ଢେଙ୍କାନାଳକୁ ଫେରିଲା କରୋନା

ଢେଙ୍କାନାଳ,୨୧ା୫ : ମହାମାରୀ କରୋନାର ସଂକ୍ରମଣକୁ ରୋକିବା ନିମନ୍ତେ ଦେଶ ତଥା ରାଜ୍ୟରେ ଲକ୍ଡାଉନ୍ ନିୟମ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ଏହି ନିୟମ ମଧ୍ୟ କଡାକଡି ଭାବେ ପାଳନ କରାଯାଉଛି । ହେଲେ କରୋନା ମହାମାରୀର ଆରମ୍ଭ ସମୟରେ ଏପ୍ରିଲ ମାସରେ ନିଜାମୁଦ୍ଦିନ ଲିଙ୍କ ଘଟଣାରେ ସହରର ମୀନାବଜାର ଅଂଚଳ ମୁସଲମାନ ବସ୍ତିରୁ ଜନୈକ ମହିଳାଙ୍କର କରୋନା ପଜିଟିଭ ବାହାରିଥିବାରୁ ତାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ ହସ୍ପିଟାଲକୁ ପଠାଯାଇ ଚିକିତ୍ସା କରାଯାଇଥିଲା । ଫଳରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ଦୀର୍ଘ ଦେଢମାସ ପରେ ପୁନର୍ବାର ଢେଙ୍କାନାଳ ଜିଲ୍ଲାରେ ଆଉଜଣେ ବ୍ୟକ୍ତିଙ୍କର କରୋନା ପଜିଟିଭ ବାହାରିଥିବାର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । କରୋନା ପଜିଟିଭ୍ ଚିହ୍ନଟ ବ୍ୟକ୍ତି ଜଣଙ୍କ ହେଉଛନ୍ତି କଙ୍କଡାହାଡ ଗ୍ରାମ ପଂଚାୟତର ଜଣେ ୧୮ବର୍ଷ ଯୁବକ । ଏହି ଯୁବକ ଗତ ୧୪ ତାରିଖରୁ ଚେନ୍ନାଇରୁ ଫେରି ଢେଙ୍କାନାଳରେ ପହଁଚିବା ପରେ ସଦର ବ୍ଳକ ତାଳବରକୋଟ ପଂଚାୟତରେ ଥିବା ଅସ୍ଥାୟୀ ସଂଘରୋଧ ଗୃହରେ ଥିଲେ । ୧୭ତାରିଖ ଦିନ ତାଙ୍କ ସହିତ ୯୭ଟି ସ୍ୱାବ୍ ନମୂନା ପରୀକ୍ଷା ପାଇଁ ପଠାଯାଇଥିଲା । ତେବେ ୧୯ ତାରିଖରେ ଆସିଥିବା ସ୍ୱାବ୍ ଟେଷ୍ଟ ରିପୋର୍ଟରେ ୯୬ଟି ନେଗେଟିଭ ଥିବା ବେଳେ ଉକ୍ତ ଯୁବକଙ୍କର ପଜିଟିଭ ଆସିଥିବା ଖବର ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାଯାଇଛି । ଉକ୍ତ ଯୁବକ ଜଣଙ୍କୁ କରୋନାର ଚିକିତ୍ସା ନିମନ୍ତେ ସଂଘରୋଧ ଗୃହରୁ ଅନୁଗୁଳ ଜିଲ୍ଲାସ୍ଥିତ ତାଳଚେର କୋଭିଡ୍ ହସ୍ପିଟାଲକୁ ପଠାଯାଇଅଛି ବୋଲି ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା କହିଛନ୍ତି । ଏଥି ସହିତ ସେ ରହୁଥିବା ଅସ୍ଥାୟୀ ସଂଘରୋଧ କେନ୍ଦ୍ରକୁ କଂଟେଂନମେଂଟ ଜୋନ ଭାବେ ଘୋଷଣା କରାଯାଇ ସାନିଟାଇଜ୍ କରାଯାଇଛି । ଏହି କେନ୍ଦ୍ରରେ ଥିବା ସମସ୍ତ ଅନ୍ତେଃବାସୀଙ୍କ ସ୍ୱାବ୍ ପୁନର୍ବାର ଟେଷ୍ଟ ପାଇଁ ପଠାଯାଇଛି । ଯେହେତୁ ଉକ୍ତ ଯୁବକ ଚେନ୍ନାଇରୁ ଆସି ସିଧା ସଂଘରୋଧ ଗୃହରେ ରହିଥିଲେ ତେଣୁ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ନାହିଁ ତେଣୁ ଜିଲ୍ଲାର ଜନସାଧାରଣ କୌଣସି ପ୍ରକାର ଆତଙ୍କିତ ନହୋଇ ସ୍ୱାସ୍ଥ୍ୟରକ୍ଷା ପ୍ରତି ଧ୍ୟାନଦେବା,ସାମାଜିକ ଦୂରତା ନିୟମକୁ ପାଳନ କରିବା,ମାସ୍କ ପିନ୍ଧିବା ଏବଂ ସରକାରଙ୍କ ଦ୍ୱାରା ପ୍ରଦତ ନିୟମାବଳୀକୁ ମାନି ଚଳିବାକୁ ଜିଲ୍ଲାପାଳ ଶ୍ରୀ ବେହେରା ଜିଲ୍ଲାବାସୀଙ୍କୁ ସୂଚନା ଦେବା ସହ ନିବେଦନ କରିଛନ୍ତି ।

Comments (0)
Add Comment