କେନ୍ଦୁଝର, ୧୧ା୧୧: ଆନ୍ତର୍ଜାତୀୟ କ୍ଷୁଦ୍ରଶସ୍ୟ(ମିଲେଟ୍) ସମ୍ମିଳନୀ ଭୁବନେଶ୍ୱରର ଜନତା ମୈଦାନଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରି ଚାଷୀଙ୍କ ଆୟ ବୃଦ୍ଧି ଓ ଜୀବିକା ନିର୍ବାହ ପାଇଁ ୨୫୦୦ କୋଟି ମାଣ୍ଡିଆ ଚାଷ ପାଇଁ ବ୍ୟୟବରାଦ ହୋଇଛି ଓ ଏଥିସହ ମାଣ୍ଡିଆ ସଂଗ୍ରହ ଚାଷୀମାନଙ୍କଠାରୁ ମଣ୍ଡି ମାଧ୍ୟମରେ କରାଯାଉଛି ବୋଲି ମତ ଦେଇଥିଲେ । ଏହି ସମ୍ମିଳନୀରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ,କେନ୍ଦ୍ର କୃଷି ଓ ଗବେଷଣା ପ୍ରତିଷ୍ଠାନ ଡି.ଜି. ହିମାଂଶୁ ପାଠକ, ଉନ୍ନୟନ କମିଶନର ଅନୁ ଗର୍ଗ,କୃଷି ଓ କୃଷକ ସଶକ୍ତିକରଣ ସଚିବ ଡ଼ ଅରବିନ୍ଦ ପାଢୀ, କୃଷି ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚାନ୍ଦ ଚୌଧୁରୀ ଯୋଗ ଦେଇଥିଲେ । ଏହି ଆନ୍ତର୍ଜାତୀୟ ସମ୍ମିଳନୀରେ ମିଲେଟ ର ଭବିଷ୍ୟତକୁ ନେଇ ଏକ ରୋଡ ମ୍ୟାପ୍ ପ୍ରସ୍ତୁତ କରାଯାଇଥିଲା ଏବଂ ଏହା ଆଧୁନିକ ସମାଜର ଖାଦ୍ୟ ପ୍ରଣାଳୀରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମତ ପ୍ରକାଶ ପାଇଥିଲା । ଏହି କାର୍ଯ୍ୟକ୍ରମରେ ଶ୍ରେଷ୍ଠ ମିଲେଟ ସହଯୋଗୀ ସଂସ୍ଥା ଭାବେ କେନ୍ଦୁଝରର ‘ତଦାଶା’ କୁ ସମ୍ମାନୀତ କରାଯାଇଥିଲା । ତଦାଶା ଭାରପ୍ରାପ୍ତ ସଂପାଦକ ଅକ୍ଷୟ କୁମାର ଚକ୍ର ଯୋଗଦେଇ ପୁରସ୍କାରରେ ମାନପତ୍ର ଓ ଉତ୍ତରୀୟ ଗ୍ରହଣ କରିଥିଲେ । ୫ ଜଣ ଚାଷୀ ଓ ସାମଗ୍ରିକ ଉନ୍ନତି ପାଇଁ ସୁନ୍ଦରଗଡ, କୋରାପୁଟ, ରାୟଗଡା ଓ ନୂଆପଡା ଜିଲ୍ଲାକୁ ମଧ୍ୟ ସମ୍ମାନୀତ କରାଯାଇଥିଲା । କେନ୍ଦୁଝର ଜିଲା ପ୍ରଶାସନ ବିଶେଷ କରି ଜିଲାପାଳ ଆଶିଷ ଠାକ୍ରେ, ଜିଲା ମୁଖ୍ୟ କୃଷି ଅଧିକାରୀ ମିହିର କୁମାର ସାହୁ ଓ କାର୍ଯ୍ୟନିର୍ବାହୀ ସଂସ୍ଥା ୱାସନଙ୍କ ସମ୍ମିଳିତ ପ୍ରଚେଷ୍ଠାରେ ସମଗ୍ର ରାଜ୍ୟରେ ମିଲେଟ କାର୍ଯ୍ୟକ୍ରମରେ ତଦାଶା ତଥା କେନ୍ଦୁଝର ଜିଲା ପ୍ରଶଂସିତ ହୋଇଛି ବୋଲି ଅକ୍ଷୟ ,କୁମାର ଚକ୍ର ପ୍ରକାଶ କରିଛନ୍ତି । ଏଥିସହ ଆୟୋଜିତ ଜିଲାସ୍ତରୀୟ ୨ ଦିନିଆ ଆନ୍ତର୍ଜାତୀୟ ମିଲେଟ ସମ୍ମିଳନୀରେ ତଦାଶାର ରାମେଶ୍ୱର ସ୍ୱୟଂ ସହାୟକ ଗୋଷ୍ଠୀ, ଓରାଳିକୁ ଶ୍ରେଷ୍ଠ ଏସ୍ଏଚ୍ଜି ଓ ଶ୍ରେଷ୍ଠ ଚାଷୀ ଭାବେ ସଙ୍କଟପାଲିଆ ଗ୍ରାମର ମୋହନ ବିରୁଆଙ୍କୁ ପୁରସ୍କୃତ କରାଯାଇଥିଲା । ଭୁବନେଶ୍ୱରରେ ଆୟୋଜିତ ୨ ଦିନିଆ ଆନ୍ତର୍ଜାତୀୟ ମିଲେଟ ସମ୍ମିଳନୀର ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ରଘୁବର ଦାସ ଯୋଗଦେଇ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ । ତଦାଶା ବର୍ତ୍ତମାନ କ୍ଷୁଦ୍ରଶସ୍ୟ ର ସହଯୋଗୀ ସଂସ୍ଥା ଭାବେ ହାଟଡିହୀ ବ୍ଲକରେ କାର୍ଯ୍ୟ କରୁଛି ।