ଭାରତୀୟ ଆମ୍ବକୁ ଆମେରିକାର ପ୍ରତ୍ୟାଖ୍ୟାନ

0 68

ନୂଆଦିଲ୍ଲୀ,: ଆମେରିକା ଭାରତୀୟ ରପ୍ତାନୀକାରୀଙ୍କୁ ଝଟ୍‌କା ଦେବା ଭଳି କାର୍ଯ୍ୟ କରିଛି । ଭାରତରୁ ଲସ୍‌ଏଞ୍ଜେଲ୍ସ, ସାନ୍ ଫ୍ରାନ୍ସିସ୍କୋ ଓ ଆଟଲାଣ୍ଟା ବିମାନବନ୍ଦରରେ ୧୫ କଣ୍ଟେନରରେ ପହଞ୍ଚିବା ଆମ୍ବକୁ କାଗଜପତ୍ରରେ ତ୍ରୁଟି ଥିବା ଦର୍ଶାଇ ଆମେରିକୀୟ କର୍ତ୍ତୃପକ୍ଷ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି । ଏଥିଯୋଗୁ ଭାରତୀୟ ବ୍ୟବସାୟୀମାନଙ୍କୁ ୫ ଲକ୍ଷ ଡଲାର (ପ୍ରାୟ ୪ କୋଟି ୨୮ ଲକ୍ଷ ଟଙ୍କା)ର କ୍ଷତି ସହିବାକୁ ପଡ଼ିଛି । ଇକୋନୋମିକ୍‌ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଭାରତରୁ ଏୟାର ଗାର୍ଗୋ ଯୋଗେ ୧୫ ଶିପ୍‌ମେଣ୍ଟରେ ଆମ୍ବ ପଠାଯାଇଥିଲା । ମୁମ୍ବାଇରୁ ରପ୍ତାନୀ ପୂର୍ବରୁ ମେ\’ ୮ ଓ ୯ ତାରିଖରେ ନଭି ମୁମ୍ବାଇରେ ଥିବା ୟୁନାଇଟେଡ୍ ଷ୍ଟେଟ୍ସ ଡିପାର୍ଟମେଣ୍ଟ ଅଫ୍‌ ଏଗ୍ରିକଲ୍‌ଚର (ୟୁଏସଡିଏ) ପ୍ରତିନିଧିଙ୍କ ତତ୍ତ୍ୱାବଧାନରେ ଆମ୍ବଗୁଡ଼ିକୁ ରେଡିଏଶନ୍‌ ଟ୍ରିଟ୍‌ମେଣ୍ଟ ପ୍ରକ୍ରିୟା ଜରିଆରେ ଯାଞ୍ଚ କରାଯାଇଥିଲା । ପିପିକ୍ୟୁ ୨୦୩ ଫର୍ମର
ଆବଶ୍ୟକତା ଅନୁସାରେ ଉକ୍ତ ପ୍ରକ୍ରିୟାରେ ଆମ୍ବରେ କୀଟାଣୁନାଶ କରି ଏହାକୁ ଅଧିକ ସମୟ ସତେଜ ରଖିବା ସକାଶେ ବିକିରଣର ନିୟନ୍ତ୍ରିତ ଡୋଜ୍‌ ଦିଆଯାଇଥାଏ । ଆମେରିକାକୁ କୌଣସି ଫଳ ରପ୍ତାନୀ କରିବାକୁ ହେଲେ ଏହି ପ୍ରକ୍ରିୟା ଆପଣାଇବା ବାଧ୍ୟତାମୂଳକ ରାଯାଇଛି । ଏହା କରାଯିବା ସତ୍ତ୍ୱେ ଆମେରିକୀୟ ଅଧିକାରୀମାନେ ପିପିକ୍ୟୁ ୨୦୩ ଫର୍ମରେ ତ୍ରୁଟି ଥିବା ଦର୍ଶାଇ କଣ୍ଟେନରଗୁଡ଼ିକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ । ପ୍ତାନୀକାରୀଙ୍କୁ ଦୁଇଟି ବିକଳ୍ପ ଦିଆଯାଇଥିଲା-ଆମ୍ବଗୁଡ଼ିକୁ ନଷ୍ଟ କରିଦିଅ କିମ୍ବା ଭାରତକୁ ଫେରାଇ ନିଅ । ତେବେ ଭାରତକୁ ଆମ୍ବ ଫେରାଇ ଆଣିବା ବ୍ୟୟବହୁଳ ହୋଇଥିବାରୁ ରପ୍ତାନୀକାରୀମାନେ ସେଗୁଡ଼ିକୁ ନଷ୍ଟ କରିବାକୁ ବାଧ୍ୟ ହୋଇଛନ୍ତି । ଏହି ଘଟଣା ଭାରତୀୟ ବ୍ୟବସାୟୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଏଥିସହ ଅନ୍ତର୍ଜାତୀୟ ବଜାରର ମାନକ ପୂରଣ ଦିଗରେ ଅଧିକ ଯତ୍ନବାନ ହେବା ଆବଶ୍ୟକ ବୋଲି ବାର୍ତ୍ତା ଦେଇଛି । ଅନେକ ଭାରତୀୟ ବ୍ୟବସାୟିକ ସଂସ୍ଥା ଭବିଷ୍ୟତରେ ଏପରି କ୍ଷତି ଏଡ଼ାଇବା ପାଇଁ ବର୍ତ୍ତମାନ ନିୟାମକ କର୍ତ୍ତୃପକ୍ଷମାନଙ୍କ ମଧ୍ୟରେ ଉନ୍ନତ ସମନ୍ୱୟ ରକ୍ଷା ଦାବି କରିଛନ୍ତି । ବିଶ୍ୱରେ ଭାରତୀୟ ଆମ୍ବର ଚାହିଦା ରହିଥିବାବେଳେ ଆମେରିକାର ଏପରି ପ୍ରତ୍ୟାଖ୍ୟାନ ଯୋଗୁ ବ୍ୟବସାୟୀମାନଙ୍କୁ ଝଟ୍‌କା ଲାଗିଛି । ଆଗାମୀ ଋତୁରେ ଏପରି ସମସ୍ୟା ଏଡ଼ାଇବା ଲାଗି ସେମାନେ ଆହୁରି ଅଧିକ ପ୍ରସ୍ତୁତ ହେବେ ବୋଲି କହିଛନ୍ତି । ଅନ୍ୟ ଜଣେ ବ୍ୟବସାୟୀ ଏହାଦ୍ୱାରା ଆମେରିକା ସହ ଭାରତର ବାଣିଜ୍ୟିକ ସମ୍ପର୍କ ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.