ମୋର ମା\’ଙ୍କ ଅପମାନ, ଦେଶର ପ୍ରତି ମା\’ଙ୍କ ଅପମାନ

An insult to my mother, an insult to the country.

0 23

ନୂଆଦିଲ୍ଲୀ, : ବିହାର ନିର୍ବାଚନ ପାଖେ ଆସୁଥିବା ବେଳେ ବିରୋଧୀ କଂଗ୍ରେସ ଓ ଆରଜେଡି ମେଣ୍ଟକୁ ତୀବ୍ର ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିରୋଧୀ ମେଣ୍ଟର ଗୋଟିଏ ପ୍ରଚାର ସଭାର ଷ୍ଟେଜରେ ତାଙ୍କ ମା\’କୁ ଗାଳି କରାଯାଇଥିଲା ଓ ଏଭଳି ଆଚରଣ ଦେଶର ସମସ୍ତ ମା\’ ଓ ଭଉଣୀଙ୍କ ପ୍ରତି ଅପମାନ ବୋଲି ମୋଦି କହିଛନ୍ତି । ନିର୍ବାଚନ ପୂର୍ବରୁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦି ବିହାର ରାଜ୍ୟ ଜୀବିକା ନିଧି ସାଖ ସହକାରୀ ସଂଘ ଲିଃର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ଦ୍ୱାରା ବିହାରର ମହିଳା ଉଦ୍ୟୋଗୀମାନଙ୍କୁ ଋଣ ଯୋଗାଇ ଦିଆଯିବ । ଏହାକୁ ଭିଡିଓ କନଫରେନ୍ସିଂ ଜରିଆରେ ଲଞ୍ଚ କରି ପ୍ରଧାନମନ୍ତ୍ରୀ ମୋଦି ବିରୋଧୀଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି । ନିକଟରେ କଂଗ୍ରେସ ଓ ଆରଜେଡି ପକ୍ଷରୁ ଆୟୋଜିତ ଭୋଟର ଅଧିକାର ଯାତ୍ରାର ମଞ୍ଚରେ ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ଦିବଂଗତ ମା\’ଙ୍କ ବିରୋଧରେ ଅପଶବ୍ଦ ପ୍ରୟୋଗ କରାଯାଇଥିଲା । ଏହି ସମୟରେ ରାହୁଲ ଗାନ୍ଧି କିମ୍ବା ତେଜସ୍ୱୀ ଯାଦବ ଷ୍ଟେଜ ଉପରେ ନଥିଲେ । ଏହି ଘଟଣାରେ ପୋଲିସ୍‌ ଜଣଙ୍କୁ ଗିରଫ ମଧ୍ୟ କରିଛି । ବିଜେପି ଏହାକୁ ପ୍ରମୁଖ ପ୍ରସଙ୍ଗ କରି ରାହୁଲ ଗାନ୍ଧିଙ୍କ କ୍ଷମା ପ୍ରାର୍ଥନା ଦାବି କରୁଛି । ଏହାକୁ ଆଧାର କରି ବିଜେପି କର୍ମୀମାନେ ପାଟନାରେ ଥିବା କଂଗ୍ରେସ ଅଫସିରେ ପଶିବାକୁ ଚେଷ୍ଟା କରୁଥିବା ବେଳେ ଦୁଇ ଦଳର କର୍ମୀଙ୍କ ମଧ୍ୟରେ ପତାକା ଲଢେଇ ଦେଖିବାକୁ ମିଳିଥିଲା । ଏବେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏହାକୁ ମୁଖ୍ୟ ପ୍ରସଙ୍ଗ କରି କଂଗ୍ରେସ ପ୍ରତ୍ୟେକ ମା\’ଙ୍କୁ ଗାଳି ଦେଇଛି ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ମା\’ ହେଉଛନ୍ତି ଆମର ବିଶ୍ୱ । ମା\’ ହେଉଛନ୍ତି ଆମର ଆତ୍ମ ସମ୍ମାନ । କିଛି ଦିନ ତଳେ ବିହାରରେ ଯାହା ଘଟିଲା, ତା\’କୁ ମୁଁ କେବେ ହେଲେ କଳ୍ପନା କରି ନଥିଲି । ବିହାରରେ କଂଗ୍ରେସ ଓ ଆରଜେଡି ମଞ୍ଚରୁ ମୋ ମା\’ଙ୍କ ବିରୋଧରେ ଅପଶବ୍ଦ ବ୍ୟବହାର କରାଗଲା । ଏହି ଅପଶବ୍ଦ କେବଳ ମୋ ମା\’ଙ୍କ ପ୍ରତି ଅପମାନ ନଥିଲା, ବରଂ ଏହା ପୂରା ଦେଶର ମା\’, ଭଉଣୀ ଓ ଝିଅଙ୍କ ପ୍ରତି ଅପମାନ । ଅପଶବ୍ଦ ଶୁଣି ମୁଁ ଯେତିକି ଯନ୍ତ୍ରଣା ପାଇଛି, ଆପଣମାନେ ମଧ୍ୟ ସେତିକି କଷ୍ଟ ଅନୁଭବ କରୁଥିବା ମୁଁ ଜାଣିଛି । ରାଜନୀତିରେ ମା\’ଙ୍କ କୌଣସି ସମ୍ପର୍କ ନଥିବା ବେଳେ କାହିଁକି ତାଙ୍କ ପ୍ରତି ଏପରି ଦୁର୍ବ୍ୟବହାର କରାଗଲା ତା\’ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି, ରାଜନୀତିକ ସହ ମୋ ମା\’ଙ୍କ କୌଣସି ସମ୍ପର୍କ ନାହିଁ । ତଥାପି ଆରଜେଡି ଓ କଂଗ୍ରେସ କାହିଁକି ତାଙ୍କୁ ଦୁର୍ବ୍ୟବହାର କଲେ? ସ୍ୱର୍ଗତ ମା\’ ହୀରାବେନ ଗରିବୀ ବିରୋଧରେ ସଂଘର୍ଷ କରି ତାଙ୍କୁ ଓ ତାଙ୍କ ଭାଇଭଉଣୀଙ୍କ ଲାଳନପାଳନ କରିଥିଲେ ବୋଲି ଭିଡିଓ କନଫରେନ୍ସିଂରେ ପ୍ରାୟ ୨୦ ଲକ୍ଷ ମହିଳାଙ୍କୁ ସମ୍ବୋଧନ କରିବା ବେଳେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ସେ କହିଛନ୍ତି, ମା\’ ଅସୁସ୍ଥ ଥିଲେ ମଧ୍ୟ କାମ କରନ୍ତି । ସେ ଗୋଟି ଗୋଟି ଟଙ୍କା ସଞ୍ଚୟ କରି ଆମମାନଙ୍କ ପାଇଁ ପୋଷାକ ତିଆରି କରନ୍ତି । ଏଭଳି କୋଟି କୋଟି ମା\’ ଭାରତରେ ରହିଛନ୍ତି । ଦେବାଦେବୀଙ୍କ ଠାରୁ ମା\’ଙ୍କ ସ୍ଥାନ ଯଥେଷ୍ଟ ଉପରେ । କଂଗ୍ରେସ ଓ ଆରଜେଡି ମଞ୍ଚରୁ ବ୍ୟବହାର ହୋଇଥିବା ଅପଶବ୍ଦ କେବଳ ମୋ ମା\’ଙ୍କ ପାଇଁ ନଥିଲା, କନ୍ତୁ ଏହା କୋଟି କୋଟି ମା\’ ଓ ଭଉଣୀଙ୍କ ପାଇଁ ଥିଲା । ରାଜ ପରିବାରରେ ଜନ୍ମ ହୋଇଥିବା ରାଜକୁମାରମାନେ କେବେ ହେଲେ ଗରିବ ମା\’ର ସଂଘର୍ଷକୁ ବୁଝି ପାରିବେ ନାହିଁ । ଏହି ଲୋକମାନେ ସୁନା ଓ ରୁପାର ଚାମଚ ସହ ଜନ୍ମ ନେଇଛନ୍ତି । ବିହାରର କ୍ଷମତା ସେମାନଙ୍କ ପରିବାର ବୋଲି ସେମାନେ ଭାବନ୍ତି । କିନ୍ତୁ ଆପଣମାନେ ଜଣେ ଗରିବ ମା\’ର ପୁଅକୁ ଆଶୀର୍ବାଦ ଦେଇ ପ୍ରଧାନ ସେବକ କରିଛନ୍ତି । ନାମଦାରମାନେ ଏହାକୁ ହଜମ କରିପାରୁ ନାହାନ୍ତି । ମୋ ବିରୋଧରେ ସେମାନେ ଅନେକ ଅପଶବ୍ଦ ବ୍ୟବହାର କରିଛନ୍ତି । ଏହାର ତାଲିକା ବେଶ ଲମ୍ବା । ବେଳେବେଳେ ସେମାନେ ମୋତେ ନିଚ, ଅଳିଆ ଗଦାର ପୋକ,
ସାପ ଓ ଏବେ ସେମାନେ ମୋତେ ତୁ ତା\’ କରିବା ଆରମ୍ଭ କରିଛନ୍ତି । ଗାଳି ରାଜନୀତିକୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି, ମୋ ମା\’ଙ୍କୁ ବିରୋଧୀ ଗାଳିଦେଲେ । ତାଙ୍କର କ’ଣ ଭୁଲ୍ ଥିଲା? କେବଳ ମୋ ମା\’ ନୁହେଁ, କଂଗ୍ରେସ ପ୍ରତ୍ୟେକ ମା\’ଙ୍କୁ ଗାଳି ଦେଇଛି । ଆଜି ମୁଁ ଯାହା ବି କିଛି ଅଛି, ସେଥିରେ ମୋ ମା\’ର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଅନେକ କଷ୍ଟ ସହି ମୋ ମା\’ ଆମକୁ ଲାଳନପାଳନ କରିଥିଲା । ରାଜନୀତିରେ ମୋ ମା\’ର କୌଣସି ଭୂମିକା ନାହିଁ । ତଥାପି ସେମାନେ ତା\’କୁ ଗାଳି କଲେ । ମା\’ ଭଉଣୀଙ୍କୁ ଗାଳି କରିବା ଅର୍ଥ ମହିଳାଙ୍କୁ ଦୁର୍ବଳ କରିବା । ଆରଜେଡି ଶାସନରେ ବିହାରରେ ମହିଳା ରାସ୍ତାକୁ ବାହାରି ପାରୁ ନଥିଲେ । ବିହାରବାସୀ ଲମ୍ବା ଲଢ଼େଇ କରି ଅନ୍ଧାରରୁ ମୁକ୍ତି ପାଇଛନ୍ତି । ଆରଜେଡି-କଂଗ୍ରେସ ବିହାରରେ ମହିଳାଙ୍କୁ ଡରିଯାଇଛନ୍ତି । ଏହି ମହିଳାମାନେ ଏଥର ନିର୍ବାଚନରେ ସେମାନଙ୍କୁ ଜବାବ ଦେବେ । ଆରଜେଡି କେବେ ବି ମହିଳାଙ୍କୁ ଆଗକୁ ଛାଡୁ ନଥିଲା । ଗରିବ, ଆଦିବାସୀ ମହିଳା ରାଷ୍ଟ୍ରପତି ହେବା ପରେ କଂଗ୍ରେସ ତାଙ୍କୁ ଅପମାନିତ କରିଛି । ମାତୃଭୂମି ମା\’ର ଅପମାନକୁ କେବେ ବରଦାସ୍ତ କରିବନି ।

Leave A Reply

Your email address will not be published.