ଭୁବନେଶ୍ବର, ଡୁମାଣୀଖବର : ଚଳିତ ଶିକ୍ଷାବର୍ଷରୁ ପାଠ୍ୟସୂଚୀ ବା ସିଲାବସ୍ର ୨୫% ସ୍ୱ-ଅଧ୍ୟୟନ ବା ଗାଇଡେଡ୍ ସେଲ୍ଫ୍ ଷ୍ଟଡି କରିବେ ଛାତ୍ରଛାତ୍ରୀ । ପ୍ରଥମ ଥର ପାଇଁ ରାଜ୍ୟ ଉଚ୍ଚଶିକ୍ଷାରେ ଏଭଳି ନିଷ୍ପତ୍ତି ନିଆଯାଇଛି । ସ୍ନାତକ (ଯୁକ୍ତ ତିନି) ଏବଂ ସ୍ନାତକୋତ୍ତର (ପିଜି)ରେ ଏହା ଲାଗୁ ହେବ ବୋଲି ରାଜ୍ୟ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ଓ ଡିଗ୍ରୀ କଲେଜଗୁଡିକର ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ୨୫% ସ୍ୱ-ଅଧ୍ୟୟନ ଗାଇଡଲାଇନ୍ ବାବଦରେ ବିସ୍ତୃତ ସୂଚନା ଦେଇଛନ୍ତି ।
ଶୁକ୍ରବାର ଜାରି ହୋଇଥିବା ଗାଇଡଲାଇନ୍ରେ ଶ୍ରୀ ମିଶ୍ର କହିଛନ୍ତି, ଗତ ମେ ୨୬ ତାରିଖରେ ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟ କୁଳପତିଙ୍କର ଭିଡିଓ କନଫରେନ୍ସ ଅନୁଷ୍ଠିତ ହୋଇଥିଲା । ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଛାତ୍ରଛାତ୍ରୀଙ୍କର ପାଠପଢ଼ା ଅଭ୍ୟାସ ବୃଦ୍ଧି କରିବା ପାଇଁ ତଥା ଦକ୍ଷତା ବୃଦ୍ଧି ପାଇଁ ୨୫% ସ୍ୱ-ଅଧ୍ୟୟନ ବା ଗାଇଡେଡ୍ ସେଲ୍ଫ ଷ୍ଟଡି ବାବଦରେ ନିଷ୍ପତ୍ତି ନିଆଯାଇଥିଲା । ୨୦୨୦-୨୧ ଶିକ୍ଷାବର୍ଷରୁ ଉଭୟ ୟୁଜି ଓ ପିଜିସ୍ତରରେ ଏହା ଲାଗୁ ହେବ । କ୍ଲାସରୁମ୍ରେ ପଢ଼ାନହେଲେ ମଧ୍ୟ ଏହି ପଢ଼ିବାରେ ଶିକ୍ଷକମାନେ ଗାଇଡ୍ କରିବେ । ସ୍ନାତକସ୍ତରରେ ୨୦୧୯-୨୦ ଶିକ୍ଷାବର୍ଷରେ ନାମ ଲେଖିଥିବା ଉଭୟ ସମ୍ମାନ ଓ ପାସ୍ ଛାତ୍ରଛାତ୍ରୀଙ୍କଠାରୁ ଏହି ନିୟମ ଲାଗୁ ହେବ । ପ୍ରତି ବିଷୟର ୪ଟି ୟୁନିଟର ୨୫% ପଢ଼ାହେବ । ଯାହାକୁ ପୂର୍ବରୁ ଚିହ୍ନଟ କରାଯିବ । ଏଇସିସି(ଏବିଲିଟି ଏନହାନ୍ସମେଣ୍ଟ୍ କମ୍ପଲସରି କୋର୍ସ) ଓ ଏସଇସି(ସ୍କିଲ୍ ଏନହାନ୍ସମେଣ୍ଟ୍ କୋର୍ସ)କୁ ଏଥିରୁ ବାଦ୍ ଦିଆଯିବ । ପିଜି ବିଭାଗଗୁଡିକ ସିଲାବସ୍ର ପ୍ରତି ବିଷୟର ୨୫% ସ୍ୱ-ଅଧ୍ୟୟନ ପାଇଁ ନିଜେ ବାଛିବେ । ଯେଉଁ ପେପର୍ଗୁଡ଼ିକରେ ପ୍ରକଳ୍ପ କାମ, କ୍ଷେତ୍ର କାମ ରହିଛି, ସେଗୁଡିକ ପୂର୍ବ ଭଳି ଜାରି ରହିବ ବୋଲି ଶ୍ରୀ ମିଶ୍ର କହିଛନ୍ତି ।
ଅପରପକ୍ଷେ ସିଲାବସ୍ରେ ଚିହ୍ନଟ ହୋଇଥିବା ୨୫% ସ୍ୱ-ଅଧ୍ୟୟନ ଅଂଶଗୁଡ଼ିକ ନିୟମିତ କ୍ଲାସରୁମ୍ରେ ପଢ଼ା ହେବନାହିଁ । ବରଂ ବହି, ରେକଡିଂ ହୋଇଥିବା ଅଧ୍ୟାପକଙ୍କ କ୍ଲାସ୍, ପାୱାର ପଏଣ୍ଟ୍ ଉପସ୍ଥାପନା, ଆନିମେଟେଡ୍ ଭିଡ଼ିଓ ଆଦିରୁ ଛାତ୍ରଛାତ୍ରୀ ପ୍ରେରଣା ପାଇପାରିବେ । ୟୁଜି ବା ସ୍ନାତକସ୍ତରରେ ସମାନତା ଆଣିବା ପାଇଁ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ ବହି ଓ ସ୍ୱ-ଅଧ୍ୟୟନ ସାମଗ୍ରୀ ପ୍ରସ୍ତୁତ କରାଯିବ । ଏ ବାବଦରେ ଆବଶ୍ୟକ ହେଲେ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟଗୁଡିକର ସାହାଯ୍ୟ ନିଆଯିବ । ଛାତ୍ରଛାତ୍ରୀଙ୍କୁ ଏ ବାବଦରେ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡିକ ଆବଶ୍ୟକ ସହଯୋଗ କରିବେ ।
ସିଲାବସ୍ର ୨୫% ସ୍ୱ-ଅଧ୍ୟୟନରେ ଛାତ୍ରଛାତ୍ରୀଙ୍କ ମାର୍ଗଦର୍ଶନ ପାଇଁ ୪ଟି ସନ୍ଦେହମୋଚନ (ଡାଉଟ୍ କ୍ଲିୟରିଂ) କ୍ଲାସ୍ ଅନୁଷ୍ଠିତ ହେବ । ପ୍ରଥମ କ୍ଲାସ୍ ଶିକ୍ଷାବର୍ଷ ଆରମ୍ଭରୁ ଅନୁଷ୍ଠିତ ହେବ । ସେହି କ୍ଲାସ୍ରେ ସ୍ୱ-ଅଧ୍ୟୟନ ବାବଦରେ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିିତ କରାଯିବ । ମଝିରେ ଗାଇଡ୍ କରିବା ପାଇଁ ଦୁଇରୁ ୩ଟି କ୍ଲାସ୍ ଓ ବର୍ଷ ଶେଷରେ ଆଉ ଗୋଟିଏ କ୍ଲାସ୍ ହେବ ବୋଲି ବିଭାଗ ନିର୍ଦ୍ଦେଶ ଦେଇଛି । କ୍ଲାସ୍ଗୁଡ଼ିକରେ ଛାତ୍ରଛାତ୍ରୀମାନେ ଯାହା ସନ୍ଦେହ ଥିବ, ପଚାରି ବୁଝିବେ । ୨୫% ସ୍ୱ-ଅଧ୍ୟୟନ ବାବଦରେ ପ୍ରତି ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟ ତାଙ୍କର ଏକାଡେମିକ୍ କାଉନସିଲର ଅନୁମୋଦନ ଗ୍ରହଣ କରିବେ । ସେହିପରି ଟାଇମ୍ ଟେବୁଲ୍ ପ୍ରସ୍ତୁତ ସମୟରେ ସ୍ୱ-ଅଧ୍ୟୟନର ସନ୍ଦେହମୋଚନ କ୍ଲାସ୍ ବାବଦରେ ଲେଖାହେବ । ଯାହା ଲେସନ୍ ପ୍ଲାନ୍ ଓ ପ୍ରୋଗ୍ରେସ୍ ରେଜିଷ୍ଟରରେ ମଧ୍ୟ ରହିବ ବୋଲି ଉଚ୍ଚଶିକ୍ଷା ସଚିବ ଶ୍ରୀ ମିଶ୍ର କହିଛନ୍ତି ।