0 113

ଛତିଶଗଡ଼,: ଛତିଶଗଡ଼ର ନାରାୟଣପୁର ଜିଲ୍ଲାର ଅବୁଝମାଡ଼ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୨୭ରୁ ଅଧିକ ନକ୍ସଲଙ୍କ ମୃତ୍ୟୁ ଘଟିଛି । ଏହି ଏନକାଉଣ୍ଟର ବେଳେ ଜଣେ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ଜଣେ ଯବାନ ଆହତ ହୋଇଛନ୍ତି । ଆହତ ଯବାନ ବିପଦମୁକ୍ତ ଅଛନ୍ତି । ଅବୁଝମାଡ଼ ଜଙ୍ଗଲରେ ନକ୍ସଲଙ୍କର କିଛି ଟପ୍ ନେତା ଉପସ୍ଥିତ ଥିବା ନେଇ ଛତିଶଗଡ଼ ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ଏହି ସୂଚନା ଆଧାରରେ ନାରାୟଣପୁର, ବିଜାପୁର ଓ ଦନ୍ତେୱାଡା ଜିଲ୍ଲାର ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ (ଡିଆରଜି) ଯବାନମାନେ ବୁଧବାର ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ସର୍ଚ୍ଚ ଅପରେସନ ବେଳେ ସେମାନେ ନକ୍ସଲମାନଙ୍କୁ ଘେରି ଯାଇଥିଲେ । ଏହା ପରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ୨୭ରୁ ଅଧିକ ନକ୍ସଲଙ୍କ ମୃତ୍ୟୁ ଘଟିଥିବା ବେଳେ କିଛି ଟପ୍ ନକ୍ସଲ ମଧ୍ୟ ଥିବା କୁହାଯାଉଛି । ଏନକାଉଣ୍ଟର ଶେଷ ହୋଇଥିବା ବେଳେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ଏହି ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ନକ୍ସଲ ନେତା ନମ୍ବାଲା କେଶବ ରାଓ ଓରଫ ବାସବରାଜର ମଧ୍ୟ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । କିନ୍ତୁ ଖବର ଲେଖାଯିବା ସୁଦ୍ଧା ଏନେଇ ଛତିଶଗଡ଼ ପୋଲିସ ତରଫରୁ କିଛି ସ୍ପଷ୍ଟ କରାଯାଇନାହିଁ । ବାସବରାଜ ମୁଣ୍ଡ ଉପରେ ଦେ କୋଟି ଟଙ୍କାର ପୁରସ୍କାର ରାଶି ଥିଲା । କେନ୍ଦ୍ରୀୟ ମାଓ ସଂଗଠନର ଅନ୍ୟତମ ତୁଙ୍ଗ ନେତା ଥିଲା ବାସବରାଜ । ସିପିଆଇ ମାଓବାଦୀର ସେ ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରୁଥିଲା । ନକ୍ସଲ ନେତା ଗଣପତିଙ୍କ ପରେ ୨୦୧୮ରୁ ସାଧାରଣ ସଂପାଦକ ଦାୟିତ୍ୱରେ ଥିଲା ବାସବରାଜ । ଏନଆଇଏର ମୋଷ୍ଟ ୱାଣ୍ଟେଡ ତାଲିକାରେ ଥିବା ବାସବରାଜ ମୁଣ୍ଡରେ ଥିଲା ଦେଢ କୋଟ ଟଙ୍କାର ପୁରସ୍କାର ରାଶି । ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନା ସରକାରଙ୍କ ପାଇଁ ସେ ଥିଲା ମୋଷ୍ଟ ୱାଣ୍ଟେଡ୍ । ମାଓବାଦୀ କେନ୍ଦ୍ରୀୟ ସାମରିକ କମିଶନ (ସିଏମସି)ର ମୁଖ୍ୟ ଥିଲା ବାସବରାଜ । ଗରିଲା ଯୁଦ୍ଧ, ସାମରିକ କୌଶଳ ଓ ଆଇଇଡି ପ୍ରସ୍ତୁତିରେ ବେଶ୍ ଦକ୍ଷ ଥିଲା ସେ । ଏକାଧିକ ବଡ଼ ମାଓ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା ବାସବରାଜ । ୨୦୧୦ ଦାନ୍ତେୱାଡ଼ା ହମଲା (୭୬ ସିଆରପିଏଫ୍ ଯବାନ ନିହତ), ୨୦୧୩ ଜୀରାମ ଘାଟି ହମଲା (ବହୁ ରାଜନେତାଙ୍କ ସହ ୨୭ ନିହତ), ୨୦୧୮ରେ ଆରାକୁର ଜଣେ ବିଧାୟକ ଓ ଜଣେ ପୂର୍ବତନ ବିଧାୟକଙ୍କୁ ହତ୍ୟାରେ ତା\’ର ସଂପୃକ୍ତି ଥିଲା । ୧୯୫୫ରେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ଜିୟାନ୍ନାପେଟ ଗାଁରେ ଜନ୍ମ ହୋଇଥିଲା ବାସବରାଜ । ୱାରେଙ୍ଗଲର ରିଜିଓନାଲ ଇଞ୍ଜିନିୟରିଂ କଲେଜରୁ ବି.ଟେକ୍ ଡିଗ୍ରୀ ହାସଲ କରିଥିଲା । ୧୯୭୦ ଦଶକରେ ଆରଏସୟୁ ଜରିଆରେ ବାମପନ୍ଥୀ ଛାତ୍ର ରାଜନୀତିରେ ଯୋଗ ଦେଇଥିଲା । ପରେ ସିପିଆଇ-ଏମଏଲ୍ ପିପୁଲ୍ସ ୱାର ଗ୍ରୁପରେ ସାମିଲ ହୋଇଥିଲା । ୧୯୭୦ ଦଶକର ଶେଷ ଭାଗରୁ ମାଓ ସଂଗଠନରେ ସକ୍ରିୟ ଥିଲା । ୧୯୮୭ରେ ଏଲଟିଟିଇ ଯୋଦ୍ଧାଙ୍କ ସହ ପ୍ରଶିକ୍ଷଣ ନେଇଥିଲା । ଆକ୍ରମଣ କୌଶଳ ଓ ବିସ୍ଫୋରକ ପରିଚାଳନାରେ ସେ ଖୁବ୍ ଦକ୍ଷ ଥିଲା । ଛତିଶଗଡ଼, ତେଲଙ୍ଗାନା, ମହାରାଷ୍ଟ୍ର ଓ ଆନ୍ଧ୍ର-ଓଡ଼ିଶା ସୀମା ନକ୍ସଲ କାର୍ଯ୍ୟକଳାପରେ ସକ୍ରିୟ ଥିଲା । ବେଶ୍ କିଛି ଦିନ ଧରି ଛତିଶଗଡ଼ର ଅବୁଝମାଡ଼ ଅଞ୍ଚଳରେ ଆତ୍ମଗୋପନ କରିଥିଲା । ସୂଚନାଯୋଗ୍ୟ, ଦୁଇ ସପ୍ତାହ ପୂର୍ବରୁ ତେଲଙ୍ଗାନା ସୀମାରେ ଛତିଶଗଡ଼ର ବିଜାପୁର ଜିଲ୍ଲାର କରେଗୁଟ୍ଟା ହିଲ୍ସରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୧୫ ଜଣ ନକ୍ସଲ ନିହତ ହୋଇଥିଲେ ।

Leave A Reply

Your email address will not be published.