ନୂଆଦିଲ୍ଲୀ,୧୦ା୧୨ : ଧାରା ୩୭୦ ମାମଲାର ଆସନ୍ତା କାଲି ଆସିବ ସୁପ୍ରିମ ରାୟ । ଜମ୍ମୁ-କାଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ଦେଉଥିବା ସମ୍ବିଧାନର ଧାରା ୩୭୦କୁ କେନ୍ଦ୍ର ସରକାର ଉଚ୍ଛେଦ କରିଥିବା ବେଳେ ଏହି ନିଷ୍ପତ୍ତି ବିରୋଧରେ ଦାଖଲ ବିଭିନ୍ନ ଆବେଦନ ଉପରେ ରାୟ ପ୍ରଦାନ କରିବେ ସୁପ୍ରିମକୋର୍ଟ । ଏହା ପୂର୍ବରୁ ସେପ୍ଟେମ୍ବର ମାସରେ କ୍ରମାଗତ ୧୬ ଦିନ ଧରି ସମସ୍ତ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଥିଲେ । ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ. ଚନ୍ଦ୍ରଚୂଡ଼, ଜଷ୍ଟିସ୍ ସଞ୍ଜିବ କିଷାନ କୌର, ଜଷ୍ଟିସ୍ ସଞ୍ଜିବ ଖାନା, ଜଷ୍ଟିସ୍ ବି.ଆର୍.ଗଭାଇ ଏବଂ ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ୫ ଜଣିଆ ସମ୍ବିଧାନ ବେଞ୍ଚ ଏହାର ଶୁଣାଣି କରିଥିଲେ । ୧୬ ଦିନ ଧରି ଶୁଣାଣି ସମୟରେ ଆଟର୍ଣ୍ଣିଂ ଜେନେରାଲ ଆର୍. ଭେଙ୍କଟ ରମଣୀ, ସଲିସିଟର ଜେନେରାଲ ତୁଷାର ମେହେଟ୍ଟା, ବରିଷ୍ଠ ଆଡ଼ଭୋକେଟ୍ ହରିଷ ସାଲଭେ, ରାକେଶ ଦ୍ୱିବେଦୀ ଏବଂ ଅନ୍ୟମାନେ ଧାରା ୩୭୦ ଉଚ୍ଛେଦ ସପକ୍ଷରେ ଦୃଢ଼ ଯୁକ୍ତି ରଖିଥିଲେ । ଧାରା ୩୭୦ ସଂକ୍ରାନ୍ତ କେନ୍ଦ୍ର ନିଷ୍ପତ୍ତିର ସାମ୍ବିଧାନିକ ବୈଧତା, ଜାମ୍ମୁ-କାଶ୍ମୀର ପୁନଃର୍ଗଠନ ଆଇନ ବୈଧତା, ୨୦୧୮ରେ ରାଷ୍ଟ୍ରପତିଙ୍କ ଶାସନ ଲାଗୁ ଏବଂ ୩ ଜୁଲାଇ ୨୦୧୯ରେ ଏହାର ସଂପ୍ରସାରଣ ସମେତ ବିଭିନ୍ନ ପ୍ରସଙ୍ଗରେ ଉଭୟ ପକ୍ଷର ଓକିଲମାନେ ସେମାନଙ୍କ ଯୁକ୍ତି ରଖିଥିଲେ । ଅନ୍ୟପକ୍ଷରେ ଧାରା ୩୭୦ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ସବୁ ରାଜନୈତିକ ଦଳ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ଜାମ୍ମୁ-କାଶ୍ମୀର ବିଜେପି ଅଧ୍ୟକ୍ଷ ରବୀନ୍ଦ୍ର ରୈନା । ସୁପ୍ରିମକୋର୍ଟଙ୍କ ରାୟକୁ ସବୁ ଦଳ ସମର୍ଥନ ଓ ଗ୍ରହଣ କରିବା ଉପରେ ସେ ଜୋର ଦେଇଛନ୍ତି । ସେହିପରି ଆସନ୍ତା କାଲିର ସୁପ୍ରିମ ରାୟର ଅପେକ୍ଷାରେ ଥିବା କହିଛନ୍ତି ନ୍ୟାସନାଲ କନ୍ଫରେନ୍ସ ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା । ୨୦୧୯ରେ ଧାରା ୩୭୦କୁ ଚ୍ୟାଲେଞ୍ଜ କରିଥିଲେ ନ୍ୟାସନାଲ କନ୍ଫରେନ୍ସ । ସୁପ୍ରିମକୋର୍ଟରୁ ନ୍ୟାୟ ମିଳିବ ବୋଲି ଓମାର ଆଶାବାଦୀ ଥିବା କହିଛନ୍ତି ।