ଭୁବନେଶ୍ୱର, : ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଏଥର ସଅଳ ଆସି ଯାଇଛି । ୨୦୨୪ ତୁଳନାରେ ଏଥର ମୌସୁମୀ ୬ ଦିନ ଆଗରୁ ବଙ୍ଗୋପସାଗରର କିଛି ଅଞ୍ଚଳ ଓ ଆଣ୍ଡାମାନରେ ପ୍ରବେଶ କରିଛି । ମୌସୁମୀ ଗତିକୁ ବଳ ଯୋଗାଇବା ପାଇଁ ଏବେ ପାଗ ସଂପୂର୍ଣ୍ଣ ଅନୁକୂଳ ରହିଛି । ତେଣୁ ଚଳିତ ବର୍ଷ କେରଳକୁ ମଧ୍ୟ ମୌସୁମୀ ଧାର୍ଯ୍ୟ ସମୟ ଠାରୁ ଆଗୁଆ ଛୁଇଁ ପାରେ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । ପାଣିପାଗ ବିଭାଗ କହିଛି, ଦକ୍ଷିଣ ବଙ୍ଗୋପସାଗରର କିଛି ଅଂଶ, ଦକ୍ଷିଣ ଆଣ୍ଡାମାନ ସାଗର, ନିକୋବର ଦ୍ୱୀପପୁଞ୍ଜ ଓ ଉତ୍ତର ଆଣ୍ଡାମାନ ସାଗରର କିଛି ଅଞ୍ଚଳରେ ମଙ୍ଗଳବାର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଛି । ଆସନ୍ତା ୩ରୁ ୪ ଦିନ ମଧ୍ୟରେ ମୌସୁମୀ ସମୁଦ୍ର ଉପରେ ରହିବା ସହ ଆଗକୁ ବଢିବ । ଦକ୍ଷିଣ ଆରବ ସାଗର, ମାଳଦ୍ୱୀପ, କୋମୋରିନ ଅଞ୍ଚଳ, ଦକ୍ଷିଣ ବଙ୍ଗୋପସଗାରର ଆଉ କିଛି ଅଂଶ, ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ସଂପୂର୍ଣ୍ଣ ଅଞ୍ଚଳ, ଆଣ୍ଡାମାନ ସାଗରର ବାକି ଅଂଶ ଓ କେନ୍ଦ୍ରୀୟ ବଙ୍ଗୋପସାଗରର କିଛି ଅଂଶକୁ ଆସନ୍ତା ୩ରୁ ୪ ଦିନ ମଧ୍ୟରେ ଛୁଇଁବ ମୌସୁମୀ । ଏଥିପାଇଁ ପାଗ ସଂପୂର୍ଣ୍ଣ ଅନୁକୂଳ ରହିଛି । ମୌସୁମୀ ଏଥର ସଅଳ ଆସିଥିଲେ ହେଁ ପୂରା ଦେଶରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ ବୋଲି ପୂର୍ବରୁ ହିଁ ପାଣିପାଗ ବିଭାଗ ସ୍ପଷ୍ଟ କରି ସାରିଛି । ଆଇଏମଡିର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଏବେ ମୌସୁମୀ ପାଇଁ ପାଗ ସଂପୂର୍ଣ୍ଣ ଅନୁକୂଳ । ଏବେ ସ୍ଥିତି ଯାହା ମୌସୁସୀ ଜୁନ ୧ ପୂର୍ବରୁ କେରଳ ଛୁଇଁବାର ଯଥେଷ୍ଟ ସମ୍ଭାବନା ରହିଛି । ସମ୍ଭବତଃ ଏହା ମେ\’ ୨୭ରେ କେରଳ ଛୁଇଁପାରେ । ୭ ବର୍ଷ ମଧ୍ୟରେ ଏହି ଅଞ୍ଚଳରେ ମୌସୁମୀ କେବେ ହେଲେ ଏତେ ଶୀଘ୍ର ସ୍ପର୍ଶ କରି ନଥିଲା । କିନ୍ତୁ ଏଥର ମୌସୁମୀ ଗତବର୍ଷ ତୁଳନାରେ ୬ ଦିନ ଆଗୁଆ ଆସିଛି । ଆଇଏମଡିର ସୂଚୀରୁ ଜଣାପଡ଼ିଛି ଯେ ଦକ୍ଷିଣ ଆଣ୍ଡାମାନ ସାଗରକୁ ମୌସୁମୀ ସାଧାରଣତଃ ମେ\’ ୧୯ରେ ଛୁଇଁ ଥାଏ । ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଥିବା ପୋର୍ଟ ବ୍ଲେୟାରକୁ ଏହା ମେ\’ ୨୧ରେ ସ୍ପର୍ଶ କରିଥାଏ । କିନ୍ତୁ ସୋମବାର ଠାରୁ ନିକୋବର ଦ୍ୱୀପପୁଞ୍ଜର ବିଭିନ୍ନ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇ ଚାଲିଥିଲା । ଦୁଇ ଦିନ ହେଲା ଏଠାରେ ଲଗାଣ ବର୍ଷା ଜାରି ରହିଥିବାରୁ ମୌସୁମୀ ଏହାକୁ ଛୁଇଁ ସାରିଥିବା ଆଇଏମଡି କହିଛି । ୨୦୧୪ରେ ମୌସୁମୀ ଏଠାକୁ ମେ\’ ୧୯ରେ ଆସିଥିବା ବେଳେ ୨୦୨୩ରେ ମଧ୍ୟ ମେ\’ ୧୯ରେ ସ୍ପର୍ଶ କରିଥିଲା । ୨୦୨୨ରେ ମେ\’ ୧୬, ୨୦୨୧ରେ ମେ\’ ୨୧, ୨୦୨୦ରେ ମେ\’ ୧୭ ଓ ୨୦୧୯ରେ ମେ\’ ୧୮ ତାରିଖରେ ଦକ୍ଷିଣ ପଶ୍ଚିମ ମୌସୁମୀ ଏଠାରେ ନିଜର ଉପସ୍ଥିତି ଜାହିର କରିଥିଲା ।