ନୂଆପଡା ୮/୯ ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା ବର୍ତ୍ତମାନ ର ବିଧାୟକ ରାଜେନ୍ଦ୍ର ଢୋଲକିଆ ପରଲୋକରେ। ତାଙ୍କର ମୃତ୍ୟୁରେ ସାରା ଜିଲ୍ଲାରେ ଶୋକର ବାତାବରଣ ଖେଳିଯାଇଛି। ନୂଆପଡା ନିର୍ବାଚନ ମଣ୍ଡଳୀରୁ ଚାରିଥର ବିଧାୟକ ହୋଇଥିବା ଶ୍ରୀ ଢୋଲକିଆ ଜଣେ ନିଷ୍କପଟ ତଥା ନିଷ୍ଠା ବାନ ସମାଜସେବୀ ଥିଲେ। ପ୍ରଥମରେ ସ୍ୱାଧୀନ ପ୍ରାର୍ଥୀ ଓ ତିନିଥର ବିଜୁ ଜନତା ଦଳରୁ ଟିକେଟ ପାଇ ବିଧାୟକ ହୋଇଥିଲେ। ନୂଆପଡା ଜିଲ୍ଲାର କୋଣ ଅନୁକୋଣରୁ ତଥା ପଡୋଶୀ ରାଜ୍ୟ ଛତିଶଗଡରୁ ଲୋକ ତାଙ୍କ ପାଖକୁ ଆସି ସାହାଯ୍ୟ ଗ୍ରହଣ କରୁଥିଲେ। ଲୋକଙ୍କର ନିଶୁଳ୍କ ଆଖି ଅପରେସନ ସେ କରାଉଥିଲେ। ତେଣୁ ଏପରି ଜଣେ ବ୍ୟକ୍ତିଙ୍କର ଅକସ୍ମାତ ମୃତ୍ୟୁ କୁ ଜନସାଧାରଣ ସହଜରେ ବିଶ୍ୱାସ କରିପାରୁ ନାହାନ୍ତି। କିଛିଦିନ ତଳେ ତାଙ୍କର ହୃଦୟ ପ୍ରତିରୋପଣ ଚେନାଇର ଏକ ଘରୋଇ ଡାକ୍ତରଖାନାରେ କରାଯାଇଥିଲା। ଅପରେସନ ସଫଳ ହୋଇଥିବା ଶୁଣି ଅଞ୍ଚଳ ବାସୀ ବେଶ ଖୁସିଥିଲେ। ହେଲେ ହଠାତ ଆଜି ତାଙ୍କର ମୃତ୍ୟୁ ଖବର ପାଇ ସମସ୍ତେ ଏକ ପ୍ରକାର ସ୍ତବଦ ହୋଇଯାଇଥିଲେ। ତାଙ୍କର ଆତ୍ମାର ସଦଗତି କାମନାର ବାର୍ତା ରେ ସାମାଜିକ ଗଣ ମାଧ୍ୟମ ଏକ ପ୍ରକାର ବ୍ୟସ୍ତ ହୋଇଯାଇଥିବାର ଦେଖିବାକୁ ମିଳିଛି।