ନୂଆଦିଲ୍ଲୀ, : ଆକ୍ସନ ମୋଡରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଭାରତ ସରକାର ପାକିସ୍ତାନୀ ନାଗରିକମାନଙ୍କ ପାଇଁ ସମସ୍ତ ଭିସା ରଦ୍ଦ କରିବା ନେଇ ନିଷ୍ପତ୍ତି ନେବାର ଗୋଟିଏ ଦିନ ପରେ କଡା କାର୍ଯ୍ୟାନୁଷ୍ଟାନ ଗ୍ରହଣ କଲେ ଅମିତ ଶାହା । ସେ ଶୁକ୍ରବାର ବିଭିନ୍ନ ବରିଷ୍ଠ ଅଧିକାରୀଙ୍କ ସମେତ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ନେଇ ଏକ ବୈଠକ କରିଥିଲେ । ଏହି ବୈଠକ ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇ ସେ କହିଛନ୍ତି ଯେ ସେମାନେ ନିଜ ନିଜ ରାଜ୍ୟରେ ରହୁଥିବା ପାକିସ୍ତାନୀ ନାଗରିକମାନଙ୍କୁ ଚିହ୍ନଟ କରି ତୁରନ୍ତ ଦେଶରୁ ବାହାର କରନ୍ତୁ । ମଙ୍ଗଳବାର ପହଲଗାମରେ ହୋଇଥିବା ଏକ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିଲେ । ଏହି ଘଟଣା ପରେ ଭାରତ ପାକିସ୍ତାନ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଭାରତ ସରକାର ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରଖିବା ସହ ଅଟାରୀ-ବାଘା ବର୍ଡର ବନ୍ଦ କରିବା, ପାକିସ୍ତାନୀ ଦୂତାବାସର କର୍ମଚାରୀ ସଂଖ୍ୟା ହ୍ରାସ କରିବା ଏବଂ ପାକିସ୍ତାନୀ ସାର୍କ ଭିସା ରଦ୍ଦ କରିବା ଭଳି ନିଷ୍ପତ୍ତି ନେଇଛନ୍ତି । ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିବୃତ୍ତି ଜାରି କରି କୁହାଯାଇଛି ଯେ ଭାରତରେ ଥିବା ପାକିସ୍ତାନୀ ନାଗରିକମାନଙ୍କୁ ଏପ୍ରିଲ ୨୭ ତାରିଖ ସୁଦ୍ଧା ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । କେବଳ ମେଡିକାଲ ଭିସାରେ ଆସିଥିବା ନାଗରିକମାନଙ୍କ ଭିସା ଏପ୍ରିଲ ୨୯ ତାରିଖ ଯାଏ ବୈଧ ରହିବ । ଏହାଛଡା ପାକିସ୍ତାନୀ ହିନ୍ଦୁ ନାଗରିକମାନଙ୍କ ଦୀର୍ଘମିଆଦୀ ଭିସା ମଧ୍ୟ ବୈଧ ରହିବ । ଅମିତ ଶାହା ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ ସେମାନେ ନିଜ ଅଞ୍ଚଳରେ ରହୁଥିବା ପାକିସ୍ତାନୀ ନାଗରିକମାନଙ୍କୁ ଚିହ୍ନଟ କରି ଏପ୍ରିଲ ୨୭ରୁ ୨୯ ତାରିଖ ମଧ୍ୟରେ ସେମାନଙ୍କୁ ଦେଶରୁ ତୁରନ୍ତ ବାହାର କରନ୍ତୁ । ଏହି ନିଷ୍ପତ୍ତି ପହଲଗାମ ଆକ୍ରମଣ ପରେ ଭାରତର ଜାତୀୟ ସୁରକ୍ଷାକୁ ମଜବୁତ କରିବା ଏବଂ ଆତଙ୍କବାଦ ବିରୁଦ୍ଧରେ କଡ଼ା ନୀତି ଅବଲମ୍ବନ କରିବାର ଏକ ଅଂଶ ବୋଲି କୁହାଯାଉଛି । ଏହି ଘଟଣା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ କୂଟନୈତିକ ସମ୍ପର୍କରେ ତିକ୍ତତା ବୃଦ୍ଧି ପାଇଛି । ପାକିସ୍ତାନ ମଧ୍ୟ ଭାରତୀୟ ବିମାନ ପରିଚାଳନା ପାଇଁ ନିଜର ଆକାଶମାର୍ଗ ବନ୍ଦ କରିଛି । ଯେଉଁଥିପାଇଁ ବିଭିନ୍ନ ଆନ୍ତର୍ଜାତୀୟ ଯାତ୍ରାରେ ଅସୁବିଧା ସୃଷ୍ଟି ହୋଇଛି । ସେହିପରି ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଜାମ୍ମୁ କାଶ୍ମୀରର ବିଭିନ୍ନ ଅଞ୍ଚଳରେ ସୁରକ୍ଷା ବାହିନୀ ସର୍ଚ୍ଚ ଅପରେସନ ଜାରି ରଖିଛି । କଠୁଆ ଜିଲ୍ଲାର ହିରାନଗର ସେକ୍ଟରରେ ସୁରକ୍ଷା ବାହିନୀ ନିୟୋଜନ ବୃଦ୍ଧି କରାଯାଇଛି ଏବଂ ସର୍ଚ୍ଚ ଅପରେସନ ଚାଲିଛି । କଠୁଆର ଚନ୍ନୀ ଅଞ୍ଚଳରେ ଜଣେ ମହିଳା ଚାରିଜଣ ସନ୍ଦିଗ୍ଧଙ୍କୁ ଦେଖି ପୋଲିସକୁ ସୂଚନା ଦେଇଥିଲେ, ଯାହା ପରେ ସୁରକ୍ଷା ବାହିନୀ ତୁରନ୍ତ ତଲାସୀ ଅଭିଯାନ ଆରମ୍ଭ କରିଥିଲେ । ଜାମ୍ମୁ କାଶ୍ମୀର ପୋଲିସର ସ୍ପେଶାଲ ଅପରେସନ୍ ଗ୍ରୁପ୍ (ଏସ୍ଓଜି) ଏବଂ ସ୍ଥାନୀୟ ପୋଲିସ୍ ମିଳିତ ଭାବେ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ କରୁଛନ୍ତି । ସୁରକ୍ଷା ବାହିନୀ ଏହି ଅଞ୍ଚଳକୁ ଘେରି ରହିଛନ୍ତି । ଯେଉଁଠାରେ ଏହି ସର୍ଚ୍ଚ ଅପରେସନ୍ ଚାଲିଛି ସେହି ସ୍ଥାନ ଅନ୍ତର୍ଜାତୀୟ ସୀମା ନିକଟରେ ଅବସ୍ଥିତ । ପୂର୍ବରୁ ମଧ୍ୟ ଏହି ଅଞ୍ଚଳଗୁଡିକରୁ ଅନୁପ୍ରବେଶ ଉଦ୍ୟମ କରାଯାଇଛି । ତିନି ଜଣ ଆତଙ୍କବାଦୀଙ୍କୁ ଧରିବା ପାଇଁ ପ୍ରତିରକ୍ଷା ବାହିନୀ ଜାମ୍ମୁ କାଶ୍ମୀରର ଉଧମପୁର ଜିଲ୍ଲାର ଜଙ୍ଗଲ ଅଞ୍ଚଳରେ ସର୍ଚ୍ଚ ଅପରେସନ କରୁଛନ୍ତି । ଏହା ବ୍ୟତୀତ କିସ୍ତୱାଡ, କଠୁଆ, ରାଜୌରୀ ଏବଂ ପୁଞ୍ଚ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ମଧ୍ୟ କରାଯାଉଛି । ଜଣେ ଅଧିକାରୀ କହିଛନ୍ତି ଯେ, ସେନା ଏବଂ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ୍)ର ସ୍ୱତନ୍ତ୍ର ବାହିନୀ ଦ୍ୱାରା ସର୍ଚ୍ଚ ଅପରେସନ ଚାଲିଛି । ଏହି ଅଭିଯାନରେ ହେଲିକପ୍ଟର ଏବଂ ଡ୍ରୋନ୍ ମାଧ୍ୟମରେ ତଦାରଖ କରାଯାଉଛି ।