ଭକତ ଭାବରେ ବନ୍ଧା ମହାପ୍ରଭୁ …

ଜୟ ଜଗନ୍ନାଥ ସ୍ୱାମୀ, ନୟନ ପଥ ଗାମୀ, ଭବ ତୁମେ…
ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଜଗତର ନାଥ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସେ ହେଉଛନ୍ତି ସମଗ୍ର ବିଶ୍ୱ ନିୟନ୍ତା । ଖାସ୍ ସେଇଥିପାଇଁ ପ୍ରତ୍ୟେକ ଭକ୍ତଙ୍କ ମନରୁ ଝରି ଆସୁଥାଏ ଭକ୍ତିର ଭାବ ।
ଭକତ ବିଦୂର ଶାଗ ଭଜା ଦେଇ ତୋଷି ପାରିଥିଲା
ମହାପ୍ରଭୁଙ୍କ ମନକୁ ।
ଭକ୍ତ ସାଲବେଗ ଜାତିର ଯବନ ହୋଇ ବି ସାଜିଥିଲା
ମହାପ୍ରଭୁଙ୍କ ବଡ଼ ଭକ୍ତ ।
ଦାସିଆ ବାଉରୀ ମଧ୍ୟ ହୋଇ ପାରିଥିଲା
ମହାପ୍ରଭୁଙ୍କ ପରମ ଭକ୍ତ ।
ତେଣୁ ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଭକ୍ତର ଭଗବାନ୍ । ପୃଥିବୀରେ ବସବାସ କରୁଥିବା ଅବା ପୃଥିବୀ ବାହାରେ ଥିବା ସମସ୍ତେ ପ୍ରଭୁଙ୍କୁ ଦେଖିବା ପାଇଁ ବ୍ୟଗ୍ର ଓ ଆତୁର । କିନ୍ତୁ ଆଜିର ଶ୍ରୀଗୁଣ୍ଡିଚା ଯାତ୍ରା ବଡ଼ ବିଚିତ୍ର ଓ ଅସାଧାରଣ । ଲୀଳାମୟ ଠାକୁରଙ୍କ ଲୀଳା ଆଜି ସମଗ୍ର ବିଶ୍ୱକୁ କରିଛି ଆଚମ୍ବିତ । ଧନ୍ୟ ହେ ମହାପ୍ରଭୁ- ଧନ୍ୟ ତୁମ ମହିମା । ସମଗ୍ର ବିଶ୍ୱ ଆଜି ମହାମାରୀ କରୋନାରେ ଘାଣ୍ଟିଚକଟି ହେଉଥିବା ଦେଖି ପ୍ରଭୁ ମଧ୍ୟ ବହୁ ଭାବି ବିଚାରି ବଡ଼ଦାଣ୍ଡକୁ ଓହ୍ଲାଇଛନ୍ତି । ସେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ହେଉ କିମ୍ବା ସରକାରଙ୍କ ନିଷ୍ପତ୍ତି ସେଥିରେ କିଛି ଫରକ୍ ନାହିଁ । ହେଲେ ମହାପ୍ରଭୁ ଯେଉଁ ଭକ୍ତଙ୍କ ପାଇଁ ବଡ଼ଦାଣ୍ଡକୁ ଆସିଥାନ୍ତି ଆଜି ସେ ବଡ଼ଦାଣ୍ଡ ହୋଇଯାଇଛି ଭକ୍ତଶୂନ୍ୟ । ସତେଯେପରି ମନେହେଉଛି ମହାପ୍ରଭୁଙ୍କ ଇଚ୍ଛା ନାହିଁ ବଡ଼ଦାଣ୍ଡକୁ ଓହ୍ଲାଇବା ପାଇଁ । କାରଣ ଭକ୍ତମାନେ କରୋନା ମହାମାରୀର ଆତଙ୍କରେ ଆତଙ୍କିତ ହୋଇ କବାଟ କିଳି ଘରେ ବସିରହି ମହାପ୍ରଭୁଙ୍କୁ ଆରାଧନା କରୁଥିବାବେଳେ ମହାପ୍ରଭୁ ଅବା କିଭଳି ମନ ବଳାଇଥାନ୍ତେ ବଡ଼ଦାଣ୍ଡକୁ ଓହ୍ଲାଇବା ପାଇଁ ?
ପୂର୍ବରୁ ଶାସ୍ତ୍ରରେ ଲେଖା ଅଛି ଯେ, ମହାପ୍ରଭୁ ‘ଭକତ ଭାବରେ ବନ୍ଧା’ । ସେହି ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ମହାପ୍ରଭୁ ଚାଲିଆସନ୍ତି ଭକ୍ତଙ୍କ ନିକଟକୁ । ପ୍ରତିବର୍ଷକୁ ଥରେ ବଡ଼ଦାଣ୍ଡରେ ଭକ୍ତ-ଭଗବାନ ହୋଇଥାନ୍ତି ଏକାକାର । ତେଣୁ ସେ ହେଉଛନ୍ତି ‘ଭକ୍ତିର ଠାକୁର, ଭାବ ବିନୋଦିଆ’ । ସେହି ମହାବାହୁଙ୍କୁ ଟିକେ ଦର୍ଶନ କରିବା ପାଇଁ ଭକ୍ତ ବି ହୋଇଥାଏ ପାଗଳ । ଭକ୍ତ-ଭଗବାନ୍ ଯେତେବେଳେ ଏକାଠି ହୁଅନ୍ତି ସେଠି ସୃଷ୍ଟି ହୋଇଥାଏ ଏକ ଭାବିହ୍ୱଳ ପରିବେଶ । ବର୍ତ୍ତମାନ ପରିସ୍ଥିତିରେ ଯେଉଁ ଭକ୍ତମାନେ ବାଧ୍ୟବାଧକତା ହେଉ ଅବା କରୋନା ମହାମାରୀର ଆତଙ୍କ ହେଉ, ଘରେ ରହି ମହାପ୍ରଭୁଙ୍କୁ ସ୍ମରଣ ଓ ପୂଜାର୍ଚ୍ଚନା କରୁଛନ୍ତି ତାଙ୍କ ପାଇଁ ଆଜି ମହାପ୍ରଭୁ ବଡ଼ଦାଣ୍ଡରେ ନରହି ପହଞ୍ôଚ ଯାଇଛନ୍ତି ଭକ୍ତଙ୍କ ପାଖରେ । ଆଜିଠାରୁ ଆରମ୍ଭକରି ରତ୍ନ ସିଂହାସନ ବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଯେତେ ନୀତିକାନ୍ତି ମନ୍ଦିର ବାହାରେ ହେବ ସେଥିରେ ହୁଏତ ଭକ୍ତଙ୍କ ଅନୁପସ୍ଥିତି ପରିଲକ୍ଷିତ ହେବ । ତେବେ ସେ ଯାହାହେଉନା କାହିଁକି ଯେତେବେଳେ ଭକ୍ତ ଭଗବାନଙ୍କୁ ଦେଖିବାକୁ ବ୍ୟାକୁଳ ଏବଂ ଭଗବାନ ବି ଭକ୍ତଙ୍କୁ ଦେଖିବାକୁ ବ୍ୟାକୁଳ ସେତେବେଳେ କିଏ ବି ଆଶା କରିବ ଭଗବାନ ଭକ୍ତଙ୍କ ପାଖକୁ ଯାଇନାହାନ୍ତି ବୋଲି! ଆଜି ବି ମନେହୁଏ ଯେତେବେଳେ ସ୍ୱୟଂ ମହାପ୍ରଭୁ ବଡ଼ଦାଣ୍ଡକୁ ଓହ୍ଲାଇ ଭକ୍ତଶୂନ୍ୟ ପରିବେଶ ଦେଖିଛନ୍ତି ସେ ଚାଲିଯାଇଛନ୍ତି ଭକ୍ତଙ୍କ ପାଖକୁ । ଯେଉଁ ଘରେ ଭକ୍ତମାନେ ମହାପ୍ରଭୁଙ୍କୁ ହୃଦୟର ସହ ପୂଜା କରିଛନ୍ତି ତାଙ୍କୁ ସେ ଦେଖା ହିଁ ଦେଇଛନ୍ତି । ତେଣୁ ଏହି ପବିତ୍ର ତିଥୀରେ ସମସ୍ତ ଭକ୍ତଗଣଙ୍କୁ ମୋର ଅଶେଷ ଅଶେଷ ଅନୁରୋଧ, ଘରେ ରହି ନିଜ ନିଜର ଠାକୁରଘରେ ରଖାଯାଇଥିବା ମହାପ୍ରଭୁଙ୍କ ବିଗ୍ରହକୁ ଭକ୍ତିର ସହ ପୂଜାର୍ଚ୍ଚନା କରନ୍ତୁ, ଦେଖିବେ ସ୍ୱୟଂ ପ୍ରଭୁ ଆବିର୍ଭାବ ହେବେ । ତେଣୁ ଆଜି ସମଗ୍ର ବିଶ୍ୱର ଭକ୍ତଗଣ ଓ ଜଗନ୍ନାଥପ୍ରେମୀ, ପ୍ରଭୁଙ୍କୁ ନିଜ ଘରେ ଦର୍ଶନ କରିବାର ସୁଯୋଗକୁ ହାତଛଡ଼ା କରନ୍ତୁ ନାହିଁ । ଆଜିର ଏହି ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରାରେ ବାଦ ବିବାଦ ମଧ୍ୟରେ ନପଶି ନିଜ ଘରର ଠାକୁର ଘର ଅଥବା ଧ୍ୟାନ କଠୋରୀରେ ବସି ଭକ୍ତିପୂତ ଭାବେ ମହାପ୍ରଭୁଙ୍କୁ ଆରାଧନା କରନ୍ତୁ, ଦେଖିବେ ଭାବର ଠାକୁର, ଭାବ ବିନୋଦିଆ ହୋଇ ନିଶ୍ଚିତ ରୂପେ ଦର୍ଶନ ଦେବେ । ଯେତେବେଳେ ବଡ଼ଦାଣ୍ଡ ହୋଇଯାଇଛି ଭକ୍ତଶୂନ୍ୟ, ମହାପ୍ରଭୁ ବଡ଼ଦାଣ୍ଡରେ ରହନ୍ତେ ବା କିପରି? ମହାପ୍ରଭୁ ଆଜି ଭକ୍ତଙ୍କ ପାଖକୁ ଚାଲିଆସିଛନ୍ତି । ବଡ଼ଦାଣ୍ଡରେ କାଳିଆ ଠାକୁରଙ୍କ ମନ ଆଉ ନାହିଁ । କାହିଁକି ନା ସେ ଭକ୍ତକୁ ନଦେଖି ସତେ ଯେପରି ପାଗଳପ୍ରାୟ ହୋଇ ପହଞ୍ôଚଯାଇଛନ୍ତି ଭକ୍ତଙ୍କ ପାଖରେ । ଭକ୍ତର ଭାବାବେଗକୁ ଦେଖି ମହାପ୍ରଭୁ ଛୁଟି ଆସିଛନ୍ତି ଆଜି ଭକ୍ତ ନିକଟକୁ । ଏହା ଏକ ନିଶ୍ଚିତ ବିଡ଼ମ୍ବନାର ବିଷୟ । ଏଭଳି ଘଟଣା ବହୁବର୍ଷ ପରେ ଭକ୍ତର ଭାଗ୍ୟରେ ଥିଲେ ମିଳେ । ତେଣୁ ସମଗ୍ର ବିଶ୍ୱବାସୀଙ୍କୁ ମୋର ନିବେଦନ ଓ ଅନୁରୋଧ, ମହାପ୍ରଭୁଙ୍କ ଏଭଳି ପବିତ୍ର ଯାତ୍ରାରେ ଠାକୁରଘରେ ଅବା ଧ୍ୟାନ କଠୋରୀରେ ବସି ପ୍ରଭୁଙ୍କୁ ସ୍ମରଣ କରନ୍ତୁ । ଦେଖିବେ ନିଶ୍ଚିତ ଭକ୍ତପାଗଳ ମହାପ୍ରଭୁ ଯିଏକି ଭକ୍ତର ଭାବରେ ବନ୍ଧା ପଡ଼ିଛନ୍ତି ସେହି ଲୀଳାମୟ ଠାକୁରଙ୍କୁ ନିକଟରେ ପାଇବାର ସୌଭାଗ୍ୟଲାଭ କରିପାରିବେ ।
ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ ।

Comments (0)
Add Comment