ଭୁବନେଶ୍ୱର,: ଦୌଡୁଛି ସୁନା ବଜାର । ଘରୋଇ ବଜାରରେ ସୁନା ଏବଂ ରୁପା ଦର ଦିନକୁ ଦିନ ଆକାଶଛୁଆଁ ହେବାରେ ଲାଗିଛି । ଆଜି ସୁନା ବଜାରରେ ସର୍ବକାଳୀନ ରେକର୍ଡ ସୃଷ୍ଟି ହୋଇଛି । ବୁଧବାର ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧.୧୨ ଲକ୍ଷ ଟଙ୍କା ଟପି ନୂଆ ରେକର୍ଡ କରିଛି । ହେଲେ ଏଥିରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ମଧ୍ୟ ୧୦ ଗ୍ରାମ ପିଛା ପ୍ରଥମ ଥର ୧ ଲକ୍ଷ ଟଙ୍କାର ଐତିହାସିକ ସ୍ତର ଅତିକ୍ରମ କରିଛି । ଅପରପକ୍ଷେ ରୁପା ଦର ସୁନା ଅପେକ୍ଷା ଦ୍ରୁତ ଗତିରେ ବୃଦ୍ଧି ପାଇ ଏକ କିଲୋ ପିଛା ୧ ଲକ୍ଷ ୪୦ ହଜାର ଟଙ୍କା ଛୁଇଁଛି । ରାଜଧାନୀ ଭୁବନେଶ୍ୱରରେ ବୁଧବାର ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ସୁନା ଦର ରେକର୍ଡ ୧,୧୨,୬୬୫ ଟଙ୍କାରେ ପହଞ୍ଚିଛି । ତେବେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ପ୍ରଥମ କରି ୧,୦୧,୧୦୦ ଟଙ୍କା ଛୁଇଁଛି । ଏହାବାଦ୍ ରୁପା କିଲୋ ପିଛା ୧,୪୦,୦୦୦ ଟଙ୍କା ସ୍ତରରେ ପହଞ୍ଚି ନୂଆ ଇତିହାସ ରଚିଛି । ସେହିଭଳି ନୂଆଦିଲ୍ଲୀରେ ଆଜି ୨୪ କ୍ୟାରେଟ୍ ସୁନା ଦର ମଧ୍ୟ ୧୦ ଗ୍ରାମ ପିଛା ୧,୧୨,୬୬୫ ଟଙ୍କାର ନୂତନ ସ୍ତରରେ ପହଞ୍ଚିଛି । ୨୨ କ୍ୟାରେଟ୍ ସୁନା ମୂଲ୍ୟ ମଧ୍ୟ ୧୦ ଗ୍ରାମ ପିଛା ୧,୦୧,୧୦୦ ଟଙ୍କା ହୋଇଛି । କେତେକ ବୈଶ୍ୱିକ କାରଣ ଯୋଗୁ ବିଶ୍ୱ ସମେତ ଘରୋଇ ବଜାରରେ ସୁନା ଦର ମହଙ୍ଗା ହେଉଛି । ଡଲାର ତୁଳନାରେ ଭାରତୀୟ ଟଙ୍କା ଦୁର୍ବଳ ଯୋଗୁଁ ସୁନା ଦର ବଢ଼ୁଛି । ସୂଚନାଯୋଗ୍ୟ, ଚଳିତବର୍ଷ ସୁନା ଦରରେ ପାଖାପାଖି ୪୫ ପ୍ରତିଶତ ବୃଦ୍ଧି ଘଟିଲାଣି ।