ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଓଡ଼ିଆ ନୂଆବର୍ଷ କ୍ୟାଲେଣ୍ଡର ଲୋକାର୍ପିତ

0 48

ପୁରୀ, : ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶିତ ଓଡ଼ିଆ ନୂଆବର୍ଷ କ୍ୟାଲେଣ୍ଡର ଉନ୍ମୋଚିତ ହୋଇଛି । ଏହାପୂର୍ବରୁ ଓଡ଼ିଆ ନୂଆବର୍ଷ କ୍ୟାଲେଣ୍ଡର ମହାପ୍ରଭୁଙ୍କ ନିକଟରେ ଲାଗି ହୋଇଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ରାଜ୍ୟ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓ ଶ୍ରୀମନ୍ଦିର ପ୍ରଶାସକ ଡକ୍ଟର ଅରବିନ୍ଦ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓ ଶ୍ରୀମନ୍ଦିର ପ୍ରଶାସକ ଡକ୍ଟର ଅରବିନ୍ଦ ପାଢୀ ପ୍ରମୁଖ ଶ୍ରୀଜୀଉଙ୍କ ଦର୍ଶନ କରି ବିଶେଷ ପୂଜାର୍ଚ୍ଚନା କରିଛନ୍ତି । ସୂଚନା ଅନୁଯାଇ, ରବିବାର ସକାଳୁ ସକାଳୁ ମହାପ୍ରଭୁଙ୍କ ଦର୍ଶନ ଓ ଆର୍ଶୀବାଦ ନେବା ପାଇଁ ଶ୍ରୀମନ୍ଦିର ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସିଂହଦ୍ୱାର ନିକଟରେ ପହଞ୍ଚିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ସେବାୟତଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ସହ ଆଇନମନ୍ତ୍ରୀ, ରାଜସ୍ୱମନ୍ତ୍ରୀ ମଧ୍ୟ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ସାଙ୍ଗରେ ଯାଇଥିଲେ । ରତ୍ନସିଂହାନରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବା ସହ ମା ମହାଲକ୍ଷ୍ମୀଙ୍କୁ ମଧ୍ୟ ଦର୍ଶନ କରିଥିଲେ । ସେଠାରେ ବିଶେଷ ପୂଜାର୍ଚ୍ଚନା କରିବା ସହ ଆଶିଷ କାମନା କରିଥିଲେ । ତେବେ ଓଡିଆ ନବବର୍ଷ ଅବସରରେ ପ୍ରକାଶ ପାଇଛି ଶ୍ରୀମନ୍ଦିର ପର୍ବପର୍ବାଣି ଓ ଯାନିଯାତ୍ରା କ୍ୟାଲେଣ୍ଡର । ପୂର୍ବରୁ ଏହି କ୍ୟାଲେଣ୍ଡର ମୁଦ୍ରଣ ପରେ ଦେବାର୍ପଣ ହୋଇଥିବା ବେଳେ ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ଏହା ଲୋକାର୍ପିତ ହୋଇଛି । ସେହିପରି ପ୍ରଥମ ଥର ଲାଗି ପ୍ରକାଶିତ ଶ୍ରୀମନ୍ଦିରର ସୁଦୃଶ୍ୟ ସୂଚନା ପୁସ୍ତିକାର ମଧ୍ୟ ଲୋକାର୍ପଣ ହୋଇଛି । ଏହି ଅବସରରେ ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.ଅରବିନ୍ଦ ପାଢ଼ୀ, ପୁରୀଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ସହ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ କର୍ମଚାରୀମାନେ ଉପସ୍ଥିତ ଥିଲେ । ବର୍ଷ ତମାମ (୨୦୨୫ ମସିହାର ମହାବିଷୁବ ସଂକ୍ରାନ୍ତି ଠାରୁ ୨୦୨୬ ମସିହା ରାମାଭିଷେକ ନୀତି ପର୍ଯ୍ୟନ୍ତ) ଶ୍ରୀମନ୍ଦିରରେ ପାଳିତ ହେବାକୁଥିବା ସମସ୍ତ ପର୍ବପର୍ବାଣି ଦିନ ତଥା ଯାନିଯାତ୍ରା ଦିବସଗୁଡିକର ସୂଚନା ଏହି ଆକର୍ଷଣୀୟ କ୍ୟାଲେଣ୍ଡରରେ ରହିଅଛି । ଶ୍ରୀମନ୍ଦିର ସେବକ ନିଯୋଗଗୁଡିକ ସହ ମୁକ୍ତିମଣ୍ଡପ ଏବଂ ରାଜ୍ୟର ପ୍ରମୁଖ ପାଂଜିକାରଙ୍କୁ ନେଇ ବିସ୍ତୃତ ଆଲୋଚନା ପରେ ଶ୍ରୀମନ୍ଦିରରେ ପାଳିତ ହେବାକୁଥିବା ପର୍ବପର୍ବାଣି ତିଥିଗୁଡିକ ସ୍ଥିରୀକୃତ ହୋଇଅଛି । ଶ୍ରୀମନ୍ଦିର ପ୍ରଶାସନର ସମସ୍ତ ସୂଚନା କେନ୍ଦ୍ରଗୁଡିକରେ ଏହି କ୍ୟାଲେଣ୍ଡର୍ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ସକାଶେ କ୍ରୟ ପାଇଁ ଉପଲବ୍ଧ ହେବ । ଓଡିଆ ନବବର୍ଷ ଅବସରରେ ଭକ୍ତ ତଥା ଶ୍ରଦ୍ଧାଳୁଙ୍କୁ ଅଭିନନନ୍ଦନ ଜଣାଇବା ସହ ମହାପ୍ରଭୁଙ୍କ ପାଦପଦ୍ମରେ ସମସ୍ତଙ୍କ ପାଇଁ ଆଶୀର୍ବାଦ ଭିକ୍ଷା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

Leave A Reply

Your email address will not be published.