ଟ୍ରେନ ଅପହରଣ କଲେ ଆତଙ୍କବାଦୀ

0 86

ଇସଲାମାବାଦ, : ପାକିସ୍ତାନରେ ହୋଇଛି ବଡ଼ଧରଣର ଆତଙ୍କବାଦୀ ହମଲା । ବେଲୁଚିସ୍ତାନ ଲିବେରେସନ ଆର୍ମି ପକ୍ଷରୁ ଜାଫର
ଏକ୍ସପ୍ରେସକୁ ଅପହରଣ କରାଯାଇଛି । ଆତଙ୍କବାଦୀମାନେ ବନ୍ଧୁକମୁନରେ ଟ୍ରେନକୁ ଅପହରଣ କରି ଶତାଧିକ ଯାତ୍ରୀଙ୍କୁ ପଣବନ୍ଦୀ କରି ରଖିଛନ୍ତି । ଏମାନଙ୍କ ମଧ୍ୟରେ ୧୦୦ରୁ ଅଧିକ ପାକିସ୍ତାନ ସେନା ଅଧିକାରୀ ଓ କର୍ମଚାରୀ ରହିଛନ୍ତି । ସେହିପରି ଅପହରଣ ପରେ ସେମାନେ ୬ ଜଣ ସେନା କର୍ମଚାରୀଙ୍କୁ ହତ୍ୟା କରିସାରିଲେଣି । ପାକିସ୍ତାନ ସରକାରଙ୍କୁ ବିଏଲଏ ପକ୍ଷରୁ ନରସଂହାରର ଧମକ ଦିଆଯିବା ସହ ସ୍ୱତନ୍ତ୍ର ବେଲୁଚିସ୍ତାନ ଗଠନ ପ୍ରକ୍ରିୟା ଉପରେ ମୋହର ମାରିବାକୁ ଦାବିକରିଛନ୍ତି । ସ୍ଥିତି ଅତ୍ୟନ୍ତ ଭୟଙ୍କର ଥିବା ବେଳେ ବେଲୁଚିସ୍ତାନ ସରକାର ଏମର୍ଜେନ୍ସି ଜାରି କରିଛନ୍ତି । ଅପହରଣ ଯୋଗୁ ଟ୍ରେନଟି ରେଳ ଧାରଣା ଉପରେ ରହିଛି । ସେଠାରେ ସୁରକ୍ଷାକର୍ମୀମାନେ ପହଞ୍ଚିଥିବା ବେଳେ ଗୁଳି ବିନିମୟ ଆରମ୍ଭ ହୋଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ ବିଏଲଏର ଆତଙ୍କବାଦୀମାନେ ଜାଫର ଏକ୍ସପ୍ରେସକୁ ଅପହରଣ କରି ଯାତ୍ରୀମାନଙ୍କୁ ପଣବନ୍ଦୀ କରି ରଖିଛନ୍ତି । ଟ୍ରେନଟି ପାକିସ୍ତାନର ଦକ୍ଷିଣପଶ୍ଚିମ ବେଲୁଚିସ୍ତାନ ପ୍ରଦେଶର କ୍ୱେଟ୍ଟାରୁ ଖାୟବର ପାଖତୁନଖ୍ୱାର ପେଶାୱରକୁ ଯାଉଥିଲା । ଏହାର ୯ଟି ବଗିରେ ମୋଟ ୪୦୦ ଜଣ ଯାତ୍ରୀ ଥିଲେ । ମୋଟ ୩୦ ଘଣ୍ଟାର ଯାତ୍ରା ସକାଳ ୯ଟାରୁ
ଆରମ୍ଭ ହୋଇଥିଲା । କିନ୍ତୁ ଦିନ ପ୍ରାୟ ୨ଟା ବେଳେ ବିଏଲଏର ସଦସ୍ୟମାନେ ବେଲାନ ଜିଲ୍ଲା ମୁଶକାଫ ଦେଇ ଯାଇଥିବା ରେଳ ଧାରଣାକୁ ବିସ୍ଫୋରଣ କରି ଉଡ଼ାଇ ଦେଇଥିଲେ । ଫଳରେ ଟ୍ରେନଟି ବାଧ୍ୟ ହୋଇ ସେଠାରେ ଅଟକିଥିଲା । ଏହାପରେ ବନ୍ଧୁକଧାରୀ ଆତଙ୍କବାଦୀମାନେ ଟ୍ରେନରେ ଚଢି ଯାତ୍ରୀମାନଙ୍କୁ ପଣବନ୍ଦୀ କରିଛନ୍ତି । ଏନେଇ ବିଏଲଏ ପକ୍ଷରୁ ଗୋଟିଏ ବିବୃତି ମଧ୍ୟ ଜାରି କରାଯାଇଛି । ଯେଉଁଥିରେ ସେମାନେ କହିଛନ୍ତି ଯେ ପଣବନ୍ଦୀ ହୋଇ ରହିଥିବା ଲୋକଙ୍କ ମଧ୍ୟରେ ପାକିସ୍ତାନ ସେନା ଓ ଅନ୍ୟ ସୁରକ୍ଷା ଏଜେନ୍ସିର ସଦସ୍ୟ ରହିଛନ୍ତି । ପାକିସ୍ତାନ ସେନା ବ୍ୟତୀତ, ପୋଲିସ୍‌, ଆତଙ୍କବାଦ ନିରୋଧ ସ୍କ୍ୱାଡ (ଏଟିଏଏଫ), ଆଇଏସଆଇ ସଦସ୍ୟଙ୍କୁ ସେମାନେ ପଣବନ୍ଦୀ କରିଛନ୍ତି । ଏମାନେ ସମସ୍ତେ ଛୁଟି କାଟିବାକୁ ପଞ୍ଜାବ ଯାଉଥିବା ସେମାନଙ୍କୁ ପଣବନ୍ଦୀ କରାଯାଇଛି । ଆତଙ୍କବାଦୀମାନେ ଦାବି କରିଛନ୍ତି ଯେ ସେମାନେ ଟ୍ରେନରେ ଥିବା ମହିଳା, ଛୋଟ ପିଲା ଓ ବେଲୁଚି ଯାତ୍ରୀଙ୍କୁ ମୁକ୍ତ କରି ଦେଇଛନ୍ତି । ଟ୍ରେନରେ କେବଳ ପାକିସ୍ତାନର ବିଭିନ୍ନ ସୁରକ୍ଷା ଏଜେନ୍ସି ପାଇଁ କାମ କରୁଥିବା ସଦସ୍ୟ ରହିଛନ୍ତି । ଯଦି . ସରକାରଙ୍କ ପକ୍ଷରୁ କୌଣସି ଅପରେସନ ଆରମ୍ଭ କରାଯିବ, ତା\’ହେଲେ ଏହାର ଦୃଢ ଜବାବ ଦିଆଯିବ । ଏଯାଏ ୬ ଜଣ ସେନା କର୍ମଚାରୀଙ୍କୁ ହତ୍ୟା କରାଯାଇଛି ଓ ଶତାଧିକ ଲୋକ ପଣବନ୍ଦୀ ହୋଇ ରହିଛନ୍ତି ବୋଲି ବିଏଲଏ କହିଛି । ଆତଙ୍କବାଦୀମାନେ ସାଧାରଣ ଲୋକଙ୍କୁ ଛାଡ଼ି ଦେଇଥିବା କହୁଥିଲେ ହେଁ ଏବେ ବି ଜାଫର ଏକ୍ସପ୍ରେସରେ ୪୦୦ରୁ ଅଧିକ ଲୋକ ପଣବନ୍ଦୀ ହୋଇ ରହିଥିବା ଜଣାପଡ଼ିଛି । ତେବେ ବେଲୁଚି ସରକାର କିମ୍ବା ରେଳବାଇ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ । ଅପହରଣ ଓ ପଣବନ୍ଦୀ ଖବର ମିଳିବା ପରେ ସୁରକ୍ଷାକର୍ମୀମାନେ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ସେମାନେ ଆତଙ୍କବାଦୀମାନଙ୍କ ସହ କଥା ହେବା ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.