ଭୁବନେଶ୍ୱର, ୨ା୮: ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ମହାନଦୀ ଜଳବିବାଦର ଆପୋଷ ସମାଧାନ ପାଇଁ ବାଟ ଫିଟିଛି । ପ୍ରଥମଥର ପାଇଁ ଏହି ଜଳବିବାଦର ଆପୋଷ ସମାଧାନ ନିମନ୍ତେ ଓଡ଼ିଶା ଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ସହମତି ଜଣାଇଛନ୍ତି । ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲରେ ମଧ୍ୟ ଶନିବାର ଦୁଇ ରାଜ୍ୟର ଓକିଲ ହାଜର ହୋଇ ବିବାଦର “ଆପୋଷ ସମାଧାନ’କୁ ନେଇ ସକରାତ୍ମକ ମତ ରଖିବାପରେ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଜଷ୍ଟିସ ବି.ଏମ. ତ୍ରିବେଦୀଙ୍କ ଖଣ୍ଡପୀଠ ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ଓ ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୬ତାରିଖକୁ ନିର୍ଦ୍ଧାରଣ କରିଛନ୍ତି । ଏହି ଶୁଣାଣିବେଳେ ଦୁଇ ରାଜ୍ୟର ସଚିବ ଉପସ୍ଥିତ ରହି ଆପୋଷ ସମାଧାନର ଅଗ୍ରଗତି ସମ୍ପର୍କରେ ଅବଗତ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି କେନ୍ଦ୍ରରେ ଓ ଛତିଶଗଡ଼ରେ ନିଜ ଦଳର ସରକାରରେ ଥିବାରୁ ମହାନଦୀ ଜଳବିବାଦର ଆପୋଷ ସମାଧାନ ଉପରେ ରାଜ୍ୟର ମୋହନ ମାଝୀ ସରକାର ଗୁରୁତ୍ୱ ଦେଉଛନ୍ତି । ମୁଖ୍ୟମନ୍ତ୍ରୀ ଗତ ସପ୍ତାହରେ ଏକ ଉଚ୍ଚସ୍ତରୀୟ ବୈଠକରେ ମହାନଦୀ ଜଳ ବିବାଦର ଆପୋଷ ସମାଧାନ ଉପରେ ଗୁରୁତ୍ୱ ଦେବା ସହ ଜୁଲାଇ ୨୫ତାରିଖରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏଙ୍କୁ ଚିଠି ଲେଖି ମହାନଦୀ ଜଳବିବାଦର ଆପୋଷ ସମାଧାନ ପାଇଁ ପ୍ରସ୍ତାବ ଦେଇଥିଲେ । କେନ୍ଦ୍ର ସରକାରଙ୍କ ସହାୟତାରେ ଦୁଇ ରାଜ୍ୟ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ କରିବାର ସମ୍ଭାବନା ଉପରେ ଗୁରୁତ୍ୱ ଦେଇଥିଲେ । ଯାହାର ଉତ୍ତର ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଶ୍ରୀ ସାଏ ଶୁକ୍ରବାର ଦେଇଛନ୍ତି । ଯେଉଁଥିରେ ସେ ଦୁଇରାଜ୍ୟ ମଧ୍ୟରେ ଥିବା ଜଳବିବାଦର ଆପୋଷ ସମାଧାନ ପାଇଁ ଓଡ଼ିଶା ଦେଇଥିବା ପ୍ରସ୍ତାବ ଏବେ ତାଙ୍କ ସରକାରର “ବିଚାରାଧୀନ’ ଥିବା ସ୍ପଷ୍ଟ କରିଛନ୍ତି । ଶନିବାର ଟ୍ରିବ୍ୟୁନାଲଙ୍କ ପାଖରେ ରାଜ୍ୟ ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ମଧ୍ୟ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଏବଂ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଦାନପ୍ରଦାନ ହୋଇଥିବା ଚିଠିକୁ ଉପସ୍ଥାପନ କରଇଥିଲେ । ଛତିଶଗଡ଼ ସରକାରଙ୍କ ବରିଷ୍ଠ ଓକିଲ୍ ମଧ୍ୟ ଏହି ଜଳବିବାଦର “ଆପୋଷ ସମାଧାନ ପ୍ରସ୍ତାବ’ ଏବେ ତାଙ୍କ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସକ୍ରିୟ ବିଚାରାଧୀନ ରହିଥିବା ଟ୍ରିବ୍ୟୁନାଲଙ୍କୁ ଅବଗତ କରାଇଥିଲେ । ସେହିପରି ଶନିବାର ନୂଆଦିଲ୍ଲୀରେ ମହାନଦୀ ଜଳ ବିବାଦର ଶୁଣାଣି ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଜଷ୍ଟିସ ବି.ଏମ୍. ତ୍ରିବେଦୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ଉଭୟ ରାଜ୍ୟର ଓକିଲ ଉପସ୍ଥିତ ରହି “ଆପୋଷ ସମାଧାନ’ ଦିଗରେ ଦୁଇ ରାଜ୍ୟଙ୍କ ସକରାତ୍ମକ ପଦକ୍ଷେପ ସମ୍ପର୍କରେ ଟ୍ରିବ୍ୟୁନାଲଙ୍କୁ ଅବଗତ କରାଇଥିଲେ । ଟ୍ରିବ୍ୟୁନାଲ ମଧ୍ୟ ଏହି ପଦକ୍ଷେପକୁ ସ୍ୱାଗତ କରିବା ସହ ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୬ତାରିଖରେ ହେବ ଏବଂ ଉଭୟ ରାଜ୍ୟର ବିଭାଗୀୟ ସଚିବ ଉପସ୍ଥିତ ରହି ସମାଧାନର ଅଗ୍ରଗତି ସମ୍ପର୍କରେ ଅବଗତ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଶାର ଆଡଭୋକେଟ୍ ଜେନେରାଲ ଶ୍ରୀ ଆଚାର୍ଯ୍ୟ କହିଥିଲେ ଯେ, ଦୁଇ ରାଜ୍ୟର ମୁଖ୍ୟ ସଚିବ ଓ ରାଜନୈତିକ ନେତୃତ୍ୱ ସ୍ତରରେ ଆଲୋଚନା ଆରମ୍ଭ ହୋଇଛି । ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ସକାରାତ୍ମକ ମନୋଭାବ ରଖି ଆଲୋଚନା କଲେ ନିଶ୍ଚିତ ସଫଳତା ମିଳିବ । ବିଗତ ୬ ବର୍ଷ ମଧ୍ୟରେ ଟ୍ରିବ୍ୟୁନାଲ ମାଧ୍ୟମରେ କୌଣସି ଗୁରୁତ୍ୱପୂର୍ଣ୍ଣ ସମାଧାନ ହାସଲ ହୋଇପାରିନାହିଁ ଏବଂ ରାଜନୈତିକ ସ୍ତରରେ ଆଲୋଚନା ହିଁ ଏହି ବିବାଦର ସମାଧାନର ସର୍ବୋତ୍ତମ ଉପାୟ ବୋଲି ଶ୍ରୀ ଆଚାର୍ଯ୍ୟ ମତ ରଖିଥିଲେ ବୋଲି ଜାତୀୟ ସମ୍ବାଦ ସରବରାହ ସଂସ୍ଥା “ପିଟିଆଇ’ ସୂଚନା ଦେଇଛି ।