ରେକର୍ଡ ସ୍ତରରେ ରୁପା ଦର

0 67

ନୂଆଦିଲ୍ଲୀ,: ବିଗତ କିଛି ମାସ ହେବ ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି ସୁନା ଓ ରୁପା ଦର । ମାତ୍ର କିଛି ଦିନର ବ୍ୟବଧାନ ପରେ ଦେଶରେ ସୁନା ଓ ରୁପାର ଚାହିଦା ପୁଣି ଥରେ ବଢ଼ିଛି । ସୁନା ଦର ୧୦ ଗ୍ରାମ ପିଛା ୧ ଲକ୍ଷ ଟଙ୍କା ନିକଟତର ହେଉଥବାବେଳେ ରୁପା ମୂଲ୍ୟ ମଧ୍ୟ ଲକ୍ଷେ ଟଙ୍କା ଉପରକୁ ଯାଇଛି । ଏଥିରେ ସୁନା ମୂଲ୍ୟକୁ ରୁପା ଦର ଟପିଯାଇଛି । ଯାହାଫଳରେ ଆଜି ଘରୋଇ ବଜାରରେ ରୁପା କିଲୋ ପିଛା ୧.୦୮ ଲକ୍ଷ ଟଙ୍କା ସ୍ତର ଅତିକ୍ରମ କରି ଏକ ନୂଆ ରେକର୍ଡ ପ୍ରତିଷ୍ଠା ହୋଇଛି । ଅପରପକ୍ଷେ ରାଜଧାନୀ ଭୁବନେଶ୍ୱରରେ ରୁପା ମୂଲ୍ୟ ଦିଲ୍ଲୀ ଦରକୁ ଟପିଯାଇଛି । ସହରରେ ରୁପା କିଲୋ ପିଛା ୧.୧୦ ଲକ୍ଷ ଟଙ୍କାରେ ପହଞ୍ଚିଛି । ସୋମବାର ଘରୋଇ ବଜାରରେ ପୁଣି ଥରେ ରୁପା ମୂଲ୍ୟରେ ବୃଦ୍ଧି ଘଟିଛି । ଭୁବନେଶ୍ୱରରେ ଆଜି ରୁପା କିଲୋ ପିଛା ୧,୧୦,୪୦୦ ଟଙ୍କା ଛୁଇଁଛି । ୨୨ କ୍ୟାରେଟ୍ ସୁନା ମୂଲ୍ୟରେ ୧୦ ଗ୍ରାମ ପିଛା ୮୯,୫୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍‌ ସୁନା ଦର ୯୭,୬୯୦ ଟଙ୍କା ରହିଛି । ନୂଆଦିଲ୍ଲୀରେ ଗୋଟିଏ ଦିନରେ ରୁପା କିଲୋ ପିଛା ୧୦୦୦ ଟଙ୍କା ବୃଦ୍ଧି ପାଇ ୧,୦୮,୧୦୦ ଟଙ୍କାରେ ପହଞ୍ଚିଛି । ଏହି ସମୟରେ ୯୯.୯ ପ୍ରତିଶତ ଶୁଦ୍ଧ ବା ୨୪ କ୍ୟାରେଟ୍‌ ସୁନା ମୂଲ୍ୟରେ ୨୮୦ ଟଙ୍କା ହ୍ରାସ ପାଇ ୧୦ ଗ୍ରାମ ପିଛା ୯୭,୭୮୦ ଟଙ୍କା ହୋଇଛି । ଦୃଢ଼ ବିଶ୍ୱ ସଙ୍କେତ ମଧ୍ୟରେ ଦିଲ୍ଲୀରେ ରୁପା ମୂଲ୍ୟ ପୁଣି ଥରେ ଶୀର୍ଷ ସ୍ତର ଛୁଇଁଛି । ରୁପା ମୂଲ୍ୟ ୧.୦୮ ଲକ୍ଷ ଟଙ୍କା ପ୍ରତି କିଲୋଗ୍ରାମରେ ପହଞ୍ଚିବା ଏକ ନୂତନ ରେକର୍ଡ । ସେହିପରି ୨୨ କ୍ୟାରେଟ୍‌ ସୁନା ମୂଲ୍ୟରେ ୨୫୦ ଟଙ୍କା ହ୍ରାସ ପାଇ ୧୦ ଗ୍ରାମ ପିଛା ଏହା ୯୭,୩୫୦ ଟଙ୍କା ରହିଥିବା ଅଲ୍‌ ଇଣ୍ଡିଆ ସରାଫା ଆସୋସିଏସନ୍‌ ପକ୍ଷରୁ କୁହାଯାଇଛି । ପୂର୍ବରୁ, ଶନିବାର ଦିନ ସୁନା ମୂଲ୍ୟ ପ୍ରତି ୧୦ ଗ୍ରାମ ପିଛା ୧,୬୩୦ ଟଙ୍କା ହ୍ରାସ ପାଇ ୯୮,୦୬୦ ଟଙ୍କାରେ ପହଞ୍ଚିଥିଲା । ସେହି ସମୟରେ, ରୁପାର ମୂଲ୍ୟ ପ୍ରତି କିଲୋଗ୍ରାମ ପିଛା ୧,୦୭,୧୦୦ ଟଙ୍କାରେ ସ୍ଥିର ରହିଥିଲା । ବ୍ୟବସାୟୀମାନେ କହିଛନ୍ତି ଯେ ନିବେଶକଙ୍କ ପ୍ରବଳ ଚାହିଦା, ଦୁର୍ବଳ ଡଲାର, ଭୂ ରାଜନୈତିକ ଉତ୍ତେଜନା ଏବଂ ଇଭି ଏବଂ ସୌର ଶିଳ୍ପରେ ଚାହିଦାରେ ବୃଦ୍ଧି ଯୋଗୁଁ ରୁପା ମୂଲ୍ୟ ଏପରି ଉପରମୁହାଁ ହେଉଛି । ଆମେରିକା-ଚୀନ୍ ବାଣିଜ୍ୟ ଆଲୋଚନା ଏବଂ ପେରୋଲ୍‌ ରିପୋର୍ଟ ଯୋଗୁଁ ସୁନା ଦୁର୍ବଳ ହୋଇଛି । ବିଶ୍ୱ ବଜାରରେ ସ୍ପଟ୍‌ ବଜାରରେ ସୁନା ମୂଲ୍ୟ ସାମାନ୍ୟ ବୃଦ୍ଧି ପାଇ ଆଉନ୍ସ ପିଛା ୩,୩୧୨.୮୪ ଡଲାରରେ ପହଞ୍ଚିଛି । ଏସବୁବାଦ୍‌ ଆନ୍ତର୍ଜାତୀୟ ବଜାରରେ ରୁପା ମୂଲ୍ୟରେ ୦.୯ ପ୍ରତିଶତ ବୃଦ୍ଧି ପାଇ ଆଉନ୍ସ ପ୍ରତି ଏହା ୩୬.୩୦ ଡଲାରରେ ପହଞ୍ଚିଛି ।

Leave A Reply

Your email address will not be published.