ନୂଆଦିଲ୍ଲୀ,: ଭାରତ ବାଂଲାଦେଶରୁ ଆସୁଥିବା ୪୨% ସାମଗ୍ରୀକୁ ନିଷେଧ କରିଛି । ଏହା ପ୍ରାୟ ୭୭୦ ନିୟୁତ ଡଲାର (ପ୍ରାୟ ୬୬ ହଜାର କୋଟି ଟଙ୍କା) ମୂଲ୍ୟର ସାମଗ୍ରୀ କାରବାରକୁ ପ୍ରଭାବିତ କରିବ । ଏହାର ଅର୍ଥ ହେଉଛି ଯେ ଭାରତ ଏବେ ବାଂଲାଦେଶରୁ କିଛି ଜିନିଷ କମ୍ ପରିମାଣରେ କିଣିବ । ଏହି ନିୟମଗୁଡ଼ିକ ସ୍ଥଳପଥ ଦେଇ ବାଣିଜ୍ୟ ପାଇଁ ପ୍ରଯୁଜ୍ୟ ହେବ । ଗ୍ଲୋବାଲ୍ ଟ୍ରେଡ୍ ରିସର୍ଚ୍ଚ ଇନିସିଏଟିଭ୍ (ଜିଟିଆର୍ଆଇ) ପକ୍ଷରୁ ଏହି ସୂଚନା ଦିଆଯାଇଛି । ନୂତନ ନିୟମ ଅନୁଯାୟୀ, ବାଂଲାଦେଶରୁ ଆସୁଥିବା ପ୍ରସ୍ତୁତ ପୋଷାକ, ପ୍ରକ୍ରିୟାକୃତ ଖାଦ୍ୟ ଏବଂ ପ୍ଲାଷ୍ଟିକ୍ ସାମଗ୍ରୀ ଭଳି କିଛି ଜିନିଷ ଏବେ କେବଳ କିଛି ସମୁଦ୍ର ବନ୍ଦର ଦେଇ ଭାରତରେ ପ୍ରବେଶ କରିପାରିବ । ସ୍ଥଳପଥରୁ କିଛି ଜିନିଷ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ଉଦାହରଣ ସ୍ୱରୂପ, ପ୍ରତିବର୍ଷ ବାଂଲାଦେଶରୁ ପ୍ରାୟ ୬୧୮ ନିୟୁତ ଡଲାର ମୂଲ୍ୟର ରେଡିମେଡ୍ ପୋଷାକ ଭାରତକୁ ଆସିଥାଏ । ଏବେ ଏହି ପୋଷାକଗୁଡ଼ିକ କେବଳ କଲକାତା ଏବଂ ନଭା ଶେଭା ବନ୍ଦରରୁ ଆସିପାରିବ । ପୂର୍ବରୁ ଏହି ପୋଷାକଗୁଡ଼ିକ ସ୍ଥଳପଥ ଦେଇ ମଧ୍ୟ ଆସୁଥିଲା, ଯାହାକୁ ଏବେ ବନ୍ଦ କରିଦିଆଯାଇଛି । ଭାରତର ଏହି ପଦକ୍ଷେପ ବାଂଲାଦେଶର ଅର୍ଥନୀତି ଉପରେ ଖରାପ ପ୍ରଭାବ ପକାଇବ । ସବୁଠାରୁ ଅଧିକ ପ୍ରଭାବ କପଡ଼ା ରପ୍ତାନି ଉପରେ ପଡ଼ିବ । ଯଦି ଭାରତ ଏହିପରି କଠୋର ଆଚରଣ ଜାରି ରଖେ, ତେବେ ବାଂଲାଦେଶ ମଧ୍ୟ ପାକିସ୍ତାନ ପରି ତଳକୁ ଖସିଯିବ । ଜିଟିଆର୍ଆଇ ରିପୋର୍ଟରେ କୁହାଯାଇଛି ଯେ ଭାରତ ଏହି ପଦକ୍ଷେପ ଏକା ନେଇନାହିଁ । ଭାରତୀୟ ସାମଗ୍ରୀ ଉପରେ ବାଂଲାଦେଶ ଦ୍ୱାରା ଲଗାଯାଇଥିବା ବାଣିଜ୍ୟ ପ୍ରତିବନ୍ଧକ ଏବଂ ଚୀନ୍ ସହିତ ବଢ଼ୁଥିବା ବନ୍ଧୁତାକୁ ଦୃଷ୍ଟିରେ ରଖି ଭାରତ ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି ।