ନୂଆଦିଲ୍ଲୀ, : ଭାରତ ଗୋଟିଏ ଧର୍ମଶାଳ ନୁହେଁ । ଯାହା ବିଶ୍ୱର ବିଭିନ୍ନ ସ୍ଥାନରୁ ଆସୁଥିବା ଶରଣାର୍ଥୀଙ୍କ କଥା ବୁଝିବ । ଏମିତି କିଛି କହି ଜଣେ ଶ୍ରୀଲଙ୍କା ନାଗରିକଙ୍କ ଆବେଦନକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି । ଶ୍ରୀଲଙ୍କାର ନାଗରିକ ଜଣଙ୍କ ଭାରତରେ ଶରଣାର୍ଥୀ ଭାବେ ରହିବାକୁ ଆବେଦନ କରିଥିଲେ । କିନ୍ତୁ ଏହାକୁ ସର୍ବୋଚ୍ଚ ଅଦାଲତ ଗ୍ରହଣ କରି ନାହାନ୍ତି । ଜଷ୍ଟିସ ଦୀପଙ୍କର ଦତ୍ତା ଓ ଜଷ୍ଟିସ କେ ବିନୋଦ ଚନ୍ଦ୍ରନ ୨୦୧୫ରେ ଗିରଫ ହୋଇଥିବା ଜଣେ ଶ୍ରୀଲଙ୍କା ନାଗରିକଙ୍କ ଆବେଦନର ଶୁଣାଣି କରିଥିଲେ । ଏକଦା ଶ୍ରୀଲଙ୍କାରେ ସକ୍ରିୟ ରହିଥିବା ଆତଙ୍କବାଦୀ ସଂଗଠନ ଏଲଟିଟିଇ ସହ ତାଙ୍କର ସମ୍ପର୍କ ଥିବା ସନ୍ଦେହରେ ଗିରଫଦାରୀ ହୋଇଥିଲା । ୨୦୧୮ରେ ନିମ୍ନ ଅଦାଲତ ୟୁଏପିଏ ବଳରେ ତାଙ୍କୁ ୧୦ ବର୍ଷର ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ । ହେଲେ ୨୦୨୨ରେ ମାଡ୍ରାସ ହାଇକୋର୍ଟ ଦଣ୍ଡାଦେଶକୁ ୭ ବର୍ଷକୁ ଖସାଇ ଦେଇଥିଲେ । କିନ୍ତୁ ଦଣ୍ଡାଦେଶ ଶେଷ ହେବା ମାତ୍ରେ ତାଙ୍କୁ ତୁରନ୍ତ ଦେଶ ଛାଡ଼ି ଚାଲି ଯିବାକୁ ନିର୍ଦ୍ଦେଶ ମିଳିଥିଲା । ସେହିପରି ପ୍ରତ୍ୟର୍ପଣ ପ୍ରକ୍ରିୟା ଶେଷ ହେବା ଯାଏ ଶରଣାର୍ଥୀ କ୍ୟାମ୍ପରେ ରହିବାକୁ କହିଥିଲେ । ଆବେଦନକାରୀ ହେଉଛନ୍ତି ଜଣେ ଶ୍ରୀଲଙ୍କା ତାମିଲ । ନିଜର ଆବେଦନ ଜରିଆରେ ସେ ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ ଭାରତକୁ ସେ ଭିସା ନେଇ ଆସିଥିଲେ ଓ ନିଜ ଦେଶରେ ତାଙ୍କ ଜୀବନ ପ୍ରତି ବିପଦ ରହିଥିଲା । ଭାରତରେ ତାଙ୍କ ପତ୍ନୀ ଓ ପିଲାମାନେ ଥଇଥାନ ହୋଇ ରହିଛନ୍ତି । ୩ ବର୍ଷ ହେଲା ସେ ଅଟକ କେନ୍ଦ୍ରରେ ରହିଛନ୍ତି । ଏବେ ତାଙ୍କୁ ଭାରତରୁ ପ୍ରତ୍ୟର୍ପଣ ପାଇଁ ବ୍ୟବସ୍ଥା କରାଯାଉଛି । ଏହା ଆଦୌ ଠିକ ନୁହେଁ ବୋଲି ସେ କହିଥିଲେ । ଏହାର ଜବାବରେ ଜଷ୍ଟିସ ଦତ୍ତା କହିଛନ୍ତି, କ\’ଣ ଭାରତ ସମଗ୍ର ବିଶ୍ୱର ଶରଣାର୍ଥୀଙ୍କ କଥା ବୁଝିବ? ଆମେ ୧୪୦ କୋଟି ଲୋକଙ୍କୁ ନେଇ ସଂଘର୍ଷ କରୁଛୁ । ଏହା ଗୋଟିଏ ଧର୍ମଶାଳା ନୁହେଁ, ଯାହା ବିଦେଶୀ ନାଗରିକଙ୍କ କଥା ବୁଝିବ । ଆବେଦନକାରୀଙ୍କ ଓକିଲ ସମ୍ବିଧାନର ଧାରା ୨୧ (ଜୀବର ସୁରକ୍ଷା ଓ ସ୍ୱତନ୍ତ୍ରତା) ଓ ବାକ ସ୍ୱାଧୀନତା ଓ ମୁକ୍ତ ବିଚରରଣ ମୌଳିକ ଅଧିକାର ଦେଉଥିବା ଧାରା ୧୯ କଥା କହି ମାମଲାରେ ଯୁକ୍ତି ରଖିଥିଲେ । ଏହା ଶୁଣି ଜଷ୍ଟିସ ଦତ୍ତା କହିଥିଲେ ଆବେଦନକାରୀଙ୍କୁ ଅଟକ ରଖିବା ଧାରା ୨୧କୁ ଉଲ୍ଲଙ୍ଘନ କରୁ ନାହିଁ । କାରଣ ତାଙ୍କୁ ଆଇନ ଅନୁସାରେ ହେପାଜତକୁ ନିଆଯାଇଛି । ସେହିପରି ଧାରା ୧୯ କେବଳ ଭାରତୀୟଙ୍କ ପାଇଁ ଉପଲବ୍ଧ । କୋର୍ଟ କହିଛନ୍ତି, ଏଠାରେ ଥଇଥାନ ହେବାକୁ ଆପଣଙ୍କର କି ଅଧିକାର ରହିଛି? ଆବେଦନକାରୀଙ୍କ ଓକିଲ ଯେତେବେଳେ କହିଥିଲେ ଯେ ସେ ଜଣେ ଶରଣାର୍ଥୀ ଓ ଶ୍ରୀଲଙ୍କାରେ ତାଙ୍କ ଜୀବନ ପ୍ରତି ବିପଦ ରହିଛି ସେତେବେଳେ କୋର୍ଟ ତାଙ୍କୁ ଅନ୍ୟ କୌଣସି ଦେଶକୁ ଚାଲିଯିବାକୁ ପରାମର୍ଶ
ଦେଇଥିଲେ । ଆବେଦନକାରୀ ଜଣଙ୍କ ଶ୍ରୀଲଙ୍କାର ନାଗରିକ ହୋଇଥିବା ବେଳେ ପ୍ରତ୍ୟର୍ପଣରୁ ସୁରକ୍ଷା ପାଇଁ ଆବେଦନ କରିଥିଲେ । ଶ୍ରୀଲଙ୍କାରେ ତାଙ୍କ ଜୀବନ ପ୍ରତି ବିପଦ ଥିବା ସେ ବାରମ୍ବାର କହିଥିଲେ ହେଁ ଏହାକୁ ସର୍ବୋଚ୍ଚ ଅଦାଲତ ଗ୍ରହଣ କରି ନାହାନ୍ତି ।
ଭାରତ ଧର୍ମଶାଳା ନୁହେଁ: ସୁପ୍ରିମକୋଟ
Prev Post