ଭୁବନେଶ୍ୱର, : ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଦ୍ୱାରା କଟକର ବାଲିଯାତ୍ରା ପଡ଼ିଆ ଠାରେ ଶୁକ୍ରବାର ରାଜ୍ୟସ୍ତରୀୟ ନାରୀ ଶକ୍ତି ସମାବେଶ ଆୟୋଜିତ ହୋଇଯାଇଛି । ଏହି ରାଜ୍ୟସ୍ତରୀୟ ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ କହିଛନ୍ତି ଯେ, ନାରୀଙ୍କୁ ସମ୍ମାନ ପ୍ରଦାନ କରିବା ଆମ ରାଜନୈତିକ ପ୍ରଶିକ୍ଷଣର ପ୍ରଥମ ଶିକ୍ଷା । ଏହି ସମାବେଶର ଏକମାତ୍ର ଉଦ୍ଦେଶ୍ୟ ହେଉଛି, ଓଡିଶାର ନାରୀ ଶକ୍ତିକୁ ଆମର ସବୁଠାରୁ ଶ୍ରେଷ୍ଠ ଶକ୍ତି କରି ଗଢିତୋଳିବା । ନିଜ ଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସରକାର ଏକ ବର୍ଷ ପୂରଣ ପରେ ଦ୍ୱିତୀୟ ବର୍ଷର ପ୍ରଥମ କାର୍ଯ୍ୟକ୍ରମ ହେଉଛି, ଆମର ଏହି ନାରୀ ଶକ୍ତି ସମାବେଶ । କାରଣ, ଆମେ ବିଶ୍ୱାସ କରୁ ଯେ ଯେତେ ପର୍ଯ୍ୟନ୍ତ ରାଜ୍ୟର ଅଧା ଜନସଂଖ୍ୟାର ବିକାଶ ହୋଇ ନାହିଁ, ରାଜ୍ୟ କେବେ ବି ବିକଶିତ ହୋଇ ପାରିବ ନାହିଁ । ଐତିହାସିକ ସହର କଟକ ଠାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ଓଡିଶାର ମାଆ ଓ ଭଉଣୀମାନଙ୍କ ପାଇଁ ଏକ ସୁବର୍ଣ୍ଣ ଯୁଗ ଆଣିବ ବୋଲି ମୁଁ ଦୃଢ ନିଶ୍ଚିତ । ନାରୀମାନଙ୍କ ସଶକ୍ତିକରଣ ପାଇଁ ଆମର ସବୁଠୁ ଯୁଗାନ୍ତକାରୀ ଯୋଜନା ହେଉଛି ସୁଭଦ୍ରା ଯୋଜନା । ସୁଭଦ୍ରା ଯୋଜନା ହେଉଛି ଓଡିଶାର ଇତିହାସରେ ସବୁଠାରୁ ବଡ ମହିଳା
କଲ୍ୟାଣ କାର୍ଯ୍ୟକ୍ରମ । କେବଳ ମହିଳା ନୁହେଁ ଏତେ ବୃହତ ସାମାଜିକ କଲ୍ୟାଣକାରୀ ଯୋଜନା ପୂର୍ବରୁ କରାଯାଇ ନ ଥିଲା । ଆମ ସରକାର ଓଡିଶାର ପ୍ରତ୍ୟେକ ଗାଁ, ପ୍ରତ୍ୟେକ ପରିବାର ସହିତ ସଂଯୋଗ କରି ତଥ୍ୟ ସଂଗ୍ରହ କରିଛନ୍ତି । ଘରକୁ ଘର ବୁଲି, ଆମେ ଅଧିଂକାଶ ପରିବାର ସହିତ ଯୋଗାଯୋଗ କରିଛୁ । ବିଶେଷ କରି ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଯେଉଁଠାରେ ମା’ମାନେ ଏତେ ସଚେତନ ନୁହନ୍ତି, ସେଠାରୁ ତଥ୍ୟ ଅଣାଯାଇ ସେମାନଙ୍କୁ ଏହି ଯୋଜନାରେ ଯୋଡାଯାଇଛି । ସୁଭଦ୍ରା ଯୋଜନାର ସଫଳତା ଆମ ବଳିଷ୍ଠ ସଂକଳ୍ପର ଏକ ପ୍ରକୃଷ୍ଟ ଉଦାହରଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେ କହିଥିଲେ ଯେ, ଓଡିଶାର ବିଭିନ୍ନ ଅଞ୍ଚଳରେ ଅନେକ ମା\’ମାନେ ସୁଭଦ୍ରା ସହାୟତାକୁ ଏକାଠି କରି ବିଭିନ୍ନ ପ୍ରକାର ଅର୍ଥନୈତିକ କାରବାର, ମିଳିତ କୃଷି କାର୍ଯ୍ୟ କରି ନିଜ ପରିବାରପାଇଁ ଭଲ ରୋଜଗାର କରୁଛନ୍ତି । ଏହି ସୁଭଦ୍ରା ସହାୟତା ହେଉଛି ମାଆମାନଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ କରିବାର ଏକ ଲମ୍ବା ଯାତ୍ରାୟ ମହିଳାଙ୍କୁ ଆର୍ଥିକ ସ୍ତରରେ ସ୍ୱାବଲମ୍ବୀ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଜୀ ଲକ୍ଷପତ ଦିଦି ଯୋଜନାର ପରିକଳ୍ପନା କରିଥିଲେ । ଏହା ଆମ ରାଜ୍ୟ ପାଇଁ, ବିଶେଷ ଭାବେ ଆମ ରାଜ୍ୟର ମା\’ମାନଙ୍କ ପାଇଁ ଖୁସିର ବିଷୟ ଯେ ଓଡ଼ିଶା ବର୍ତ୍ତମାନ ଲକ୍ଷପତି ଦିଦି ସୃଷ୍ଟି କରିବାରେ ସମଗ୍ର ଭାରତରେ ପ୍ରଥମ ସ୍ଥାନରେ ଅଛି । ଆମେ ୧୬ ଲକ୍ଷରୁ ଅଧିକ ଲକ୍ଷପତି ଦିଦି ସୃଷ୍ଟି କରିଛୁ । ସେ ପୁଣି କହିଥିଲେ ଯେ, ଚଳିତ ବର୍ଷ ରାଜ୍ୟର ସମସ୍ତ ସରକାରୀ ବିଭାଗ ମିଳିତ ଭାବରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ୩,୬୯୫ କୋଟି ଟଙ୍କାର ବ୍ୟବସାୟିକ ସୁଯୋଗ ପ୍ରଦାନ କରିଛନ୍ତି । ଏହା ଆମ ରାଜ୍ୟର ଇତିହାସରେ ସର୍ବକାଳୀନ ରେକର୍ଡ । ୩.୦୭ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରାୟ ୩୦୦ କୋଟି ଟଙ୍କାର ସୁଧ ଫେରସ୍ତ କରାଇ ସେମାନଙ୍କର ଆର୍ଥିକ ସ୍ୱପ୍ନକୁ ସାକାର କରିବାରେ ସହାୟକ ହୋଇଛୁ । ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା (ଏମ୍ଏସ୍ପିୱାଇ) ମାଧ୍ୟମରେ ଆମେ ମହିଳା ଓ ପିଲାମାନଙ୍କ ସୁସ୍ଥ ଭବିଷ୍ୟତ ପାଇଁ ଆବଶ୍ୟକ ପୁଷ୍ଟିକର ଖାଦ୍ୟ ଯୋଗାଇଦେବାର ବ୍ୟବସ୍ଥା କରୁଛୁ । ମହିଳା ସଶକ୍ତିକରଣ ଆମପାଇଁ ଏକ ସ୍ଲୋଗାନ ନୁହେଁ । ଚଳିତ ବର୍ଷ ବଜେଟରେ କେବଳ ମହିଳାଙ୍କ ପାଇଁ ୮୯ ହଜାର ୮୬୧ କୋଟି ଟଙ୍କାର ପ୍ରାବଧାନ ମହିଳାଙ୍କ ପାଇଁ ଆମର ପ୍ରତିବଦ୍ଧତା । ମହିଳା ସଶକ୍ତିକରଣରେ ଓଡିଶା ଦେଶର ଏକ ମଡେଲ ରାଜ୍ୟ ଭାବରେ ଅନ୍ୟ ରାଜ୍ୟମାନଙ୍କ ପାଇଁ ପ୍ରେରଣା ହେବ । ନିଜ ବକ୍ତବ୍ୟରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ନାରୀ ଶକ୍ତିର ଅମୃତ ଚେତନାରେ ଉଦ୍ଦୀପିତ ହୋଇ ଏକ ବିକଶିତ, ସମୃଦ୍ଧ ଏବଂ ଗର୍ବିତ ଓଡ଼ିଶା ଗଢ଼ିବା ପାଇଁ ସଂକଳ୍ପ ନେବା ପାଇଁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଅଭିଭାଷଣ ରଖି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା କହିଛନ୍ତି ଯେ, ଆଜିର ଏହି ଉତ୍ସବ କେବଳ ସମ୍ମାନର ନୁହେଁ, ବରଂ ଓଡ଼ିଶାକୁ ଏକ ସମାନତା, ସମୃଦ୍ଧି ଓ ପ୍ରଗତିର ରାଜ୍ୟ ଭାବେ ଗଠନ କରିବାର ସଂକଳ୍ପ ଉତ୍ସବ । ମୁଁ ଆପଣ ସମସ୍ତଙ୍କୁ କଥା ଦେଉଛି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ସୁଭଦ୍ରା ସହାୟତା ଓ ସ୍ୱୟଂ ସହାୟକ ଗୋଷ୍ଠୀର କାର୍ଯ୍ୟଶୈଳୀକୁ ଆହୁରି ତ୍ୱରାନ୍ୱିତ କରି ଆଗାମୀ ବର୍ଷରେ ଆମେ ପ୍ରତି ପରିବାରର ଜଣେ ଲକ୍ଷପତି ଦିଦି ଓ ପ୍ରତି ପଞ୍ଚାୟତରେ ଜଣେ କରୋଡ଼ ପତି ଦିଦି ସୃଷ୍ଟି କରିବୁ । ଏହି ଅବସରରେ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ପୋଷଣ ଅଭିଯାନରେ ତୃଣମୂଳ ସ୍ତରରୁ ରାଜ୍ୟସ୍ତରର ବିଭିନ୍ନ ଲିଖିତ ଓ ଫଟୋ ଚିତ୍ର ସମ୍ବଳିତ ଏକ କଫି ଟେବୁଲ ବୁକ ମୁଖ୍ୟମନ୍ତ୍ରୀ ଓ ସମସ୍ତ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । ଏଥିସହିତ ମହିଳା ସଶକ୍ତିକରଣ ବିଭାଗ ଦ୍ୱାରା ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ମହିଳାମାନଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ କଟକ ସାଂସଦ, ଭର୍ତ୍ତୃହରି ମହତାବ, ଜଗତସିଂହପୁର ସାଂସଦ ବିଭୁପ୍ରସାଦ ତରାଇ, କଟକ ସଦର ବିଧାୟକ ପ୍ରକାଶ ସେଠୀ, ବଡମ୍ବା ବିଧାୟକ ବିଜୟ ଦଳବେହେରା, ନିଆଳି ବିଧାୟକ ଛବି ମଲ୍ଲିକ, ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନ ଓ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ପ୍ରମୁଖ ମଂଚାସୀନ ଥିଲେ । କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ସ୍ୱାଗତ ଭାଷଣ ଦେଇଥିବା ବେଳେ ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ ଧନ୍ୟବାଦ ଦେଇଥିଲେ ।