ଐତିହାସିକ ମହାକାଶଯାତ୍ରା ପରେ ପୃଥିବୀକୁ ଫେରିଲେ ଶୁଭାଂଶୁ

Suphansu returns to Earth safely after historic spaceflight

0 33

ନୂଆଦିଲ୍ଲୀ, ୧୫ା୭ : ପୃଥିବୀ ପୃଷ୍ଠରେ ସୁରକ୍ଷିତ ଭାବେ ଅବତରଣ କରିଛନ୍ତି ଭାରତର ଦ୍ୱିତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା । ସେ ପ୍ରଥମ ଭାରତୀୟ ଭାବେ ଜୁନ ୨୫ରେ ସ୍ପେସଏକ୍ସର ଡ୍ରାଗନ ସ୍ପେସକ୍ରାଫ୍ଟ ଜରିଆରେ ଫ୍ଲୋରିଡାରେ ଥିବା କେନେଡୀ ସ୍ପେସ ସେଣ୍ଟରରୁ ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନ ଅଭିମୁଖେ ଉଡ଼ାଣ ଭରିଥିଲେ । ଆକ୍ସିଅମ ସ୍ପେସ ଏଏକ୍ସ-୪ ମିଶନ ଜରିଆରେ ଶୁଭାଂଶୁ ଦ୍ୱିତୀୟ ଭାରତୀୟ ଭାବେ ଅନ୍ତରୀକ୍ଷକୁ ଯାଇଥିଲେ । ସେଠାରେ ୧୮ ଦିନ କାଳ ରହିବା ପରେ ମଙ୍ଗଳବାର ପୃଥିବୀକୁ ଫେରିଛନ୍ତି । ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସଏସ)ରୁ ଶୁଭାଂଶୁ ଓ ଅନ୍ୟ ୩ ଜଣ ମହାକାଶଚାରୀ ସୋମବାର ଅପରାହ୍ନରେ ପୃଥିବୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ଦୀର୍ଘ ୨୨ ଘଣ୍ଟାର ଯାତ୍ରା ପରେ ମଙ୍ଗଳବାର ଦିନ ୩ଟା ବେଳେ ଶୁଭାଂଶୁ ଓ ଅନ୍ୟ ମହାକାଶଚାରୀଙ୍କୁ ଧରି ଆସିଥିବା ସ୍ପେସଏକ୍ସର ଡ୍ରାଗନ କାଲିଫର୍ଣ୍ଣିଆ ଉପକୂଳବର୍ତ୍ତୀ ସମୁଦ୍ରରେ ଅବତରଣ କରିଛି । ଗଭୀର ଜଳ ରାଶିରେ ଡ୍ରାଗନ ଅବତରଣ କରିଥିବା ବେଳେ ୪ ମହାକାଶଚାରୀ ମଧ୍ୟ ସୁରକ୍ଷିତ ଭାବେ ତା’ମଧ୍ୟରୁ ବାହାରିଛନ୍ତି । ସ୍ୱତନ୍ତ୍ର ଜାହାଜ ଦ୍ୱାରା ସମସ୍ତ ୪ ମହାକାଶଚାରୀଙ୍କୁ ସ୍ଥଳ ଭାଗକୁ ଅଣାଯାଇଛି । ୧୮ ଦିନ କାଳ ମହାକାଶଚାରୀମାନେ ମହାକାଶରେ ଥିବାରୁ ପ୍ରଥମେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହେବ । ସେମାନଙ୍କୁ ପୃଥିବୀ ସହ ଖାପଖୁଆଇବା ପାଇଁ ୭ ଦିନ କାଳ ସ୍ୱତନ୍ତ୍ର କେନ୍ଦ୍ରରେ ରଖାଯିବ । ଏହାପରେ ସେମାନେ ସ୍ୱାଭାବିକ ଜୀବନ ବିତାଇବା ଆରମ୍ଭ କରିବେ । ଭାରତ ବ୍ୟତୀତ ଆମେରିକା, ପୋଲାଣ୍ଡ ଓ ହଙ୍ଗେରୀର ୩ ବୈଜ୍ଞାନିକ ମହାକାଶକୁ ଯାଇଥିଲେ । ଭାରତ ଭଳି ଏହା ହଙ୍ଗେରୀ ଓ ପୋଲାଣ୍ଡ ପାଇଁ ମଧ୍ୟ ଐତିହାସିକ ରହିଥିଲା । କାରଣ ଚାରି ଦଶନ୍ଧି ପରେ ଏହି ଦେଶଗୁଡ଼ିକର ମହାକାଶଚାରୀମାନେ ଏକ ମାନବ ମିଶନରେ ଅଂଶଗ୍ରହଣ କରିଥିଲେ । ଏହି ମିଶନର ନେତୃତ୍ୱ ଆମେରିକାର ଅଭିଜ୍ଞ ମହାକାଶଚାରୀ ତଥା ଆକ୍ସିଅମ କମାଣ୍ଡର ପେଗି ହ୍ୱିଟସନ ନେଇଥିଲେ । ସ୍ପେସ ଏକ୍ସର ସୂଚନା ଅନୁସାରେ, ଡ୍ରାଗନ୍ ସ୍ପେସକ୍ରାଫ୍ଟ ଚାରି ଜଣ ମହାକାଶଚାରୀଙ୍କୁ ଧରି ଭାରତୀୟ ସମୟ ଅପରାହ୍ନ ୩.୦୧ରେ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିଥିଲା । ଏହାପରେ ଏହା କାଲିଫର୍ଣ୍ଣିଆର ସାନ ଡିଏଗୋ ଉପକୂଳ ନିକଟରେ ଥିବା ପ୍ରଶାନ୍ତ ମହାସାଗରରେ ଅବତରଣ କରିଛି । ଶୁଭାଂଶୁ ଓ ଆକ୍ସ-୪ କ୍ରୁ ସେମାନଙ୍କର ୧୮ ଦିନର ରହଣି ସମୟରେ ଜୀବବିଜ୍ଞାନ, କୃତ୍ରିମ ବୁଦ୍ଧିମତ୍ତା, ପଦାର୍ଥ ବିଜ୍ଞାନ ଓ ମାନବ ସ୍ୱାସ୍ଥ୍ୟ ଉପରେ ୬୦ରୁ ଅଧିକ ଉନ୍ନତ ବୈଜ୍ଞାନିକ ପରୀକ୍ଷଣ ଶେଷ କରିଛନ୍ତି । ଶୁକ୍ଳାଙ୍କ ପ୍ରମୁଖ ଅବଦାନ ମଧ୍ୟରେ ରହିଛି ସ୍ପ୍ରାଉଟ୍ସ ପ୍ରୋଜେକ୍ଟ, ଯେଉଁଥିରେ ମାଇକ୍ରୋଗ୍ରାଭିଟି କିପରି ବିହନ ଅଙ୍କୁରୋଦଗମ ଓ ପ୍ରାରମ୍ଭିକ ଉଦ୍ଭିଦ ବିକାଶକୁ ପ୍ରଭାବିତ କରେ ତାହା ଅନୁସନ୍ଧାନ କରାଯାଇଥିଲା । ଭବିଷ୍ୟତର ମହାକାଶ କୃଷି ଉପରେ ପ୍ରଭାବ ସହିତ ଜେନେଟିକ୍ସ, ମାଇକ୍ରୋବିୟଲ ଇକୋସିଷ୍ଟମ୍ ଓ ପୁଷ୍ଟିକର ପ୍ରୋଫାଇଲରେ ପରିବର୍ତ୍ତନ ଅଧ୍ୟୟନ କରିବା ପାଇଁ ଆଇଏସ୍ଏସରେ ଉତ୍ପାଦିତ ବିହନ ଅନେକ ପିଢ଼ି ଧରି ପୃଥିବୀରେ ଚାଷ କରାଯିବ । ମହାକାଶରେ ଖାଦ୍ୟ, ଅମ୍ଳଜାନ ଓ ଜୈବ ଇନ୍ଧନ ଉତ୍ପାଦନ କରିବାର ସାମର୍ଥ୍ୟ ଅନୁସନ୍ଧାନ ସହିତ ଶୁକ୍ଳା ମାଇକ୍ରୋଶେବାଳ ଉପରେ ପରୀକ୍ଷଣର ନେତୃତ୍ୱ ନେଇଥିଲେ, ଯାହା ଦୀର୍ଘକାଳୀନ ଅଭିଯାନକୁ ସମର୍ଥନ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ । ଏହି ମିଶନର ନେତୃତ୍ୱ ଆମେରିକାର ଅଭିଜ୍ଞ ମହାକାଶ·ରୀ ପେଗି ହ୍ୱିଟସନ ନେଇଥିଲେ । ଭାରତର ଶୁଭାଂଶୁ ଶୁକ୍ଳା ପାଇଲଟ୍ ଦାୟିତ୍ୱରେ ରହିଥିଲେ । ପୋଲାଣ୍ଡର ୟୁରୋପୀୟ ସ୍ପେସ ଏଜେନ୍ସିର ପ୍ରୋଜେକ୍ଟ ମହାକାଶଚାରୀ ସ୍ଲାଭୋଜ୍ ୱିସନିସ୍କି ଓ ହଙ୍ଗେରୀର ଟିବୋର୍ କାପୁ ମିଶନ ବିଶେଷଜ୍ଞ ଭାବେ ମହାକାଶକୁ ଯାଇଥିଲେ । ଏହି ଘରୋଇ ମିଶନରେ ଭାରତୀୟଙ୍କୁ ମହାକାଶକୁ ପଠାଇବା ପାଇଁ ଭାରତ ପ୍ରାୟ ୫ଶହ କୋଟି ଟଙ୍କା ଖର୍ଚ୍ଚ କରୁଥିବା ଚର୍ଚ୍ଚା ହେଉଛି । ନାସା, ଆକ୍ସିଅମ୍ ସ୍ପେସ ଓ ସ୍ପେସ ଏକ୍ସ ଓ ଇସ୍ରୋର ଏହା ଏକ ମିଳିତ ମିଶନ ।

Leave A Reply

Your email address will not be published.