ଚାଷୀଙ୍କ ଲାଗି କ୍ଷୀର ଲିଟର ପିଛା ବଢିଲା ୩ଟଙ୍କା

0 51

ଭୁବନେଶ୍ୱର,: ଜୁନ ୧ରୁ ଓମଫେଡ୍ ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୩ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ । ରାଜ୍ୟସ୍ତରୀୟ ବିଶ୍ୱ ଦୁଗ୍ଧ ଦିବସ -୨୦୨୫ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରମ ମାଝୀ ଘୋଷଣା କରିବା ପରେ ଓମଫେଡ୍ ଚାଷୀଙ୍କୁ ଲିଟରେ ପିଛା ୩ ଟଙ୍କା ଅଧିକ ଦେବା ଆରମ୍ଭ କରିଛି । ରାଜ୍ୟ ସରକାର ଚାଷୀଙ୍କୁ ୨ଟଙ୍କା ଓ ଓମଫେଡ୍‌ ପକ୍ଷରୁ ଆଉ ୨ଟଙ୍କା ପ୍ରଦାନ କରାଯିବ । ଚାଷୀ ୩ ଟଙ୍କା ପାଇବାକୁ ଥିବାବେଳେ ସୋସିଇଟି ଓ ମିଲ୍କ ଫେଡରେସନକୁ ଏକ ଟଙ୍କା ମିଳିବ । ଏବେ ଗ୍ରାହକଙ୍କ ଲାଗି କ୍ଷୀର ଦର ବଢିବ ନାହିଁ । ସେନେଇ ଓମଫେଡ୍‌ର କମିଟି ବସିବା ସହ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ । ଗ୍ରାହକଙ୍କ ଲାଗି କ୍ଷୀର ଦର ବଢିବ କି ନାହିଁ ସେନେଇ କମିଟି ବିଚାର କରିବା ପରେ ଓମଫେଡ୍ ପକ୍ଷରୁ ବିଧିବଦ୍ଧ ସୂଚନା ଜାରି କରାଯିବ । ୧୫ରୁ ୨୦ ଦିନ ମଧ୍ୟରେ ଚୁଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଓମଫେଡ୍‌଼ ପରିଚାଳନା ନିର୍ଦେଶକ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି । ରାଜ୍ୟସ୍ତରୀୟ ବିଶ୍ୱ ଦୁଗ୍ଧ ଦିବସ -୨୦୨୫ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରମ ମାଝୀ ଓମଫେଡର ତିନୋଟି ନୂଆ ପ୍ରଡକ୍ଟର ଶୁଭାରମ୍ଭ କରିଛନ୍ତି । ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଓମଫେଡ୍ ୧ କେଜିଆ ସାଧା ଦହି ବାଲଟି ବଜାରକୁ ଛାଡିଛି । କେବଳ ଦହି ନୁହେଁ, ୧୭୫ ମିଲି ଲିଟର ଓ ୩୫୦ ମିଲି ଲିଟର ବିଞ୍ଝାରପୁରୀ ଦେଶୀ ଗାଈ ଏ୨ ଘିଅ ପ୍ୟାକ୍ ମଧ୍ୟ ବଜାରରେ ଉପଲବ୍ଧ ହେଉଛି । ଏହା ସହିତ ଓମଫେଡ୍‌ର ବିଞ୍ଝାରପୁରୀ ଦେଶୀ ଗାଈ ଏ୨ ଦୁଗ୍ଧ ମଧ୍ୟ ବଜାରରେ ପ୍ରବେଶ କରିଛି । କାଚ ବୋତଲରେ ୫୦୦ ମିଲି ଲିଟର ପ୍ୟାକ୍‌ ବଜାରକୁ ଆସିଛି । ଏହି ଏ୨ ଦୁଗ୍ଧ ଦୀର୍ଘ ୯୦ ଦିନ ପର୍ଯ୍ୟନ୍ତ ରହିପାରିବ । ଆଗାମୀ ଦିନରେ ଓମଫେଡ୍ ଆହୁରି କିଛି ନୂଆ ଉତ୍ପାଦ ବଜାରକୁ ଆଣିବାକୁ ଯାଉଥିବା ନିର୍ଦ୍ଦେଶକ କହିଛନ୍ତି । ମୁଖ୍ୟମନ୍ତ୍ରୀ ଓମଫେଡ୍‌ ଦୁଗ୍ଧ ଚାଷୀଙ୍କ ପାଇଁ ଲିଟଲ ପିଛା ୩ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି । ଏହା ଫଳରେ ରାଜ୍ୟର ୨.୫୦ ଲକ୍ଷ ଚାଷୀ ଉପକୃତ ହେବେ । ଏ ବାବଦରେ ରାଜ୍ୟ ସରକାର ୪୦ରୁ ୪୨ କୋଟି ଟଙ୍କା ବାର୍ଷିକ ବ୍ୟୟ କରିବେ । ଏଥିପାଇଁ ଓମଫେଡ୍ ଏବଂ ଓମଫେଡ୍ ଦୁଗ୍ଧ ଚାଷୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପୂର୍ବରୁ ଦୁଗ୍ଧର ତିରୋଟ ସମୟରେ (ସେପ୍ଟେମ୍ବରରୁ ଫେବୃଆରୀ) ୬ ମାସ ପାଇଁ ଦୁଗ୍ଧର ମାନ ଅନୁଯାୟୀ ଓମଫେଡ୍‌ ଦୁଗ୍ଧ ଚାଷୀମାନଙ୍କୁ ୧ରୁ ୫ ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ସିଧାସଳଖ ଡିବିଟି ମାଧ୍ୟମରେ ପ୍ରଦାନ କରାଯାଉଥିବା ନିର୍ଦ୍ଦେଶକ କହିଛନ୍ତି । ଅପରପକ୍ଷେ ମୁଖ୍ୟମନ୍ତ୍ରୀ ଓମଫେଡ ଦୁଗ୍ଧ ଚାଷୀମାନଙ୍କୁ ୧ ଲକ୍ଷ ଟଙ୍କା ଦୁର୍ଘଟଣା ଜନିତ ମୃତ୍ୟୁ ସହାୟତା ରାଶି ପ୍ରଦାନ କରାଯିବା ପାଇଁ ଘୋଷଣା କରିଛନ୍ତି । ମଇଁଷି ଉଦ୍ୟୋଗ ବିକାଶ, ମାଈ ବାଛୁରୀ ପାଳନ, ଗୋମହିଷାଦିଙ୍କ ବୀମାକରଣ, ଗୋପାଳକଙ୍କ ଆୟବୃଦ୍ଧି ନିମନ୍ତେ ନଗଦ ପ୍ରୋତ୍ସାହନ ଏବଂ ଘାସଚାଷ ପାଇଁ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଓଡିଶାକୁ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଆତ୍ମ ନିର୍ଭରଶୀଳ କରିବା ପାଇଁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଆରମ୍ଭ କରିଛନ୍ତି । ଏବେ ସୁଦ୍ଧା ୩ ଲକ୍ଷ ଗୋ ଓ ମଇଁଷି ପାଳକ ଏହାର ସୁବିଧା ନେଇ ସାରିଲେଣି । ସେମାନଙ୍କୁ ୫୦ରୁ ୭୦ ପ୍ରତିଶତ ରିହାତି ବାବଦରେ ୭୧ କୋଟି ଟଙ୍କା ପ୍ରଦାନ କରାଯାଇଛି । ଆଗାମୀ ୫ ବର୍ଷ ମଧ୍ୟରେ ୧୫ ଲକ୍ଷ ଲୋକଙ୍କୁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ସାମିଲ କରାଯିବ । ଫଳରେ ଦୁଗ୍ଧ ଉତ୍ପାଦନ ଦ୍ୱିଗୁଣ ହେବା ସହ ଗ୍ରାମାଞ୍ଚଳରେ ବ୍ୟାପକ କର୍ମନିଯୁକ୍ତି ସୃଷ୍ଟି ହେବ । ସେଥିପାଇଁ ମୁଖ୍ୟମନ୍ତ୍ରୀକୁ ଧନ୍ୟବାଦ ବୋଲି ନିର୍ଦ୍ଦେଶକ କହିଛନ୍ତି ।

Leave A Reply

Your email address will not be published.