ବ୍ରହ୍ମପୁର, : ଏପ୍ରିଲ୍ ୧୫ ତାରିଖ ପଣା ସଂକ୍ରାନ୍ତି ପରେ ଗଞ୍ଜାମ ଜିଲ୍ଲାର ଗଣପର୍ବ ଦଣ୍ଡଯାତ୍ରା ଶେଷ ହୋଇଛି। ସେହିପରି ଗତ ୨୮ ତାରିଖରେ ଶେଷ ହୋଇଛି ବିଶ୍ବ ପ୍ରସିଦ୍ଧ ବ୍ରହ୍ମପୁରର ମା’ ବୁଢ଼ୀଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା। ଏପ୍ରିଲ୍ ୩ ତାରିଖରୁ ଆରମ୍ଭହୋଇଥିବା ଏହି ଯାତ୍ରାରେ ମା’ ୨୬ ଦିନିଆ ବାପାଘର ଓ ମାଉସୀମାଙ୍କ ଘରେ ବିଭିନ୍ନ ଲୀଳାଖେଳା ଲଗାଇ ୨୮ ତାରିଖରେ ପୁଣିଥରେ ନିଜ ମନ୍ଦିରକୁ ଫେରିଯାଇଛନ୍ତି | ମାଙ୍କ ବିଦୟ ସହ ଯାତ୍ରା ଶେଷ ପରେ ଗଞ୍ଜାମ ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳ ସହ ବ୍ରହ୍ମପୁର ମହାନଗର ଅଞ୍ଚଳରୁ ଲକ୍ଷାଧିକ ଲୋକେ ଏବେ ପେଟପାଟଣା ପାଇଁ ଦାଦନ ମୁହାଁ ହୋଇଛନ୍ତି। ଜିଲ୍ଲା ତଥା ସହରରେ ରୋଜଗାରର ବଡ଼ ଉତ୍ସ ନଥିବାରୁ ଗଞ୍ଜାମ ଜିଲ୍ଲା ଦାଦନ ଚାଲାଣର ହବ୍ ପାଲଟିଛି କହିଲେ କିଛି ଭୁଲ୍ ହେବ ନାହିଁ। ପେଟପାଟଣା ପାଇଁ ଗଞ୍ଜାମ ଜିଲ୍ଲାର ଲକ୍ଷାଧିକ ଲୋକ ରାଜ୍ୟ ବାହାରେ ଦାଦନ ଖଟୁଛନ୍ତି | ପ୍ରତିବର୍ଷ ପରି ଦଣ୍ଡଯାତ୍ରା ଓ ଚଳିତ ଥର ଦ୍ବିବାର୍ଷିକ ମା’ବୁଢ଼ୀଠାକୁରାଣୀ ଯାତ୍ରା ପଡ଼ିଥିବାରୁ ସେମାନେ ଭିଟାମାଟିକୁ ଫେରିଥିଲେ | ଦଣ୍ଡ ଓ ମା’ବୁଢ଼ୀଠାକୁରାଣୀ ଯାତ୍ରା ଦେଖିବା ପାଇଁ ଏହିସବୁ ଶ୍ରମିକମାନେ ଭିଟାମାଟିକୁ ଫେରିଥିଲେ । ଆଉ ଯାତ୍ରା ସରିବା ପରେ ଇଚ୍ଛା ନଥିଲେ ମଧ୍ୟ ପରିବାର ପ୍ରତିପୋଷଣ ପାଇଁ ଲୁହ ଛଳ ଛଳ ଆଖିରେ ବାହାର ରାଜ୍ୟକୁ ଯାଉଥିବାଦେଖିବାକୁ ମିଳିଛି। ଏଥିପାଇଁ ଗତ ୪ ଦିନ ହେଲା ବ୍ରହ୍ମପୁର ରେଳ ଷ୍ଟେସନରେ ଏହି ଦାଦନ ଶ୍ରମିକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଆଗାମୀ କିଛିଦିନ ଏହି ଭିଡ଼ ଲାଗି ରହିବ ବୋଲି ଜଣାପଡ଼ିଛି। କେବଳ ପ୍ରାପ୍ତ ବୟସ୍କ ନୁହନ୍ତି, ନାବାଳକ ଓ ନାବାଳିକାମାନେ ମଧ୍ୟ କାମଧନ୍ଦା ଆଶାରେ ଦାଦନ ଯାଉଥିବା ଦେଖିବାକୁ ମିଳିଛି। ହେଲେ ଶ୍ରମ ବିଭାଗ ପାଖରେ ଏ ନେଇ ସୂଚନା hiଅଛି ନା ନାହିଁ ତାହା ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି । ଜିଲ୍ଲାର ବିଭିନ୍ନ ଅଞ୍ଚଳର ଏହି ଶ୍ରମିକମାନେ ବ୍ରହ୍ମପୁରଷ୍ଟେସନରେ ଏକାଠି ହେଉଛନ୍ତି | ଆଉ ଏହିଠାରୁ ଦଲାଲଙ୍କ ନେତୃତ୍ବରେ ଗୁଜରାଟ, ସୁରାଟ, ଚେନ୍ନାଇ, କୋଲକାତା, ବେଙ୍ଗାଲୁରୁ, କେରଳ ଓ ହାଇଦ୍ରାବାଦ ଆଦି ଯାତ୍ରା କରୁଛନ୍ତି। ଅଧିକାଂଶ ଶ୍ରମିକ ସୁରାଟର ସୂତା କାରଖାନାକୁ ଯାତ୍ରା କରୁଥିବାବେଳେ ଅନ୍ୟମାନେ ଲୁହା ଢଳେଇ ଘରକୁ ଯାତ୍ରା କରୁଛନ୍ତି। ଆଜି ବ୍ରହ୍ମପୁର ଷ୍ଟେସନରୁ ଗୁଜରାଟ ଯାଉଥିବା ମକରା ବାରିକ, ସୁଦାମ ବରାଳ, ନିରାକର ଗୌଡ଼, ବାପି ବାଡ଼ତ୍ୟା, ପ୍ରଭାକର ବରାଡ଼ ଓ ଲିଙ୍କନ ପ୍ରଧାନ କହିଛନ୍ତି ଦଣ୍ଡଯାତ୍ରା ଓ ମା’ ବୁଢ଼ୀ ଠାକୁରାଣୀ ଯାତ୍ରାଦେଖିବା ପାଇଁ ଆସିଥିଲୁ। ଏବେ ପୁଣିଥରେ କର୍ମସ୍ଥଳକୁ ଫେରିଯାଉଛୁ। ପୁଣି ଫେରିଲା ବେଳକୁ ବର୍ଷେ ତେବେ ସେମାନେ ସମସ୍ତେ ଜଣେ ଦଲାଲ ମାଧ୍ୟମରେ କାମ କରୁଛନ୍ତି। ଯେଉଁମାନଙ୍କର ଅଭିଜ୍ଞତା ନାହିଁ ସେମାନଙ୍କୁ ଦୈନିକ ୧୨ ଘଣ୍ଟା କାମ କଲେ ମାସିକ ୧୨ ହଜାର ଟଙ୍କା ଲେଖାଏଁ ପାରିଶ୍ରମିକ ମିଳୁଛି। ଯେଉଁମାନେ ବର୍ଷେ ଦୁଇ ବର୍ଷ କାମ କଲେଣି ସେମାନଙ୍କୁ ୧୪ରୁ ୧୮ ହଜାର ଟଙ୍କା ପର୍ଯ୍ୟନ୍ତ ପାରିଶ୍ରମିକ ମିଳୁଛି। କେହି କେହି ଓଭର ଟାଇମ୍ କରି ମାସିକ ୨-୪ ହଜାର ଅଧିକ ରୋଜଗାର କରିପାରୁଛନ୍ତି। ତେବେ ଯେଉଁ ଦଲାଲଙ୍କ ମାଧ୍ୟମରେ ସେମାନେ କାମ କରିବାକୁ ଯାଉଛନ୍ତି ସେ ପ୍ରତି ଶ୍ରମିକଙ୍କ ମାସିକ ପାରିଶ୍ରମିକରୁ ୨ରୁ ୩ ହଜାର ଟଙ୍କା ନେଉଥିବା ସେମାନେ ପ୍ରକାଶ କରିଥିଲେ। କେତେଦିନ ଏମିତି ଭିଟାମାଟି ଛାଡ଼ି ବାହାର ରାଜ୍ୟରେ ଖଟିବ ବୋଲି ପ୍ରଶ୍ନ କରିବାରୁ ସେମାନେ କହିଥିଲେ, କ’ଣ କରିବା, ବାହାରକୁ ଯିବାପାଇଁ ଆଦୌ ଇଚ୍ଛାନାହିଁ। ହେଲେ ଏଠି ବସିଲେ କିଏ ଖାଇବାକୁ ଦେବ ? ଘରର ଦୁଃଖ ଧନ୍ଦା କିପରି ହେବା ବିଜେଡି ସରକାର ୨୪ ବର୍ଷ ସରକାରରେ ରହି ତ କିଛି କଲେନି। ନୂଆ ସରକାର ଆସିବାକୁ ବର୍ଷେ ପୁରିବାକୁ ଯାଉଛି। ନୂତନ ସରକାର ଏବେ ପର୍ଯ୍ୟନ୍ତ ଆମପ୍ରତି କିଛି କରୁଥିବାପରି ମନେ ହେଉନାହିଁ। ତେଣୁ ଉପାୟ ନପାଇ ବାହାରକୁ ଯିବା ପାଇଁ ବାଧ୍ୟ ହେଉଛୁ।