ସରକାରଙ୍କୁ ରିଜର୍ଭ ବ୍ୟାଙ୍କ ଦେବ ୨.୬୯ ଲକ୍ଷ କୋଟ

0 139

ନୂଆଦିଲ୍ଲୀ,: ୨୦୨୪- ୨୫ ଆର୍ଥିକବର୍ଷ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ କେନ୍ଦ୍ର ସରକାରଙ୍କୁ ୨.୬୯ ଲକ୍ଷ କୋଟିର ଲାଭାଂଶ ବାବଦ ପାଣ୍ଠି ପ୍ରଦାନ କରିବ । ଏହା ସର୍ବକାଳୀନ ରେକର୍ଡ ଏବଂ ପୂର୍ବବର୍ଷ ତୁଳନାରେ ୨୮ ପ୍ରତିଶତ ଅଧିକ । ରିଜର୍ଭ ବ୍ୟାଙ୍କର କେନ୍ଦ୍ରୀୟ ନିର୍ଦ୍ଦେଶକ ବୋର୍ଡର ୬୧୬ତମ ବେଠକରେ ଏ ନେଇ ଘୋଷଣା କରାଯାଇଛି । ୨୦୨୩-୨୪ ଆର୍ଥିକ ବର୍ଷରେ ରିଜର୍ଭ ବ୍ୟାଙ୍କ ୨.୧୦ ଲକ୍ଷ କୋଟି ଏବଂ ୨୦୨୨-୨୩ରେ ୮୭,୪୨୦ କୋଟି ଟଙ୍କାର ବଳକା ପାଣ୍ଠି କେନ୍ଦ୍ର ସରକାରଙ୍କୁ ହସ୍ତାନ୍ତର କରିଥିଲା । ରିଜର୍ଭ ବ୍ୟାଙ୍କ ୨୦୨୪-୨୫ ଆର୍ଥିକବର୍ଷ ଲାଗି ଏହି ପାଣ୍ଠି ସ୍ଥାନାନ୍ତର କରୁଥିବାବେଳେ ସରକାରଙ୍କ ଆକାଉଣ୍ଟରେ ଏହା ୨୦୨୫-୨୬ ବର୍ଷରେ ପ୍ରତିଫଳିତ ହେବ । ଏଥିସହିତ ରିଜର୍ଭ ବ୍ୟାଙ୍କ ବୋର୍ଡ ଅର୍ଥନେତିକ ପୁଞ୍ଜି ଢାଞ୍ଚାରେ ସଂଶୋଧନ ଆଣିଛି । ଏହି ସଂଶୋଧନ ଅନୁଯାୟୀ, ଆପତକାଳୀନ ପାଣ୍ଠି ବା କଣ୍ଟିଜେଣ୍ଟ ରିସ୍କ ବଫର୍ (ସିଆର୍‌ବି) ରାଶିକୁ ରିଜର୍ଭ ବ୍ୟାଙ୍କ ମୋଟ ଆୟବ୍ୟୟ ଆକାରର ୬.୦ ରୁ ୧.୫%ରେ ରଖାଯାଇଛି । ବର୍ତ୍ତମାନ ଏହି ସ୍ତର ୬.୫%ରୁ ୫.୫% ମଧ୍ୟରେ ରହିଛି । ଅଧିକ ବିଦେଶୀ ମୁଦ୍ରା ବିକ୍ରି ଓ ଅନ୍ୟାନ୍ୟ କାରଣରୁ ରିଜର୍ଭ ବ୍ୟାଙ୍କ ଅଧିକ ଆୟ କରିଥିବାରୁ ଅଧିକ ପାଣ୍ଠି ସ୍ଥାନାନ୍ତର କରିବ ବୋଲି ବ୍ୟାଙ୍କ ଅଫ୍ ବରୋଦାର ମୁଖ୍ୟ ଅର୍ଥନୀତିଜ୍ଞ ମଦନ ସବନାବିସ୍‌ କହିଛନ୍ତି । ସରକାର ରିଜର୍ଭ ବ୍ୟାଙ୍କ ସମେତ ଅନ୍ୟ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକଠାରୁ ୨.୫୬ ଲକ୍ଷ କୋଟି ଟଙ୍କା ପାଇବେ ବୋଲି ଲକ୍ଷ୍ୟ ରଖିଥିଲେ । ରିଜର୍ଭ ବ୍ୟାଙ୍କ ଅଧିକ ପାଣ୍ଠି ଦେଲେ ମଧ୍ୟ ସରକାରଙ୍କ ବିତ୍ତୀୟ ନିଅଣ୍ଟ ହ୍ରାସ ଉପରେ ସେତେଟା ପ୍ରଭାବ ଦେଖିବାକୁ ମିଳିବ ନାହିଁ । ଅତିବେଶି ହେଲେ ସରକାରଙ୍କ ବିତ୍ତୀୟ ନିଅଣ୍ଟ ୪.୪ ପ୍ରତିଶତରୁ ୪.୩ ପ୍ରତିଶତକୁ କମିବ ବୋଲି ସବନାବିସ୍ କହିଛନ୍ତି ।

Leave A Reply

Your email address will not be published.