ଧର୍ମଗଡ଼ : ସମ୍ପ୍ରତି କୋକସରା ବିକାଶ କହିଲେ କେବଳ ଗାଁ ରାସ୍ତାକଡ଼ । ଯେ କୌଣସି ବିକାଶୋନ୍ମୁଖୀ ପ୍ରକଳ୍ପ ନିର୍ମାଣ କଥା ପଡ଼େ ଆଉ ବିବାଦରେ ରହିଯାଏ । ସେହିଭଳି ବସଷ୍ଟାଣ୍ଡ ନିର୍ମାଣ ପ୍ରସଙ୍ଗ ମଧ୍ୟ ପୂର୍ବ ସରକାର ଅମଳରୁ ବିବାଦୀୟ ହୋଇ ପଡ଼ି ରହିଥିଲା । ଗୁରୁବାର ଏହାର ଅନ୍ତ ଘଟିଛି । ଏବେ ଆକ୍ସନ ମୋଡ଼ରେ କୋକସରା ତହସିଲଦାର କେ.ବି. ଭାରତ ନାଗ । ତାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ବୁଲ୍ଡୋଜର ଚାଲିଲା ଜବର ଦଖଲ ଉଚ୍ଛେଦ ହେଲା । ସୂଚନା ମୁତାବକ ବିଜେଡି ସରକାର ସମୟରେ ପ୍ରତି ବ୍ଲକ ସଦରରେ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଅନୁଦାନ ମଞ୍ଜୁର କରିଥିଲେ। ସେହି ଅନୁସାରେ କୋକସରା ବ୍ଲକ ସଦର ମହକୁମାଠାରେ ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ମଧ୍ଯ ୬ କୋଟି ୬୯ ଲକ୍ଷ ଅନୁଦାନ ଆସିଛି । ତେବେ କୋକସରାରେ ହେବାକୁ ଥିବା ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ପୁରୁଣା ବଜାର ପଡିଆକୁ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ପକ୍ଷରୁ ପୋଲିସ ହାଉସିଂ ବୋର୍ଡ଼ କଳାହାଣ୍ଡିକୁ ହସ୍ତାନ୍ତର କରାଯାଇଛି । ଏହି ବସ୍ ଷ୍ଟାଣ୍ଡ ଦୀର୍ଘ ଦୁଇ ବର୍ଷ କାଳ ବିବାଦରେ ରହିଥିଲା । ନୂତନ ତହସିଲଦାର କୋକସରା ବିକାଶକୁ ଦୃଷ୍ଟିରେ ରଖି ଜବର ଦଖଲ ଉଚ୍ଛେଦ କରିଛନ୍ତି । ୨ ମାର୍କେଟ କମ୍ପଲେକ୍ସ ବିଲ୍ଡିଂ, ପୁରୁଣା ଗୁଡ଼ହାଣ୍ଡି ମଞ୍ଚ, ପୁରୁଣା ଦୁର୍ଗା ମଣ୍ଡପ, ୩ କଚ୍ଚା ଘର ଓ ୧ ଚା ଦୋକାନ ଉଚ୍ଛେଦ ପ୍ରକ୍ରିୟା ମଧ୍ୟରେ ଜବର ଦଖଲରେ ରହିଥିଲା । ୮୪ ଡିସିମିଲ ସରକାରୀ ଜମିରେ ନିର୍ମାଣ ହେବ ନୂତନ ବସଷ୍ଟାଣ୍ଡ । ଏହି ଉଛେଦ ପ୍ରକ୍ରିୟାରେ ତହସିଲଦାରଙ୍କ ସମେତ ରାଜ୍ୟ ସଡ଼କ ପରିବହନ ନିଗମ କଳାହାଣ୍ଡି ଡି ଏମ୍ ସ୍ବଦେଶ କୁମାର ପାତ୍ର , ପୋଲିସ ହାଉସିଂ ବୋର୍ଡ଼ ଡି ଏମ୍ ମିତାଲି ରାଉତରାଏ, କୋକସରା ସରପଞ୍ଚ କିଶୋର ପ୍ରଧାନୀ, ପୋଲିସ ହାଉସିଂ ବୋର୍ଡ କନିଷ୍ଠ ଯନ୍ତ୍ରୀ ତରୁଣ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।
