ଶୁଳ୍କ ଯୁଦ୍ଧ ପାଇଁ ବିଶ୍ୱରେ ଲାଗି ରହିଛି ଅନିଶ୍ଚିତତା ଭାରତର ସୁନା ଆମଦାନୀ ୧୯୨ % ବୃଦ୍ଧ

0 52

ନୂଆଦିଲ୍ଲୀ,: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ବିଶ୍ୱ ଅନିଶ୍ଚିତତା ଦେଇ ଗତି କରୁଛି । ସେ ରେସିପ୍ରୋକାଲ (ଯେସାକୁ ତେସା) ଶୁଳ୍କ ଲଗାଇ ବିଶ୍ୱରେ ଅସ୍ଥିରତା ସୃଷ୍ଟି କରିଛନ୍ତି । ଆମେରିକା ଏବଂ ଚୀନ୍ ମଧ୍ୟରେ ଶୁଳ୍କ ଯୁଦ୍ଧ ଜାରି ରହିଛି । ଉଭୟ ରାଷ୍ଟ୍ର ପରସ୍ପର ବିରୋଧରେ ଶୁଳ୍କ ହାର ବଢ଼ାଇ ଚାଲିଛନ୍ତି । ଏହାକୁ ନେଇ ଦୁନିଆର ଅର୍ଥନୀତି ପ୍ରଭାବିତ ହୋଇଛି । ବିଭିନ୍ନ ଦେଶର ସେୟାର ବଜାରରେ ହ୍ରାସବୃଦ୍ଧି ଜାରି ରହିଛି । ଏଥିଯୋଗୁଁ ନିବେଶକମାନେ ସୁରକ୍ଷିତ ନିବେଶ ଦେଖୁଛନ୍ତି । ଟ୍ରମ୍ଫଙ୍କ ଶୁଳ୍କ ଘୋଷଣା ପରେ ଭାରତୀୟ ସେୟାର ବଜାର ମଧ୍ୟ ପ୍ରଭାବିତ ହୋଇଥିଲା । ତେବେ ପରେ ପରେ ଏହି କ୍ଷତି ଭରଣା ହୋଇଯାଇଥିଲା । ଏହା ସତ୍ତ୍ୱେ ନିବେଶକମାନେ ବିପଦ ନେବାକୁ ଚାହୁଁଛନ୍ତି । ସେଥିପାଇଁ ସୁନାରେ ନିବେଶ ବୃଦ୍ଧି କରିଛନ୍ତି । ଶୁଳ୍କ ଯୁଦ୍ଧ ଯୋଗୁଁ ଅନିଶ୍ଚିତତା ଲାଗି ରହିଥିବାବେଳେ ଗତ
ମାର୍ଚ୍ଚରେ ଭାରତର ସୁନା ଆମଦାନୀରେ ବଡ଼ ବୃଦ୍ଧି ଦେଖା ଦେଇଛି । ଏହା ୧୯୨.୧୩ ପ୍ରତିଶତ ବୃଦ୍ଧି ପାଇ ୪.୪୭ ବିଲିୟନ ଡଲାରରେ ପହଞ୍ଚି ଯାଇଛି । ଏହା ପୂର୍ବରୁ ଚଳନ୍ତି ଖାତା ହ୍ରାସ ଉପରେ ପ୍ରଭାବ ପକାଉଥିବା ସୁନା ଆମଦାନୀ ଗତ ଫେବୃଆରୀରେ ୬୨ ପ୍ରତିଶତ ହ୍ରାସ ପାଇଥିଲା । ତେବେ ଜାନୁଆରୀରେ ଏହା ୪୦.୮ ପ୍ରତିଶତ ଏବଂ ଡିସେମ୍ବରରେ ୫୫.୩୯ ପ୍ରତିଶତ ବୃଦ୍ଧି ପାଇଥିଲା । କିନ୍ତୁ ମାର୍ଚ୍ଚରେ ରୁପା ଆମଦାନୀ ୮୫.୪ ପ୍ରତିଶତ ହ୍ରାସ ପାଇଛି । ଏହା ୧୧.୯୩ କୋଟି ଡଲାରରେ ପହଞ୍ଚି ଯାଇଛି । ବାଣିଜ୍ୟ ମନ୍ତ୍ରାଳୟର ସୂଚନା ଅନୁଯାୟୀ ୨୦୨୪- ୨୫ ଆର୍ଥିକ ବର୍ଷରେ ସୁନା ଆମଦାନୀ ୨୭.୨୭ ପ୍ରତିଶତ ବଢ଼ି ୫୮ ବିଲିୟନ ଡଲାରରେ ପହଞ୍ଚି ଯାଇଛି । ଏହା ୨୦୨୪-୨୪ରେ ୪୫.୫୪ ବିଲିୟନ ଡଲାର ଥିଲା । ଦେଶର ମୋଟ ଆମଦାନୀରେ ସୁନାର ଅଂଶ ୮ ପ୍ରତିଶତ ଥିଲା । ସେହିପରି ଗତ ଆର୍ଥିକ ବର୍ଷରେ ରୁପା ଆମଦାନୀ ୧୧.୨୪ ପ୍ରତିଶତ ହ୍ରାସ ପାଇ ୪.୮୨ ବିଲିୟନ ଡଲାର ରହିଥିଲା । ସୁନା ମୂଲ୍ୟ ବୃଦ୍ଧି ସତ୍ତ୍ୱେ ଏହି ବହୁମୂଲ୍ୟ ଧାତୁର ଆମଦାନୀ ବୃଦ୍ଧି ପାଇ ଚାଲିଛି । ସୁନା ଉପରେ ନିବେଶକଙ୍କ ଭରସା ମଝବୁତ ହୋଇଛି ବୋଲି ଏହା ଦର୍ଶାଉଛି । କାରଣ ଏହା ନିବେଶକର ଏକ ସୁରକ୍ଷିତ ମାଧ୍ୟମ । ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ ବିଶ୍ୱରେ ଲାଗି ରହିଥିବା ଅନିଶ୍ଚିତତା, ଅନେକ ଦେଶର ଉତ୍ତେଜନା ମଧ୍ୟରେ ସମସ୍ତଙ୍କର ଲକ୍ଷ୍ୟ ସୁନା ଉପରେ ରହିଛି । କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟରେ ସୁନାର ଚାହିଦା ବଢୁଥିବାରୁ ଏହାର ମୂଲ୍ୟ ସହିତ ଚାହିଦା ବୃଦ୍ଧି ପାଉଛି । ଭାରତ ସର୍ବାଧିକ ସୁନା ସ୍ୱିଜରଲାଣ୍ଡରୁ ଆଣୁଛି । ଏହି ଦେଶରୁ ପ୍ରାୟ ୪୦ ପ୍ରତିଶତ ସୁନା ମଗାଉଛି । ଏହା ୟୁଏଇରୁ ୧୬ ପ୍ରତିଶତ ଏବଂ ଦକ୍ଷିଣ ଆଫ୍ରିକାରୁ ୧୦ ପ୍ରତିଶତ ସୁନା ଆମଦାନୀ କରାଯାଉଛି । ସୁନା ଆମଦାନୀ ବୃଦ୍ଧି ଦ୍ୱାରା ଦେଶର ବାଣିଜ୍ୟ କ୍ଷତି (ନିଅଣ୍ଟ) ମାର୍ଚ୍ଚରେ ବୃଦ୍ଧି ପାଇଛି । ଏହା ୨୧.୫୪ ବିଲିୟନ ଡଲାରରେ ପହଞ୍ଚି ଯାଇଛି । ଗତ ଆର୍ଥିକ ବର୍ଷରେ ଏହା ୨୦୨୪-୨୫ରେ ଏହା ସର୍ବକାଳୀନ ସ୍ତର (୨୮୨.୮୨ ବିଲିୟନ ଡଲାର)ରେ ପହଞ୍ଚି ଯାଇଥିଲା ।

Leave A Reply

Your email address will not be published.