କ୍ରିସିଲ୍ ଆକଳନ: ଚିଙ୍ଗୁଡ଼ି ରପ୍ତାନି ୨୦% କମିବ

Crisil estimates: Shrimp exports to decline by 20%

0 23

ନୂଆଦିଲ୍ଲୀ,: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଲଗାଇଥିବା ୫୦ ପ୍ରତିଶତ ଶୁଳ୍କ ପ୍ରଭାବରେ ଦେଶରୁ ଚିଙ୍ଗୁଡ଼ି ରପ୍ତାନି ଚଳିତ ବର୍ଷ ୧୫-୧୮ ପ୍ରତିଶତ କମ୍ ହେବ ବୋଲି ରେଟିଂ ଏଜେନ୍ସି କ୍ରିସିଲ୍ ରେଟିଂସ୍‌ ଆକଳନ କରିଛି । ଚଳିତ ମାସ ୨୭ରୁ ବର୍ଦ୍ଧିତ ଶୁଳ୍କ ଲାଗୁ ହୋଇଛି । ଏବେ ଚିଙ୍ଗୁଡ଼ି ଉପରେ ପ୍ରଭାବୀ ଶୁଳ୍କ ୫୮.୨୬ ପ୍ରତିଶତକୁ ବୃଦ୍ଧି ପାଇଛି । ଚିଙ୍ଗୁଡ଼ି ରପ୍ତାନିକାରୀମାନେ ନିଜ ଉତ୍ପାଦ ପୋର୍ଟଫୋଲିଓକୁ ବାଇବା ଏବଂ ନୂତନ ବଜାରରେ ପ୍ରବେଶ କରିବା ବିଷୟରେ ବିଚାର କରୁଛନ୍ତି । ଶୁଳ୍କ ବଢ଼ିବ ବୋଲି ପୂର୍ବାନୁମାନ କରିଥିବା ରପ୍ତାନିକାରୀମାନେ ଆଗୁଆ ବୁକିଂ କରିଛନ୍ତି । ତଥାପି ସେମାନଙ୍କ ରାଜସ୍ୱରେ ୧୮-୨୦ ପ୍ରତିଶତ ହ୍ରାସ ଘଟିବା ଆଶା କରାଯାଉଛି । ୨୦୨୪-୨୫ରେ ଭାରତରୁ ପ୍ରାୟ ୪୪ ହଜାର କୋଟି ଟଙ୍କାର ଚିଙ୍ଗୁଡ଼ି ରପ୍ତାନି କରାଯାଇଥିଲା । ସେଥିରୁ ୪୦ ପ୍ରତିଶତ ଚିଙ୍ଗୁଡ଼ି କେବଳ ଆମେରିକାକୁ ପଠାଯାଇଥିଲା । ଓଡ଼ିଶାରୁ ଗତ ଆର୍ଥିକ ବର୍ଷରେ ୪୭୦୦ କୋଟି ଟଙ୍କାର ଚିଙ୍ଗୁଡ଼ି ରପ୍ତାନି କରାଯାଇଛି । ତାହାର ଏକ ତୃତୀୟାଂଶ ଆମେରିକାକୁ ଯାଇଛି । କ୍ରିସିଲ୍‌ ପକ୍ଷରୁ ୬୩ ରପ୍ତାନିକାରୀଙ୍କୁ ନେଇ କରାଯାଇଥିବା ଅନୁଶୀଳନରୁ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ସେହି ରପ୍ତାନିକାରୀ ମାନଙ୍କ ପାଖରେ ଶିଳ୍ପର ୫୫ ପ୍ରତିଶତ ରାଜସ୍ୱ ରହିଛି । ଆୟ କମ୍ ହେଲେ ଚିଙ୍ଗୁଡ଼ି ରପ୍ତାନିକାରୀମାନଙ୍କ କ୍ରେଡିଟ୍ ପ୍ରୋଫାଇଲ୍ ପ୍ରଭାବିତ ହେବା ଆଶଙ୍କା ରହିଛି ବୋଲି କ୍ରିସିଲ୍ ଜଣାଇଛି । ପୂର୍ବରୁ ଆମେରିକା ୧୦ ପ୍ରତିଶତ ଶୁଳ୍କ ଲଗାଇଥିବା ବେଳେ ଭାରତୀୟ ଚିଙ୍ଗୁଡ଼ି ରପ୍ତାନି ବିଶେଷ ପ୍ରଭାବିତ ହୋଇନଥିଲା । କାରଣ ସେହି ଦରବୃଦ୍ଧିକୁ ଆମେରିକା ଗ୍ରାହକ ସହ୍ୟ କରିନେଇଥିଲେ ।

Leave A Reply

Your email address will not be published.