ଜିନ୍ଦଲ ଇଣ୍ଡିଆ ଖଟାଇବ ୧୫ହଜାର କୋଟି : ଢେଙ୍କାନାଳରେ ବସାଇବ ଇସ୍ପାତ କାରଖାନା

0 89

ଭୁବନେଶ୍ୱର, : ବିସି ଜିନ୍ଦଲ ଗ୍ରୁପ୍ର ସଂସ୍ଥା ଜିନ୍ଦଲ (ଇଣ୍ଡିଆ) ଲିମିଟେଡ୍ ଓଡ଼ିଶା ପାଇଁ ବୃହତ୍ ଯୋଜନା ରଖିଛି । କମ୍ପାନୀ ୨୦୩୦ ସୁଦ୍ଧା ରାଜ୍ୟରେ ୧୫ହଜାର କୋଟି ଟଙ୍କା ନିବେଶ କରିବାକୁ ଚାହୁଛି । କମ୍ପାନୀର ସହାୟକ ସଂସ୍ଥା ଜିନ୍ଦଲ ଇଣ୍ଡିଆ ଷ୍ଟିଲ୍‌ ଟେକ୍ ଲିମିଟେଡ୍ ଓଡ଼ିଶାରେ ୩୬୦୦ କୋଟି ଟଙ୍କା ନିବେଶରେ ଢେଙ୍କାନାଳ ଜିଲ୍ଲାରେ ଏକ ଇସ୍ପାତ କାରଖାନା ବସାଇବାକୁ ଯାଉଛି । ସେହି ପ୍ରକଳ୍ପକୁ ନିକଟରେ ଉଚ୍ଚସ୍ତରୀୟ ମଞ୍ଜୁରି କର୍ତ୍ତୃପକ୍ଷ (ଏଚ୍‌ଏଲ୍ସିଏ) ବେଠକରେ ଅନୁମୋଦନ ମିଳିଥିଲା । ଏହି ପ୍ରକଳ୍ପ ପାଇଁ କମ୍ପାନୀ ମଞ୍ଜୁରି ପତ୍ର ହାସଲ କରିଥିବା ଘୋଷଣା କରିଛି । ଜିନ୍ଦଲ (ଇଣ୍ଡିଆ) ୨୦୩୦ ସୁଦ୍ଧା ଓଡ଼ିଶା କାରଖାନାର ଉତ୍ପାଦନ କ୍ଷମତାକୁ ୩୦ ଲକ୍ଷ ଟନ୍‌ରେ ପହଞ୍ଚାଇବାକୁ ଯୋଜନା ରଖିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ୯.୬ ଲକ୍ଷ ଟନ୍ କାରଖାନା ବସାଇବ ଯାହା ୨୦୨୭ ସୁଦ୍ଧା କାର୍ଯ୍ୟକ୍ଷମ ହେବା ଆଶା କରାଯାଉଛି । ସେଥିରେ କମ୍ପାନୀ ସ୍ୱତନ୍ତ୍ର କୋଟେଡ୍ ଇସ୍ପାତ ଉତ୍ପାଦ ନିର୍ମାଣ କରିବ । କାରଖାନାରେ ଇସ୍ପାତ ସିଟ୍ ପାଇଁ କୋଲ୍ଡ ରୋଲିଂ ମିଲ୍ ଓ କଲର୍ କୋଟିଂ ଲାଇନ୍ ରହିବ । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କମ୍ପାନୀ କ୍ଷମତା ସମ୍ପ୍ରସାରଣରେ ୧୫୦୦ କୋଟି ଟଙ୍କା ନିବେଶ କରିବାକୁ ଘୋଷଣା କରିଥିଲା । ସେହି କାର୍ଯ୍ୟଗୁଡ଼ିକ ଚଳିତ ଆର୍ଥିକ ବର୍ଷରେ ଶେଷ ହେବ ବୋଲି କମ୍ପାନୀ ଆଶା କରୁଛି । କମ୍ପାନୀ ପକ୍ଷରୁ ବାର୍ଷିକ ୨ ଲକ୍ଷ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ଏକ ଇସ୍ପାତ ପାଇପ୍ କାରଖାନା ମଧ୍ୟ ସ୍ଥାପନ କରିବା ଯୋଜନା ରହିଛି । କମ୍ପାନୀର ପ୍ରବକ୍ତା କହିଛନ୍ତି ଯେ ଆତ୍ମନିର୍ଭର ଭାରତ ଓ ବିକଶିତ ଭାରତ ଅଭିଯାନକୁ ଦୃଷ୍ଟିରେ ରଖି କମ୍ପାନୀ ଏହି ପ୍ରକଳ୍ପ ଘୋଷଣା କରିଛି । ନୂଆ କାରଖାନା ଦ୍ୱାରା ଆମଦାନି ଉପରେ ନିର୍ଭରଶୀଳତା କମ୍‌ ହେବ ଏବଂ ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହି ପ୍ରକଳ୍ପ ଜରିଆରେ କମ୍ପାନୀ ଓଡ଼ିଶାରେ ଏହାର ଉପସ୍ଥିତିକୁ ସୁଦୃଢ଼ କରିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.