ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପରିଚାଳନା ପାଇଁ ଦ୍ୱିତୀୟ ସମନ୍ୱୟ ବୈଠକ

Second coordination meeting for the management of the world famous Rath Yatra

0 86

ପୁରୀ, ୯ା୬ : ରଥଯାତ୍ରା ସମୟରେ ଆମ୍ବୁଲାନ୍ସ କରିଡ଼ର ହେବ । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ସଦର ମୁଖ୍ୟ ଚିକିତ୍ସାଳୟ ସହ ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶୀତତାପ ନିୟନ୍ତ୍ରିତ ଶଯ୍ୟାର ବ୍ୟବସ୍ଥା ହେବ । ସ୍ଥାନୀୟ ଟାଉନହଲଠାରେ ଚଳିତ ବର୍ଷ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକରେ ଏହି ସୂଚନା ଦିଆଯାଇଛି । ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରଥଯାତ୍ରା ଲାଗି ରଥକାଠ ଯୋଗାଣ, ବିଭିନ୍ନ ସାମଗ୍ରୀ ସଂଗ୍ରହ ଓ ଯୋଗାଣ, ରଥକନା ସଂଗ୍ରହ, ନୀତି ସଂପାଦନ, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ, ପରିବହନ ବ୍ୟବସ୍ଥା, ରାସ୍ତା ଘାଟ ମରାମତି ଓ ଉନ୍ନତି କରଣ, ପାର୍କିଂ ସ୍ଥଳ, ଶାନ୍ତି ଶୃଙ୍ଖଳା ରକ୍ଷା, ଟ୍ରେନ ଚଳାଚଳ ବ୍ୟବସ୍ଥା, ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ, ପଲ୍ଲିଶ୍ରୀ ମେଳା ଓ ପ୍ରଦର୍ଶନୀ ଆୟୋଜନ, ସ୍ୱେଛାସେବୀ ନିୟୋଜନ ଆଦି ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ କରିବାକୁ ଆଇନ ମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ରଥଯାତ୍ରା ଏକ ସାମୁହିକ କାର୍ଯ୍ୟାପାରସ୍ପରିକ ସହଯୋଗ ସହ ପ୍ରତ୍ୟେକ ବିଭାଗ ଉତ୍ତରଦାୟୀ ଏବଂ ସମର୍ପିତ ଭାବେ କାର୍ଯ୍ୟ କରିବାକୁ ମନ୍ତ୍ରୀ ହରିଚନ୍ଦନ ପରାମର୍ଶ ଦେଇଥିଲେ । ପୁରୀରେ ରଥଯାତ୍ରା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ଅଧିକ ସକ୍ରିୟ କରାଯାଉଛି ବୋଲି ମନ୍ତ୍ରୀ କହିଥିଲେ । ରଥଯାତ୍ରା ସମୟରେ ଆମ୍ବୁଲାନ୍ସ କରିଡ଼ର ହେବ । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ସଦର ମୁଖ୍ୟ ଚିକିତ୍ସାଳୟ ସହ ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶୀତତାପ ନିୟନ୍ତ୍ରିତ ଶଯ୍ୟାର ବ୍ୟବସ୍ଥା ହେବ । ରଥଯାତ୍ରାରେ ୧୫ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ୨୦ ଲକ୍ଷ ପାଣି ବୋତଲ ଓ ପାଉଚର ବ୍ୟବସ୍ଥା କରାଯାଇଛି । ସହରରେ ୯୦ ପ୍ରତିଶତ ଡ୍ରେନ ସଫେଇ କାମ ସରିଛି । ପ୍ରତ୍ୟେକ ସାହି ଗଳି କନ୍ଦିରେ ରାସ୍ତାଘାଟ ମରାମତି, ମଶା ଧୁଆଁ ସ୍ପ୍ରେ, ଷ୍ଟ୍ରିଟ୍ ଲାଇଟ୍ ମରାମତି ବ୍ୟବସ୍ଥା କରିବାକୁ ଆଇନ ମନ୍ତ୍ରୀ ନର୍ଦ୍ଦେଶ ଦେଇଛନ୍ତି । ପଶ୍ଚିମଦ୍ୱାର ଦେଇ ପୁରୀବାସୀଙ୍କୁ ଛାଡ଼ିବା ଓ ଗୁଣ୍ଡିଚା ମନ୍ଦିରରେ ପୁରୀବାସୀଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରିବାକୁ ପୁରୀ ବିଧାୟକ ସୁନୀଲ ମହାନ୍ତି ପ୍ରସ୍ତାବ ଦେଇଥିଲେ । ଚଳିତ ବର୍ଷ ଢେଙ୍କାନାଳରୁ ୨୧ ଓ ବରଗଡ଼ରୁ ୧୯ ଜଣ ଫାଶୀ କାଠ ଦାନ କରିଛନ୍ତି । ଖୋର୍ଦ୍ଧା ଓ ନୟାଗଡ଼ ବନଖଣ୍ଡ ସହ ରାଜ୍ୟର ୮ଟି ଡିଭିଜନରୁ ଚଳିତ ବର୍ଷ ୮୧୫ ଖଣ୍ଡ କାଠ ଆସିଛି ବୋଲି ନୟାଗଡ଼ ଡିଫଓ ସୂଚନା ଦେଇଥିଲେ । ତାଳବଣିଆରେ ମାଷ୍ଟର କଣ୍ଟ୍ରୋଲ ରୁମ୍ କରାଯିବ । ସହରର ବିଭିନ୍ନ ସ୍ଥାନରେ ୧୮ଟି ପାର୍କିଂ ସ୍ଥାନ ସହ ୧୪ଟି ବର୍ଷା ଜଳ ଜମି ରହୁଥିବା ସ୍ଥାନରେ ୩୦ଟି ଉଚ୍ଚ କ୍ଷମତା ସମ୍ପନ୍ନ ମୁତୟନ ରହିବ । ମାଳତୀପାଟପୁରରେ ଟୁରିଷ୍ଟ ବସ ଓ ରଥଯାତ୍ରା, ବାହୁଡ଼ା ଓ ସୁନାବେଶ ଦିନ ଯାତ୍ରୀବାହୀ ବସ ତାଳବଣିଆରେ ପାର୍କିଂ କରିବ । ରଥଯାତ୍ରା ଅବକାଶରେ କୋଭିଡ ପାଇଁ ବ୍ୟସ୍ତ ହେବାର ନାହିଁ । ଲୋ ଭାରିଆଣ୍ଟର କୋଭିଡ ଥିବାରୁ ଏହା ବ୍ୟାପିବାର ଆଶଙ୍କା କମ । ରାଜ୍ୟରେ ସମୁଦାୟ ୪୯ଟି ରୋଗୀ ଚିହ୍ନଟ ହୋଇଥିବା ବେଳେ ମାତ୍ର ୩୪ଟି ଆକ୍ଟିଭ କେସ ରହିଛି ବୋଲି ସ୍ୱାସ୍ଥ୍ୟ ସଚିବ ସୂଚନା ଦେଇଥିଲେ । ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡା.ମୁକେଶ ମହାଲିଙ୍ଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା.କୃଷ୍ଣ ଚନ୍ଦ୍ର ମହାପାତ୍ର, ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା, କ୍ରୀଡା ଓ ଯୁବ ସେବା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୂରଜ, ପୁରୀ ଲୋକସଭା ସାଂସଦ ଡା.ସମ୍ବିତ ପାତ୍ର, ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, କାକଟପୁର ବିଧାୟକ ତୁଷାର କାନ୍ତି ବେହେରା, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ୱପ୍ନାରାଣୀ ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.ଅରବିନ୍ଦ ପାଢ଼ୀ, ସୂଚନା ଓ ଲୋକ ସମ୍ପର୍କ ତଥା ପୂର୍ତ୍ତ ବିଭାଗ ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂ, ଆଇନ ବିଭାଗ ପ୍ରମୁଖ ସଚିବ ମାନସ ରଞ୍ଜନ ବାରିକ, ଅତିରିକ୍ତ ଡିଜି ସଞ୍ଜୟ କୁମାର, ପରିବହନ କମିଶନର ଅମିତାଭ ଠାକୁର, ପର୍ଯ୍ୟଟନ ସଚିବ ବଲୱନ୍ତ ସିଂ, ସ୍ୱାସ୍ଥ୍ୟ ସଚିବ ଅଶ୍ୱସ୍ଥୀ ଏସ, ଆରଡିସି ବି ପରମେଶ୍ୱରନ, କେନ୍ଦ୍ରାଞ୍ଚଳ ଆଇଜି ପ୍ରବୀଣ କୁମାର, ଦେବୋତ୍ତର କମିଶନର ଶିଶିର କୁମାର ରଥ, ଏସପି ବିନୀତ ଅଗ୍ରୱାଲ ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସମସ୍ତଙ୍କୁ ସ୍ୱାଗତ କରିବା ସହ ଆଗାମୀ ରଥଯାତ୍ରାକୁ ସମସ୍ତଙ୍କ ସହଯୋଗରେ ଶୃଙ୍ଖଳିତ ଭାବେ ସମାପନ କରିବାକୁ ଅନୁରୋଧ କରିଥିଲେ । ବୈଠକରେ ସେବାୟତ, ବିଶିଷ୍ଟ ବ୍ୟକ୍ତି, ଗଣମାଧ୍ୟମ ପ୍ରତିନିଧିମାନେ, ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.