ଚୀନ୍ ସାମଗ୍ରୀକୁ ବାଏ ବାଏ..

0 91

ମହାମାରୀ କରୋନାର ତାଡ଼ନା ବିଶ୍ୱବାସୀଙ୍କ ପାଇଁ ଅସହ୍ୟ ହୋଇପଡ଼ିଥିବା ବେଳେ ଏବେ ଚୀନ୍ ନିଜର ସାମ୍ରାଜ୍ୟ ବିସ୍ତାର ପାଇଁ ଚକ୍ରାନ୍ତ ଚଳାଇଛି । ପ୍ରଥମେ ହୁଏତ ଚୀନ୍ର ଆଖି ଭାରତ ଉପରେ ପଡ଼ିଛି । ଭାରତକୁ ନିଜ ଅକ୍ତିଆରକୁ ନେବା ପାଇଁ ଚୀନ୍ ହୀନ ଉଦ୍ୟମ କରୁଥିବାରୁ ଏବେ ଏହାର କଡ଼ା ଜବାବ ଦେବାକୁ ପ୍ରତ୍ୟେକ ଭାରତୀୟ ଅଣ୍ଟା ଭିଡ଼ିବା ଆରମ୍ଭ କଲେଣି । ସୀମାରେ ୨୦ଜଣ ଭାରତୀୟ ଯବାନଙ୍କୁ ଚୀନ୍ ଯେଭଳି ବର୍ବରୋଚିତ ଆକ୍ରମଣ କରିଛି ତାହା ଶୁଣିବା ପରେ ପ୍ରତିଟି ଭାରତୀୟଙ୍କ ଲୋମ ଟାଙ୍କୁରି ଉଠୁଛି । ତାରଯୁକ୍ତ କଣ୍ଟାଗୋଳାରେ ଭାରତୀୟ ଯବାନଙ୍କୁ ଆକ୍ରମଣ କରିବା ଚୀନ୍ର ପଶୁତ୍ୱକୁ ପଦାରେ ପକାଇଛି । ଆଜି ସମଗ୍ର ଭାରତବର୍ଷ ୨୦ ସହିଦ ଯବାନଙ୍କ ହିସାବ ମାଗୁଛି । ଦିଲ୍ଲୀରୁ ପଲ୍ଲୀଯାଏଁ ସବୁଠି ଅସନ୍ତୋଷର ନିଅାଁ ଜଳୁଛି । ଗୋଟିଏପଟେ ଭାରତ ଶାନ୍ତି ଚାହୁଁଥିବା ବେଳେ ଚୀନ୍ ସୀମାରେ ସେନାବଳ ଛାଉଣି କରିସାରିଲାଣି । ଉଚ୍ଚ ପର୍ବତଶୃଙ୍ଗରେ ଚୀନ୍ ଯବାନମାନେ ପ୍ରତ୍ୟେକ ଦିନ ଯୁଦ୍ଧାଭ୍ୟାସ ଚଳାଇଛନ୍ତି । ସ୍ଥଳ, ଜଳ ଓ ଆକାଶପଥରେ ଚୀନ୍ ଯେଭଳି ରଣନୀତି ପ୍ରସ୍ତୁତି ଚଳାଇଛି ତାହା ଦେଖିବା ପରେ ଚୀନ୍ ଯେ ଭାରତ ସହ ଶାନ୍ତି ଚାହୁଁଛି ତାହା ଭାବିବା ଭୁଲ୍ । ଭାରତ ବି ଉପଯୁକ୍ତ ଜବାବ ଦେବା ପାଇଁ ହଜାର ହଜାର ସୈନିକଙ୍କ ସହ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସୀମାରେ ମୁତୟନ କରିସାରିଲାଣି । ‘ଯେସାକୁ ତେସା’ ନୀତିରେ ମୋଦୀ ସରକାର ବି ଯବାନଙ୍କ ପ୍ରାଣବଳି ବ୍ୟର୍ଥ ଯିବନାହିଁ ବୋଲି ଆହ୍ୱାନ ଦେଇସାରିଛନ୍ତି । ଭାରତୀୟ ଯବାନ ସୀମା ସୁରକ୍ଷାରେ ଲାଗିଛନ୍ତି, ସରକାର ବି ଶତଚେଷ୍ଟିତ । ଆଉ ବାକି ରହିଲା ସାଧାରଣ ଭାରତୀୟ ଜନତାଙ୍କ କର୍ତ୍ତବ୍ୟ । ଏପରି ସ୍ଥିତିରେ ସାଧାରଣ ଜନତା ରଣଭୂମି ନହେଲା ନାହିଁ ‘କମ୍ ସେ କମ୍ ଏକ ସଚ୍ଚା’ ଭାରତୀୟ ଭାବେ ଚୀନ୍କୁ କିପରି ଜବାବ ଦେବେ ତାହା ଚିନ୍ତା କରିବାର ସମୟ ଆସିଯାଇଛି । ବର୍ତ୍ତମାନ ଆମେ ଦୈନନ୍ଦୀନ ବ୍ୟବହାର କରୁଥିବା ଚୀନ୍ ନିର୍ମିତ ସାମଗ୍ରୀକୁ ବର୍ଜନ କରିବା ପାଇଁ ଦୃଢ଼ ସଂକଳ୍ପ ନେବା ଉଚିତ୍ । କାରଣ ଯେଉଁ ଚୀନ୍ ଭାରତକୁ ଏକ ବୃହତ୍ ବଜାର ଭାବି ନିଜ ସାମଗ୍ରୀ ବିକ୍ରି କରି ଧନଶାଳୀ ଓ ଶକ୍ତିଶାଳୀ ରାଷ୍ଟ୍ର ହେବାରେ ଲାଗିଛିି, ତାହାର ସେହି ଦମ୍ଭକୁ ଭାଙ୍ଗିରୁଜି ଚୁର୍ମାର କରିଦେବାର ବେଳ ବର୍ତ୍ତମାନ ଆସିଯାଇଛି । ଯଦି ପ୍ରତିଟି ଭାରତୀୟ କୌଣସି ବି ଚାଇନା ସାମଗ୍ରୀ ବ୍ୟବହାର ନକରିବେ ତେବେ ଚୀନ୍ର ଅର୍ଥନୀତି ଭୁଶୁଡ଼ିବାକୁ ବେଶୀ ସମୟ ଲାଗିବ ନାହିଁ । ସ୍ୱଦେଶୀ ସାମଗ୍ରୀ ବ୍ୟବହାର କରିବା ଉପରେ ଆମ ସମସ୍ତଙ୍କୁ ଅଭ୍ୟସ୍ତ ହେବାର ସମୟ ଆସିଯାଇଛି । ଭାରତର ଜନସଂଖ୍ୟାକୁ ଯଦି ବିଚାରକୁ ନିଆଯାଏ ତେବେ ଭାରତୀୟ ସାମଗ୍ରୀ ଆମ ଦେଶରେ ହିଁ ଠିକ୍ ଭାବେ ଉପଯୋଗ ହୋଇପାରିବ । ଭାରତୀୟମାନେ ଚାହିଁଲେ ସେମାନେ ବି ଚୀନ୍ ଭଳି ନିଜର ଉତ୍ପାଦିତ ସାମଗ୍ରୀ ବିଶ୍ୱ ବଜାରରେ ବିକ୍ରି କରି ବେଶ୍ ଲାଭବାନ୍ ହୋଇପାରିବେ । ଗୋଟିଏପଟେ କରୋନାକୁ ନେଇ ସାରା ବିଶ୍ୱ ଚୀନ୍ ଉପରେ କ୍ଷୁବ୍ଧ ରହିଥିବା ବେଳେ ଖାଲି ମଉକାକୁ ଅପେକ୍ଷା କରିଛନ୍ତି ବିଶ୍ୱବାସୀ । ଭାରତ ପାଇଁ ଏହାଠାରୁ ବଳି ସୁବର୍ଣ୍ଣ ସୁଯୋଗ ଆଉ କିଛି ବି ହୋଇନପାରେ । ବିଶ୍ୱର ବହୁ ଶକ୍ତିଶାଳୀ ରାଷ୍ଟ୍ର ଭାରତକୁ ପରୋକ୍ଷରେ ସହାୟତା ଦେବା ପାଇଁ ଆଗେଇ ଆସିଲେଣି । ତେଣୁ ପ୍ରଥମ ପର୍ଯ୍ୟାୟରେ ଭାରତୀୟମାନେ ଚୀନ୍ ଦ୍ୱାରା ପ୍ରସ୍ତୁତ ସମସ୍ତ ସାମଗ୍ରୀକୁ ବର୍ଜନ କରିବା ପାଇଁ ବଜ୍ର ଶପଥ ନେଲେ ତାହା ହିଁ ଚୀନ୍କୁ ଉପଯୁକ୍ତ ଶିକ୍ଷା ବୋଲି ପ୍ରମାଣିତ ହୋଇପାରିବ ।

Leave A Reply

Your email address will not be published.