ଚାକିରି ଅନ୍ୱେଷଣ କରିଥିଲେ । ଏହା ପରେ ପୂର୍ବତଟ ରେଳବାଇ (ଭୁବନେଶ୍ୱର)ରେ ଗ୍ୟାଙ୍ଗମ୍ୟାନ୍‌ ଚାକିରି ପାଇ ରେଳ ଧାରଣାରେ କାମ କରିଥିଲେ । ଉକ୍ତ କାମ କରିବା ସହ ବ୍ୟାଙ୍କ ଚାକିରି ପାଇଁ ପ୍ରସ୍ତୁତି କରି ପ୍ରଥମେ ବ୍ୟାଙ୍କ କ୍ଲର୍କ ହୋଇଥିଲେ । ଏହାପରେ ବ୍ୟାଙ୍କ ପ୍ରୋବେସନାରି ପରୀକ୍ଷାରେ ସଫଳତା ପାଇ ବେଙ୍ଗାଲୁରୁରେ ବ୍ୟାଙ୍କ ପିଓ ଭାବେ ଯୋଗ ଦେଇଥିଲେ । ପରବର୍ତ୍ତୀ ସମୟରେ ଏସ୍‌ଏସସି ପରୀକ୍ଷାରେ ସଫଳତା ପାଇ ରକ୍ଷା ମନ୍ତ୍ରଣାଳୟ ପୁଣେରେ ଯୋଗ ଦେଇଥିଲେ । ସେଠାରୁ ୟୁପିଏସସି କଥା ଜାଣିବା ପରେ ପୁଣି ଏସ୍‌ଏସସି ପରୀକ୍ଷା ଦେଇ ଦିଲ୍ଲୀ ରେଳ ଭବନରେ ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର ଭାବେ ନିଯୁକ୍ତି ପାଇଥିଲେ । ସେଠାରୁ ଆରମ୍ଭ ହୋଇଥିଲା ତାଙ୍କର ୟୁପିଏସସି ପରୀକ୍ଷା ପ୍ରସ୍ତୁତି । ୨୦୧୩, ୨୦୧୪ ଓ ୨୦୧୫ରେ ତିନିଥର ବିଫଳତା ପରେ ବି ହାର ମାନି ନଥିଲେ ସେ । କାରଣ ପୂର୍ବରୁ ଯାହା ପରୀକ୍ଷା ଦେଉଥିଲେ ସବୁଥିରେ ସଫଳତା ମିଳିଥିଲା । ଧର୍ଯ୍ୟ ରଖି ପୁଣି ପ୍ରସ୍ତୁତି କରି ୨୦୧୬ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ଶ୍ରୀ ମୀନାଙ୍କ କହିବାନୁସାରେ, ସେ ଡ.ଏପିଜେ ଅବଦୁଲ କଲାମଙ୍କ ଅନେକ ପୁସ୍ତକ ପଢୁଥିଲେ । ଯାହା ତାଙ୍କୁ ପ୍ରସ୍ତୁତି ସମୟରେ ବେଶ୍ ପ୍ରେରଣା ଦେଇଥିଲା । ଲକ୍ଷ୍ୟ ପଛରେ ଗଲେ ଜୀବନରେ ସଫଳତା ନିଶ୍ଚିତ ମିଳିଥାଏ ବୋଲି କହିଛନ୍ତି ଶ୍ରୀ ମୀନା ।

Leave A Reply

Your email address will not be published.