ବ୍ରହ୍ମପୁର: ରାଜ୍ୟ ସରକାରଙ୍କ ପକ୍ଷରୁ ସରକାରୀ ଚିକିତ୍ସାଳୟରେ ରୋଗୀଙ୍କୁ ଔଷଧରୁ ଆରମ୍ଭକରି ବିଭିନ୍ନ ପରୀକ୍ଷାନିରୀକ୍ଷା ମାଗଣାରେ ଯୋଗାଇ ଦିଆଯାଉଛି | ହେଲେ ବ୍ରହ୍ମପୁର ସହରରେ ଥିବା ଏମ୍ସ୍କେସିଜି ବଡ଼ଡାକ୍ତରଖାନା ଚାରିପାଖରେ ମାଳ ମାଳ ଘରୋଇ ନସିଂହୋମ୍ ଓ କ୍ଲିନିକ୍ ସଂଖ୍ୟା ବଢ଼ିବାରେ ଲାଗିଛି | ଏଠାକୁ କିପରି ରୋଗୀମାନେ ଅଧିକ ସଂଖ୍ୟାରେ ଆସିବେ ସେ ଦିଗରେ ଡାକ୍ତରଙ୍କ ଠାରୁ ଆରମ୍ଭକରି ବଡ଼ଡାକ୍ତରଖାନାରେ ଏହି ନସିଂହୋମ୍ ଦ୍ବାରା ନିୟୋଜିତ କମିସନ୍ ଏଜେଣ୍ଟ୍ ଓ ଦଲାଲ୍ ପଇଁତରା ମାରୁଥିବା ଦେଖାଯାଉଛି। ଏମ୍କେସିଜି ବଡ଼ଡାକ୍ତରଖାନା ବ୍ରହ୍ମପୁର ସମେତ ସମଗ୍ର ଗଞ୍ଜାମ ଜିଲ୍ଲା, କନ୍ଧମାଳ, ଗଜପତି, କୋରାପୁଟ, ବୌଦ୍ଧ, କଳାହାଣ୍ଡି, ପୁରୀ ଓ ନୟାଗଡ଼ ଜିଲ୍ଲାର ରୋଗୀମାନେ ଏହା ଉପରେ ନିର୍ଭରଶୀଳା ଡାକ୍ତରଖାନା ପରିସରରେ ମାଗଣା ଔଷଧ ବିତରଣ ପାଇଁ ଛଅଟି ନିରାମୟ କେନ୍ଦ୍ର, ମାଗଣା ରକ୍ତ ଓ ଅନ୍ୟାନ୍ୟ ପରୀକ୍ଷାପାଇଁ ନିଦାନ କେନ୍ଦ୍ର ରହିଛି । ଏହା ସହିତ ପିପିପି ମୋଡ୍ରେ ଏକ୍ସରେ, ଅଲଟ୍ରାସାଉଣ୍ଡ ଓ ସିଟିସ୍କାନ ଆଦି ସେବା ବିନା ମୂଲ୍ୟରେ ଯୋଗାଇ ଦିଆଯାଉଛି। ରୋଗୀମାନେ କିଭଳି ଉତ୍ତମ ସେବା ପାଇବେ ସେଥିପାଇଁ ଏହି ଡାକ୍ତରଖାନାରେ ଦୁଇବେଳା ଆଉଟଡୋର୍ ଖୋଲୁଛି। ଏତେସବୁ ସତ୍ତ୍ବେ ଏମକେସିଜିର ଚାରିପାଖେ ନୂଆ ନୂଆ ନସିଂହୋମ୍, ବିଭିନ୍ନ ପରୀକ୍ଷା କେନ୍ଦ୍ର ଓ ଔଷଧ ଦୋକାନ ଆଦି ଖୋଲିବାରେ ଲାଗିଛି ଏଠାକୁ ଢେର୍ ଅଧିକ ରୋଗୀ ବି ଆସୁଛନ୍ତି। ତେବେ ସବୁକିଛି ମାଗଣାରେ ମିଳୁଥିବା ଏମ୍ସ୍କେସିଜି ବଡ଼ଡାକ୍ତରଖାନାର ପାଚେରି କଡ଼ରେ ଏଗୁଡ଼ିକ କାହିଁକି ଏତେ ସଂଖ୍ୟାର ଖୋଲୁଛି? ଏଠାକୁ କେଉଁମାନେ ରୋଗୀ ଦେଖିବାକୁ ଆସୁଛନ୍ତି ? ସେ ସଂକ୍ରାନ୍ତରେ କେହି ତର୍ଜମା କରୁନାହାନ୍ତି। ଅନ୍ୟପଟେ ଏହିସବୁ ଘରୋଇ ଚିକିତ୍ସାକେନ୍ଦ୍ରରେ କେଉଁ କେଉଁ ଡାକ୍ତର ଆସି କେତେବେଳେ ରୋଗୀ ଦେଖୁଛନ୍ତି ତାହାର ସୂଚନା ସଂପୃକ୍ତ ନସିଂହୋମ୍ ପକ୍ଷରୁ ରାସ୍ତାକଡ଼େ ବୋର୍ଡ଼ ଲଗାଇଥିଲେ ବି ପ୍ରଶାସନକୁ ମିଳୁନାହିଁ ତେବେ ଯାହା ଜଣାଯାଇଛି, ଏମକେସିଜି ବଡ଼ଡାକ୍ତରଖାନାର ରୋଗୀମାନେ ହିଁ, ହେଉଛନ୍ତି ଏହିସବୁ ଘରୋଇ ଚିକିତ୍ସାକେନ୍ଦ୍ର ଓ ପରୀକ୍ଷାକେନ୍ଦ୍ର ଆଦିର ବଡ଼ ଗ୍ରାହକ ଡାକ୍ତରଖାନରେ ଧାଡ଼ିରେ ଛିଡ଼ା ନହୋଇ ରୋଗୀମାନେ କିଭଳି ଘରୋଇ କ୍ଲିନିକ୍କୁ ଆସିବେ ନସିଂହୋମ୍ ଏଜେଣ୍ଟ୍ମାନେ ମଧ୍ୟ ଦିନରାତି ବଡ଼ ମେଡିକାଲ୍ ପରିସରରେ ଚକ୍କର୍ କାଟୁଛନ୍ତି । ନିୟମିତ ପୁଲିସ ଧରପଗଡ଼ ନଥିବାରୁ ନିର୍ଭୟରେ ଦଲାଲି କରୁଛନ୍ତି । ସେହିପରି ଯେଉଁମାନେ ପୁଲିସ ହାତରେ ଧରା ପଡୁଛନ୍ତି ପରେ ସେମାନେ ଆସି ବେଶ ବଦଳାଇ ନୂଆ ରୂପରେ ଦଲାଲି କରୁଛନ୍ତି ।ବଡ଼କଥା ହେଉଛି, ଏମ୍ସ୍କେସିଜି ଚାରି ପାଖରେ ଗଢ଼ିଉଠିଥିବା ଘରୋଇ ନସିଂହୋମ୍କୁ ବାହାରର କୌଣସି ନାମୀଦାମୀ ଘରୋଇ ଡାକ୍ତରଖାନାର ଡାକ୍ତରମାନେ ଆସି ରୋଗୀ ଦେଖୁନାହାନ୍ତି ।ଏମ୍ସ୍କେସିଜି ଓ ଆଖପାଖରେ ରହୁଥିବା ଡାକ୍ତରମାନେ ହିଁ ଏଠାକୁ ବାର ଓ ସମୟ ଅନୁସାରେ ଆସି ରୋଗୀ ଦେଖୁଛନ୍ତି । ସରକାର ଓ ସ୍ବାସ୍ଥ୍ୟ ବିଭାଗ ଏଥିପ୍ରତି ଧ୍ୟାନ ଦେବାକୁ ଦାବି ହୋଇଛି ।