କୋଭିଡ୍ ଓ ବନ୍ୟାସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା

ନୂଆଦିଲ୍ଲୀ, ୨୦.୦୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୭ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି । ବିହାର, ଆସାମ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ତାମିଲନାଡ଼ୁ, ହିମାଚଳପ୍ରଦେଶ ଏବଂ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀମାନଙ୍କ ସହ ମୋଦୀ କୋଭିଡ୍ ସ୍ଥିତି ନେଇ ଆଲୋଚନା କରିଛନ୍ତି । ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ୍ଙ୍କ ସହ ମୋଦୀ କୋଭିଡ୍ ସହ ବନ୍ୟା ସ୍ଥିତି ନେଇ ଆଲୋଚନା କରିଛନ୍ତି । ବନ୍ୟା ବିପର୍ଯ୍ୟୟ ପାଇଁ ଆସାମକୁ ସହାୟତା ପ୍ରଦାନ କରାଯିବ ବୋଲି ମୋଦୀ ଆଶ୍ୱାସନା ଦେଇଛନ୍ତି । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତଙ୍କ ସହ ମୋଦୀ କଥା ହୋଇ ରାଜ୍ୟରେ ସଂକ୍ରମିତ ହୋଇଥିବା ଯବାନମାନଙ୍କ ସମ୍ପର୍କରେ ସୂଚନା ମାଗିଥିଲେ । ଯବାନମାନଙ୍କ ଉତ୍ତମ ଚିକିତ୍ସା ପାଇଁ ରାଜ୍ୟ ସରକାର ଏବଂ ସେନା ଅଧିକାରୀ ସହଯୋଗ କରିବାପାଇଁ ସେ କହିଥିଲେ । ରାଜ୍ୟରେ କରୋନା ସ୍ଥିତି ନେଇ ରାୱତ କହିଥିଲେ, ରାଜ୍ୟରେ କରୋନା ସଂକ୍ରମଣ ବଢିଛି କିନ୍ତୁ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ମୋଦୀ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ସମୟରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀ ରାଜ୍ୟରେ ଦୈନିକ ସର୍ବାଧିକ ୪୮ ହଜାର କୋଭିଡ୍ ଟେଷ୍ଟ୍ ହେଉଥିବା କହିଥିଲେ । ସଂକ୍ରମଣ ରୋକିବାପାଇଁ ରାଜ୍ୟ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ପଲାନିସ୍ୱାମୀ କହିଥିଲେ ।

Comments (0)
Add Comment