(କୋଟପାଡ଼) ଘଟିଯାଇଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l ଦୁର୍ଘଟଣା ରେ ବାଇକ ଆରୋହୀ ଜଣଙ୍କର ଅବସ୍ଥା ସଂକଟପର୍ଣ୍ଣା ଥିବା ବେଳେ, ହସ୍ପିଟାଲ ବେଡରେ ଜୀବନ ମରଣ ସହ ସଂଘର୍ଷ କରୁଥିବା ଜଣାପଡ଼ିଛି l ସୂଚନା ମୁତାବକ ନବରଙ୍ଗପୁର ଜିଲ୍ଲା ଦାଢ଼ିଆଗୁଡ଼ା ଗ୍ରାମର ଡମ୍ବରୁ ଭତରା(୩୫)କୋଟପାଡ଼ ରୁ ବଜାର ସାରି ନିଜ ଗ୍ରାମକୁ ଫେରୁଥିବା ବେଳେ, କୋଟପାଡ଼ ସହର ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ ୨୬ ଉପରେ ବିପରୀତ ଦିଗରୁ ଆସୁଥିବା ବାଲି ବୋଝେଇ ଟିପର ସହ ଧକ୍କା ହୋଇଥିଲା l ଯାହା ଫଳରେ ଡମ୍ବୁରୁ ଭାରସାମ୍ୟ ହରାଇ ବାଇକ ସହ ତଳେ ପଡିଯାଇଥିଲେ ଓ ଟିପର ଟି ଡମ୍ବରୁ ଙ୍କ ଡାହାଣ ହାତ ଉପରେ ଚଢ଼ି ଯିବା ଫଳରେ ହାତ ଟି ସମ୍ପୂର୍ଣ ନଷ୍ଟ ହୋଇଯିବା ସହ ମୁଣ୍ଡରେ ମଧ୍ୟ ଗଭୀର ଆଘାତ ଲାଗି ଗୁରୁତର ହୋଇପଡ଼ିଥିବା ଜଣାଯାଇଛି l ସ୍ଥାନୀୟ କିଛି ଯୁବକ ଉଦ୍ଧାର କରି ଡମ୍ବରୁ ଙ୍କୁ କୋଟପାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ନେଇଥିଲେ l ସେଠାରେ ସ୍ୱାସ୍ଥ୍ୟ ରେ କୌଣସି ଉର୍ନ୍ନତି ନ ଘଟିବାରୁ ସଙ୍ଗେ ସଙ୍ଗେ କୋରାପୁଟ ସ୍ଥିତ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ କୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି l କୋଟପାଡ଼ ଥାନାଧିକାରୀ ପରମାନନ୍ଦ ସୁନାନୀ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଉଭୟ ଗାଡ଼ି କୁ ଜବତ କରି ତଦନ୍ତ ଚଳାଇଛନ୍ତି l ସୂଚନା ମୁତାବକ ଦୁର୍ଘଟଣା ସ୍ଥଳର ଉଭୟ ପାର୍ଶ୍ଵରେ ତିନୋଟି ବଡ଼ ବଡ ବ୍ୟାଙ୍କ ରହିବା ଫଳରେ ବ୍ୟାଙ୍କକୁ ଆସୁଥିବା ଗ୍ରାହକ ରାଜପଥର ଉଭୟ ପାର୍ଶ୍ଵରେ ବେଆଇନ ଗାଡ଼ି ପର୍କିଙ୍ଗ କରୁଛନ୍ତି l ଯାହା ଫଳରେ ସେହି ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି l ପର୍କିଙ୍ଗ ସ୍ଥାନ ନ ଥାଇ କୋଟପାଡ଼ ଏନଏସି କାର୍ଯ୍ୟାଳୟ ବ୍ୟାଙ୍କ ଗୁଡିକୁ କିଭଳି କେଉଁ ପରିସ୍ଥିତିରେ NOC ଦେଉଛି, ତାହା ଅଞ୍ଚଳବାସୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି l ବୁଦ୍ଧିଜୀବୀଙ୍କ କହିବା ମୁତାବକ କିଛି ଟଙ୍କା ଲୋଭରେ ପ୍ରଶାସନ ଜାତୀୟ ରାଜପଥ ପାର୍ଶ୍ଵରେ ବ୍ୟାଙ୍କ ଗୁଡିକୁ ଯାନ ବାହାନ ପାର୍କିଂ ପାଇଁ ସ୍ଥାନ ନଥାଇ NOC ଦେଇଥିବା ବେଳେ, ପୁଣି ସେହି ସ୍ଥାନରେ କାହା ସ୍ୱାର୍ଥରେ ଏକ ମଲ ଖୋଲିବା ପାଇଁ ପ୍ରଶାସନ ଅନୁମତି ଦେଲେ, ତାହା ପ୍ରଶାସନର ଭିତରିଆ କାର୍ଯ୍ୟକଳାପ ପ୍ରତି ଆଙ୍ଗୁଳି ନିର୍ଦେଶ କରୁଛି l ପ୍ରଶାସନର ଏଭଳି ମନମୁଖୀ କାର୍ଯ୍ୟକଳାପକୁ ଅଞ୍ଚଳବାସୀ ନାପସନ୍ଦ କରିଛନ୍ତି l