ଭୁବନେଶ୍ୱର, : ରାଜ୍ୟ ସରକାର ଏସସିବି ମେଡିକାଲ କଲେଜର ଅସ୍ଥିମଜ୍ଜା ପ୍ରତିରୋପରଣ ୟୁନିଟ୍ (ବିଏମଟି)ରେ ହାପ୍ଲୋଆଇଡେଣ୍ଟିକାଲ ପ୍ରତିରୋପଣ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛନ୍ତି । ଏହାଦ୍ୱାରା ଅର୍ଦ୍ଧ ମେଳ ଖାଉଥିବା ଡୋନର୍ମାନେ ମଧ୍ୟ ପ୍ରତିରୋପଣରେ ସାମିଲ ହୋଇପାରିବେ । ପିତାମାତା, ପିଲା, ଦାଦା, ସଂପର୍କୀୟ ଭାଇଉଉଣୀ ଓ ଖୁଡ଼ି ମଧ୍ୟ ଡୋନର ହୋଇପାରିବେ । ବର୍ତ୍ତମାନ ସୁଦ୍ଧା ଏସସିବିର ବିଏମଟି ୟୁନିଟରେ ୧୦୦ରୁ ଅଧିକ ପ୍ରତିରୋପଣ ହୋଇସାରିଛି । ଇଣ୍ଡିଆନ୍ ସୋସାଇଟି ଅଫ ହେମାଟୋଲୋଜି ଏଣ୍ଡ ବ୍ଲଡ୍ ଟ୍ରାନ୍ସଫ୍ୟୁଜନ ପକ୍ଷରୁ
୬୪ତମ “ହେମାଟୋକନ-୨୦୨୩’ ଶନିବାର ଉଦ୍ଘାଟିତ ହୋଇଛି । କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ, ଦେଶରେ ରକ୍ତହୀନତା, ରକ୍ତ କର୍କଟ
ଓ ରକ୍ତସ୍ରାବ ରୋଗ ଇତ୍ୟାଦି ଏକ ବଡ଼ ଜନସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଛି । ସ୍ୱାସ୍ଥ୍ୟ ସମସ୍ୟାରେ ସୁଧାର ଆଣିବାକୁ ହେଲେ ବିସ୍ତୃତଭାବେ ଏହା ଉପରେ ପଦକ୍ଷେପ ନେବା ଜରୁରି । ସନ୍ତୁଳିତ ପୁଷ୍ଟିକର ଖାଦ୍ୟ ଓ ଏହାର ସାମଗ୍ରିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ସଂପର୍କରେ ଲୋକମାନଙ୍କ ମଧ୍ୟରେ ସଚେତନତା ଆବଶ୍ୟକ । ଏହି ସମ୍ମିଳନୀ ଜଟିଳ ରକ୍ତ ସମସ୍ୟାର ସମାଧାନ ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ପୂଜାରୀ କହିଥିଲେ । ଡିଏମ୍ଇଟି ଡା.ସଚ୍ଚିଦାନନ୍ଦ ମହାନ୍ତି କହିଥିଲେ, ଏସସିବି ମେଡିକାଲ କଲେଜରେ ଦେଶର ଦ୍ୱିତୀୟ ସର୍ବ ପୁରାତନ ହେମାଟୋଲୋଜି ବିଭାଗ ରହିଛି । ପୂର୍ବରୁ ଏଠାରେ ମେଳ ଖାଉଥିବା ଭାଇଭଉଣୀଙ୍କର ପ୍ରତିରୋପଣ କରାଯାଇଛି । ଆଗକୁ ହାପ୍ଲୋ ପଦ୍ଧତି ଆରମ୍ଭ ହେବ । ବିଏମଟି ପଦ୍ଧତ୍ତି ସଂପୂର୍ଣ୍ଣ ମାଗଣା ଥିବା ସେ କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ସଂପାଦକ ପ୍ରଫେସର ଟି.କେ ଦଳାଇ, ସନାଜ ଖୋଦେଜୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ପ୍ରଫେସର ଭି.ପି ଚେଧୁରୀଙ୍କୁ ଜୀବନବ୍ୟାପୀ ସାଧାନ ପାଇଁ ପୁରସ୍କୃତ କରାଯାଇଥିଲା । ହେମାଟୋଲୋଜିରେ ଅବଦାନ ପାଇଁ ଏସସିବି ମେଡିକାଲ କଲେଜର ହେମାଟୋଲୋଜି ବିଭାଗର ପୂର୍ବତନ ମୁଖ୍ୟ ପ୍ରଫେସର ଉପେନ୍ଦ୍ର ନାୟକ ମଧ୍ୟ ସମ୍ବର୍ଦ୍ଧିତ ହୋଇଥିଲେ । ହେମାଟୋକନ୍-୨୦୨୩ର ସାଂଗଠନିକ ସଂପାଦକ ଡା. ଆର୍କେ ଜେନା, ସଭାପତି ଡା. ଏଚପି ପତି ଓ ଅନ୍ୟମାନେ ଉପସ୍ଥିତ ଥିଲେ ।
Next Post