ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ

0 117

ଭୁବନେଶ୍ୱର, : ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଗୁରୁବାର ସୃଷ୍ଟି ହୋଇଛି ଗଭୀର ଅବପାତ । ଏହି ଅବପାତ ୨୦ କିମି ବେଗରେ ଉତ୍ତର ଦିଗକୁ ଗତିକରି ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି । ଦୀଘାଠାରୁ ୧୧୦ କିମି ପୂର୍ବ ଦକ୍ଷିଣପୂର୍ବ ଦିଗରେ ଏହା କେନ୍ଦ୍ରୀଭୂତ ହୋଇ ଉତ୍ତର ଦିଗରେ ଗତି କରି ଅପରାହ୍ନରେ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ସାଗର ଦୀପ ଓ ଖେପୁପରା ମଧ୍ୟରେ ଏହା ଅତିକ୍ରମ କରିବାର ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ସୂଚନାରୁ ପ୍ରକାଶ । ଅନ୍ୟପକ୍ଷରେ ବୁଧବାର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁଛି । ନିର୍ଦ୍ଧାରିତ ସମୟ ପୂର୍ବରୁ ମୌସୁମୀ ବାୟୁ ଓଡ଼ିଶାରେ ପ୍ରବେଶ କରିଛି । ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ମୌସୁମୀ ବାୟୁ ଅଗ୍ରସର ହେବା ସହ କିଛି ସ୍ଥାନରେ ବର୍ଷା ମଧ୍ୟ ହୋଇଛି । ଏହା ପୂର୍ବରୁ ୧୯୯୯ ମେ\’ ୨୮ରେ ଓ ୨୦୦୯ ମେ\’ ୨୫ରେ ମୌସୁମୀ ଓଡ଼ିଶା ଛୁଇଁଥିଲା । ଭାରତୀୟ ପାଣିପାଗ ବିଭାଗ ସୂଚନାନୁସାରେ, ଦୀର୍ଘ ୧୬ ବର୍ଷ ପରେ ମେ\’ ମାସରେ ମୌସୁମୀ ଓଡ଼ିଶାରେ ପ୍ରବେଶ କରିଛି । ଚଳିତ ବର୍ଷ ନିର୍ଦ୍ଧାରିତ ସମୟଠାରୁ ୧୨ଦିନ ପୂର୍ବରୁ ମୌସୁମୀ ବାୟୁ କେରଳ ଛୁଇଁଥିଲା । ସେହି ଅନୁସାରେ ଚଳିତ ବର୍ଷ ମୌସୁମୀ ସଅଳ ଓଡ଼ିଶା ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଥିବା ବେଳେ ତାହା ହିଁ ହୋଇଛି । ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ କେରଳ ଛୁଇଁବାର ମାତ୍ର କିଛିଦିନ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁଛି ଅନ୍ୟପଟେ ଉତ୍ତର-ପଶ୍ଚିମ ଏବଂ ଏହାର ପାଶ୍ୱର୍ବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ମଙ୍ଗଳବାର ଲଘୁଚାପ ରୂପ ନେଇଛି । ଏହା ଉତ୍ତରରେ ଗତି କରି ଗୁରୁବାର ଅବପାତର ରୂପ ନେଇପାରେ । ଲଘୁଚାପ ପ୍ରଭାବରେ ଆସନ୍ତା ୨ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ପରବର୍ତ୍ତୀ ଦୁଇଦିନ ବଜ୍ରପାତ ସହ ପ୍ରବଳ ବର୍ଷା ହୋଇପାରେ । ଶୁକ୍ରବାର ଅନୁଗୋଳ, ବାଲେଶ୍ୱର, ଭଦ୍ରକ, ବୌଦ୍ଧ, ଗଞ୍ଜାମ, ଜଗତ୍ସିଂହପୁର, କେନ୍ଦ୍ରପଡ଼ା, ମୟୂରଭଞ୍ଜ, ନୟାଗଡ଼, ପୁରୀ, ସୁବର୍ଣ୍ଣପୁର ଆଦି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ମାଲକାନଗିରି, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର,
ବାଲେଶ୍ୱର, ପୁରୀ, ନୟାଗଡ଼, ଖୋର୍ଦ୍ଧା, କଟକ ଓ ଯାଜପୁର ଆଦି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟରେ ଘଡ଼ଘଡ଼ି ସହିତ ବର୍ଷା ସାଙ୍ଗକୁ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ । ଏଥିପାଇଁ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ଏସ୍‌ଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମତ୍ସ୍ୟଜୀବୀମାନେ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ
କରାଯାଇଛି । ଫସଲ କ୍ଷୟ ସମ୍ଭାବନା ରହିଥିବାରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.