ସମ୍ବଲପୁର, 16/7: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବନାଞ୍ଚଳ ଅନ୍ତର୍ଗତ ସରାପାଲି ଫରେଷ୍ଟ ବିଟର ଟିକିଲିପଡ଼ା ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ବିଦ୍ୟୁତ ଆଘାତରେ ଏକ ମାଈ ହାତୀର ମୃତ୍ୟୁ ଘଟି ଥିବା ବେଳେ ଏହି ଘଟଣାରେ ଅଭିଯୁକ୍ତ ସେହି ଟିକିଲିପଡ଼ା ଗ୍ରାମର ଅମର କୁମାର ପ୍ରଧାନ (୫୫)ଙ୍କୁ ନାକଟିଦେଉଳ ବନ ବିଭାଗ ଗିରଫ କରି ମଙ୍ଗଳବାର ରେଢ଼ାଖୋଲ କୋର୍ଟଚାଲାଣ କରିଥିବା ଜଣାପଡିଛି । ବନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଟିକିଲିପଡ଼ା ଗ୍ରାମର ଅମର କୁମାର ପ୍ରଧାନ ଜଙ୍ଗଲୀ ହାତୀମାନଙ୍କ ଉପଦ୍ରରୁ ନିଜ ଧାନ କ୍ଷେତକୁ ସୁରକ୍ଷା ଦେବାକୁ ନିଜ ଜମିର ଚତୁଃପାଶ୍ୱର୍ରେ ସୋଲାର ଫେନସିଂ ତାର ଟାଣି ଥିଲେ । ତେବେ ଘଟଣା ଦିନ ଏକ ୯ ଟିକିଆ ହାତୀ ପଲ ଗ୍ରାମକୁ ଆସିଥିବା ବେଳେ ଗ୍ରାମବାସୀ ଏବଂ ବନ ବିଭାଗ କର୍ମଚାରୀମାନେ ହାତୀପଲକୁ ଘଉଡ଼ାଇ ଥିଲେ । ହାତୀ ପଲ ଗ୍ରାମରୁ ଜଙ୍ଗଲ ମଧ୍ୟକୁ ଚାଲି ଯାଉଥିବା ବେଳେ ଅମର ପ୍ରଧାନଙ୍କ ଧାନ ଜମି ରାସ୍ତା ଦେଇ ଯାଉଥିବା ବେଳେ ଏକ ୬ ବର୍ଷର ମାଈ ହାତୀ ସେହି ତାରରେ ଲାଗିଯାଇଥିଲା । ଅଭିଯୁକ୍ତ ଅମର ପ୍ରଧାନଙ୍କୁ ସୋଲାର ଫେନସିଂ ତାର ଟାଣିବାକୁ ଅନୁମତି ଦିଆଯାଇଥିଲେ ମଧ୍ୟ ଉକ୍ତ ଦିନ ସେ ମୁଖ୍ୟ ବିଦ୍ୟୁତ ତାରରୁ ହୁକ ପକାଇ ସୋଲାର ଫେନସିଂ ତାରରେ ସଂଯୋଗ କରିଥିଲେ । ଫଳରେ ଏହି ବିଦ୍ୟୁତ ତାରରେ ଲାଗି ଘଟଣା ସ୍ଥଳରେ ଉକ୍ତ ମାଈ ହାତୀଟିର ଜୀବନ ଚାଲି ଯାଇଥିଲା । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ବନ ବିଭାଗର ଉଚ୍ଚ ଅଧିକାରୀମାନେ ଘଟଣାର ତଦନ୍ତ କରି ବିଦ୍ୟୁତ ତାର ଟାଣି ଥିବା ଟିକିଲିପଡ଼ା ଗ୍ରାମର ଚାଷୀ ଅମର କୁମାର ପ୍ରଧାନକୁ ସୋମବାର ଗିରଫ କରିଥିଲେ । ବନ୍ୟପ୍ରାଣୀ ସୁରକ୍ଷା ଆଇନ ଧାରା ୯ ଅନୁସାରେ ଅଭିଯୁକ୍ତ ଅମର କୁମାର ପ୍ରଧାନଙ୍କ ନାମରେ ଅପରାଧିକ ମାମଲା ରୁଜୁ କରାଯାଇ ମଙ୍ଗଳବାର ରେଢ଼ାଖୋଲ କୋର୍ଟଚାଲାଣ କରାଯାଇଛି ବୋଲି ନାକଟିଦେଉଳ ବନାଞ୍ଚଳ ଅଧିକାରୀ ଅଶ୍ୱିନୀ କୁମାର ବେହେରା କହିଛନ୍ତି । ଅପର ପକ୍ଷରେ ଅଦାଲତ ଅଭିଯୁକ୍ତର ଜାମିନ ନାମଞ୍ଜୁର କରି ତାଙ୍କୁ ଜେଲ ହାଜତକୁ ପଠାଇ ଦେଇଥିବା ଜଣାପଡିଛି । ଏଠାରେ ସୂଚନା ଯୋଗ୍ୟ ଯେ ଗତ ନଭେମ୍ବର ୧୮ ତାରିଖରେ ନାକଟିଦେଉଳ ବନାଞ୍ଚଳ ଅନ୍ତର୍ଗତ ଘୋଷରାମାଳ ଫରେଷ୍ଟ ସେକ୍ସନର ବୁରୋମାଲ ଜଙ୍ଗଲରେ ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୩ଟି ହାତୀର ମୃତ୍ୟୁ ଘଟିବା ଘଟଣାରେ ମଧ୍ୟ ବନ ବିଭାଗ ୩ଜଣ ଶିକାରୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା ।