ଜିଏସ୍‌ଟି ହ୍ରାସ : ପାର୍ବଣରେ ବଢ଼ିବ ବଜାର ଚାହିଦା

GST reduction: Market demand will increase in the coming season

0 32

ନୂଆଦିଲ୍ଲୀ, : ପାର୍ବଣ ବଜାରରେ ଜିଏସ୍‌ଟି ହ୍ରାସ ଉତ୍ସାହ । ସରକାର ନିକଟରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି)ରେ ବଡ଼ ହ୍ରାସ କରିଛନ୍ତି । ଏହାଦ୍ୱାରା ବିସ୍ତୃତ ବର୍ଗର ସାମଗ୍ରୀ ଦର ଶସ୍ତା ହେବାକୁ ଯାଉଛି । ଏହା ପାର୍ବଣରେ ବମ୍ପର ସପିଂକୁ ଉତ୍ସାହିତ କରିବ । ବଜାର ଚାହିଦା ବଢ଼ିବ । ଏଥର ପାର୍ବଣରେ ଅର୍ବାନ ଇଣ୍ଡିଆ ବା ସହରାଞ୍ଚଳରେ ଲୋକମାନେ ୨.୧୯ ଲକ୍ଷ କୋଟି ଖର୍ଚ୍ଚ କରିବେ । ଖାଉଟି ଚାହିଦା ପୁଣି ଥରେ ଦୃଢ଼ ହେଉଥିବାରୁ ଖର୍ଚ୍ଚରେ ଏଭଳି ନୂଆ ଟ୍ରେଣ୍ଡ୍ ଦେଖିବାକୁ ମିଳିବ ବୋଲି ଲୋକାଲ୍ ସର୍କଲ ପକ୍ଷରୁ ପ୍ରସ୍ତୁତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଲୋକଙ୍କ ଖର୍ଚ୍ଚ ଟ୍ରେଣ୍ଡକୁ ନେଇ ଦେଶର ୩୧୯ ଜିଲାରେ ୪୪ ହଜାର ପରିବାରର ୨ ଲକ୍ଷ ଲୋକଙ୍କୁ ନେଇ ଏକ ଅଧ୍ୟୟନ କରାଯାଇଥିଲା । ପାର୍ବଣ ସମୟରେ ଲୋକେ ଏଥର ଇଲେକ୍ଟ୍ରୋନିକ୍ସ, ଅଟୋମୋବାଇଲ ଏବଂ ଅନ୍ୟ ଆବଶ୍ୟକୀୟ କ୍ଷେତ୍ରରେ ଖର୍ଚ୍ଚ କରିବେ ବୋଲି ବେଶ୍ ପ୍ରସ୍ତୁତ ରହିଛନ୍ତି । ବିଭିନ୍ନ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଦର ହ୍ରାସ ଦିଗରେ ସରକାର ଜିଏସ୍‌ଟିରେ ପରିବର୍ତ୍ତନ କରିଛନ୍ତି । ହେୟାର୍ ଅଏଲ, ସାବୁନ, ବାଇସାଇକେଲ ଏବଂ ଏସି, ଟିଭି ଭଳି କଞ୍ଜ୍ୟୁମର ଡ୍ୟୁରେବଲ୍ସ କ୍ଷେତ୍ରରେ ପୂର୍ବରୁ ୨୮% ତୁଳନାରେ ଏବେ ୫% ଏବଂ ୧୮%କୁ ଜିଏସ୍‌ଟି ଖସିଛି । ଜୀବନ ରକ୍ଷାକାରୀ ମେଡିସିନ, ସ୍ୱାସ୍ଥ୍ୟ ବୀମା ଏବଂ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଦର ହ୍ରାସ ହେବାକୁ ଥିବାରୁ ଏହା ଲୋକଙ୍କୁ ଆଶ୍ୱସ୍ତି ଦେଇଛି । ହୋମ୍‌, ଫ୍ୟାସନ ଏବଂ ଗ୍ୟାଜେଟ୍ କିଣାକୁ ଲୋକେ ଏଥର ମଧ୍ୟ ପ୍ରାଥମିକତା ଦେବେ । ଗ୍ରାହକ ବିଶେଷ କରି ନୂଆ ଫର୍ଣ୍ଣିଚର, ଆପ୍ଲାଏନ୍ସ, ହୋମ୍‌ ଡେକୋର ସାମଗ୍ରୀ ପାର୍ବଣରେ କିଣିବାକୁ ଯାଉଛନ୍ତି । ସେହିଭଳି ପୋଷାକ, ଜୋତା, ମୋବାଇଲ ଭଳି ସାମଗ୍ରୀ କିଣାକୁ ମଧ୍ୟ ଗ୍ରାହକ ପ୍ରାଥମିକତା ଦେବେ ବୋଲି କହିଛନ୍ତି । ୫୯% ଲୋକ ଡିଜିଟାଲ ପେମେଣ୍ଟକୁ ପ୍ରାଥମିକତା ଦେଉଥିବା କହିଛନ୍ତି । ଗତ ପାର୍ବଣ ତୁଳନାରେ ଏଥର ଆର୍ଥିକ ସ୍ଥିତିରେ ଉନ୍ନତି ଥିବା ୬୨% କହିଛନ୍ତି । ମୁଦ୍ରାସ୍ଫୀତି ନିୟନ୍ତ୍ରଣାଧିନ ହେବା, ଜିଏସ୍‌ଟି ହ୍ରାସ ଏବଂ ସୁଧହାରରେ ସ୍ଥିତାବସ୍ଥା ଯୋଗୁ ଲୋକଙ୍କ ହାତରେ କିଛି ଅର୍ଥ ସଞ୍ଚୟ ହୋଇଛି । ଏହାକୁ ସେମାନେ ଏଥର ପାର୍ବଣରେ କିଣାକିଣିରେ ଲଗାଇବେ । ତେବେ ଯୋଗାଣ ଶୃଙ୍ଖଳରେ ସମସ୍ୟା, ଦରଦାମ ନିୟନ୍ତ୍ରଣ ଏବଂ କମ୍ପାନି ଜିଏସଟି ହ୍ରାସ ଖାଉଟିଙ୍କୁ ହସ୍ତାନ୍ତର କରିବା ଏ କ୍ଷେତ୍ରରେ ଚ୍ୟାଲେଞ୍ଜ ହୋଇପାରେ । ମୋଟାମୋଟି ଭାବେ କହିବାକୁ ଗଲେ ଜିଏସ୍‌ଟି ହ୍ରାସ ଅର୍ଥନୀତିକୁ ଚଳଚଞ୍ଚଳ କରିବ ବୋଲି ଏହି ରିପୋର୍ଟରେ କୁହାଯାଇଛି । ୨୨ ସେପ୍ଟେମ୍ବରରୁ ଲାଗୁ ହେବ ସଂଶୋଧିତ ଜିଏସଟି ହାର । ଏହା ପୂର୍ବରୁ ସରକାର କମ୍ପାନୀଗୁଡ଼ିକ ସେମାନଙ୍କ ନିକଟରେ ରଖିଥିବା ପୁରୁଣା ଷ୍ଟକର ଏମ୍‌ଆରପି ବଦଳାଇବାକୁ ଅନୁମତି ଦେଇଛନ୍ତି । ମାକୁଫାକ୍‌ଚର୍ସ, ପ୍ୟାକର୍ସ ଏବଂ ଆମଦାନିକାରୀ ଏବେ ପୁରୁଣା ଷ୍ଟକ୍ ଉପରେ ନୂଆ ମୂଲ୍ୟର ଷ୍ଟାମ୍ପ, ଷ୍ଟିକର କିମ୍ବା ଅନ୍‌ଲାଇନ ପ୍ରିଣ୍ଟିଂ ଦେଇ ପାରିବେ । କେନ୍ଦ୍ର ଖାଉଟି ବ୍ୟାପାର ବିଭାଗ ପକ୍ଷରୁ ଏ ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହି ଅନୁମତି ଡିସେମ୍ବର ୩୧ କିମ୍ବା ଷ୍ଟକ ଶେଷ ହେବା ଯାଏ ଲାଗୁ ହେବ । ନୂଆ ମୂଲ୍ୟ ସହ କମ୍ପାନୀଙ୍କୁ ପୁରୁଣା ଏମ୍‌ଆର୍‌ପି ମଧ୍ୟ ଦେଖାଇବାକୁ ପଡ଼ିବ । ୩ ସେପ୍ଟେମ୍ବରରେ ଜିଏସ୍‌ଟି ପରିଷଦ ବିଭିନ୍ନ ସାମଗ୍ରୀ ଉପରେ ମୂଲ୍ୟ କମାଇବା ଲାଗି ଘୋଷଣା କରିଥିଲେ ।

Leave A Reply

Your email address will not be published.