ଭୁବନେଶ୍ୱର, : ମୁଖ୍ୟମନ୍ତ୍ରୀମୋହନ ଚରଣ ମାଝୀ ମଙ୍ଗଳବାର ଦିନ ଲୋକସେବା ଭବନ ଠାରେ ଶିଶୁ ବାଟିକା ପିଲା ମାନଙ୍କ ପାଇଁ ଉଦ୍ଦିଷ୍ଟ ଯାଦୁପେଡି ଦେଖିବା ସହିତ, ପିଲାମାନଙ୍କ ପାଇଁ ଏହାର ଉପଯୋଗୀତା ବିଷୟରେ ବୁଝିଥିଲେ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ ଯାଦୁପେଡି ଭିତରେ ଥିବା ବିଭିନ୍ନ ସାମଗ୍ରୀ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ମୁଖ୍ୟମନ୍ତ୍ରୀ ଏହି ପେଡି ଭିତରେ ଥିବା ସାମଗ୍ରୀ ଦେଖି ଖୁସି ବ୍ୟକ୍ତ କରି କହିଥିଲେ, ଛୋଟ ଛୋଟ ପିଲାମାନେ ନିଜ ପାରିପାର୍ଶ୍ୱିକ ଅଂଚଳରେ ବ୍ୟବହାର୍ଯ୍ୟ ସାମଗ୍ରୀ ଓ ଏହାର ଉପଯୋଗୀତା ବିଷୟରେ ଏହି ଯାଦୁପେଡିରେ ଥିବା ଖେଳନାରୁ ଶିଖି ପାରିବେ । ଶିଶୁ ମାନଙ୍କୁ ଏହି ଯାଦୁପେଡ଼ିର ଖେଳନା ଗୁଡିକ ଶିଖିବା ସହିତ ପାଠ ପ୍ରତି ମଧ୍ୟ ଆକର୍ଷିତ କରିବ । ସୂଚନାଯୋଗ୍ୟ ଯେ, ନୂତନ ଶିକ୍ଷା ନୀତି ୨୦୨୦ ଅନୁଯାୟୀ ଛୋଟ ଛୋଟ ପିଲାମାନଙ୍କ ପାଇଁ ଏହି ଯାଦୁପେଡିର ପରିକଳ୍ପନା କରାଯାଇଛି । ଏହାକୁ ଏନସିଇଆରଟି ଦ୍ୱାରା ପ୍ରସ୍ତୁତ କରାଯାଇଛି । ଶିଶୁ ବାଟିକା, ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାମାନଙ୍କ ପାଇଁ ଏହି କିଟ୍ ପ୍ରଦାନ କରାଯିବ । ପ୍ରତ୍ୟେକ କିଟ୍ ପାଇଁ ପ୍ରାୟ ୨୦ ହଜାର ଟଙ୍କା ଖର୍ଚ୍ଚ କରାଯାଇଛି । ରାଜ୍ୟର ୪୫ ହଜାର ସ୍କୁଲରେ ଏହାକୁ ଆବଂଟିତ କରାଯିବ ଏବଂ ସମୁଦାୟ ୯୦ କୋଟି ଟଙ୍କା ଖର୍ଚ୍ଚ ହେବ ।