ଋଷଠୁ କରୋନା ଟିକା ଅର୍ଡର କରିବାକୁ ୨୦ଟି ଦେଶ ଇଚ୍ଛୁକ

ନୂଆଦିଲ୍ଲୀ : ରୁଷ ପକ୍ଷରୁ ପ୍ରଥମ  କରୋନା ଭାକସିନ ପଞ୍ଜୀକୃତ କରାଯିବାର ଘୋଷଣା ପରେ ପ୍ରାୟ ୨୦ଟି ଦେଶ ଏହି ଭାକସିନ୍ ଅର୍ଡର କରିବାକୁ ମନ ବଳାଇଛନ୍ତି । ଭାରତ ମଧ୍ୟ ଋଷକୁ ଭାକସିନ୍ ପାଇଁ ଅର୍ଡର ଦେବାକୁ ମନସ୍ଥ କରିଛି । ତେବେ ଏହି ଭାକସିନ୍ ଯାଞ୍ଚରେ ସୁରକ୍ଷିତ ପ୍ରମାଣିତ ହେଲେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମଞ୍ଜୁରୀ ମିଳିବ ।

ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ(WHO) କହିଛି ସଂସ୍ଥା ପକ୍ଷରୁ ଭାକସିନକୁ ତେବେ ଯାଇ ମଞ୍ଜୁରୀ ମିଳିବ ଯେବେ ଏହା ସୁରକ୍ଷିତ ଥିବାର ଯାଞ୍ଚ କରାଯିବ। ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ରୁଷ କରୋନା ଭୂତାଣୁର ଚିକିତ୍ସା ପାଇଁ ଭାକସିନକୁ ମଞ୍ଜୁରୀ ଦେବାରେ  ବିଶ୍ଵର ପ୍ରଥମ ଦେଶ। ଏହି ଭାକସିନ ନୂତନ କରୋନା ଭାଇରସ  ବିରୋଧରେ ମଜବୁତ ରୋଗ ପ୍ରତିରୋଧକ ଶକ୍ତି ଉତ୍ପନ କରିବାରେ ସକ୍ଷମ।

ଜେନେଭାରେ ଅନଲାଇନ୍ ସାମ୍ବାଦିକ ସମ୍ମିଳନୀ ସମୟରେ ଡବ୍ଲ୍ୟୁଏଚଓର ମୁଖପାତ୍ର ତାରିକ ଜାସାରେଭିକ କହିଛନ୍ତି, ଆମେ ରୁଷର ସ୍ଵାସ୍ଥ୍ୟ ବିଭାଗ ସହ ଯୋଗାଯୋଗରେ ରହିଛୁ ଏବଂ ଭାକସିନର ସମ୍ଭାବିତ ଫଳାଫଳକୁ ନେଇ ଆଲୋଚନା ଜାରି ରହିଛି। କୌଣସି ଭାକସିନର ପରିଣାମ ଜାଣିବା ପାଇଁ ଏହାର ଗହନ ସମୀକ୍ଷା ଏବଂ ସମସ୍ତ ସୁରକ୍ଷା ପଦ୍ଧତି ଓ ପ୍ରଣାଳୀର ମାନକ ଯାଞ୍ଚ କରାଯାଏ। ଏହା ପରେ ଯାଇ ଭାକସିନକୁ ମଞ୍ଜୁରୀ ମିଳେ।

ରୁଷର ସ୍ପୁଟନିକ ଭି ଭାକସିନକୁ ଗମାଲିଆ ରିସର୍ଚ୍ଚ ଇନଷ୍ଟିଚ୍ୟୁୟଟ ଓ ପ୍ରତିରକ୍ଷା ମନ୍ତ୍ରଣାଳୟ ମିଳିତ ଭାବେ ବିକଶିତ କରିଛନ୍ତି। ଦୁନିଆରେ ସଂପ୍ରତି ୧୬୫ କ୍ୟାଣ୍ଡିଟେଟ୍ ଭାକସିନ ଉପରେ କାମ ଚାଲିଛି। ଏଥିରୁ ୧୩୯ ଏବେ ପ୍ରି କ୍ଲିନିକଲ ଟ୍ରାଏଲରେ ଅଛି ଏବଂ ଅନ୍ୟ ୨୬ ମାନବ ପରୀକ୍ଷଣ ଅଲଗା ଅଲଗା ପର୍ଯ୍ୟାୟରେ ରହିଛି। ଛଅଟି ଭାକସିନ ତୃତୀୟ ପର୍ଯ୍ୟାୟରେ ଗତି କରୁଛନ୍ତି।

ଗମାଲିଆର ଭାକସିନ ସେହି ୨୬ ଭାକସିନରେ ସାମିଲ ଯାହାର ମାନବ ପରୀକ୍ଷଣ କରାଯାଉଛି ଏବଂ ପ୍ରଥମ ପର୍ଯ୍ୟାୟରେ ଏହା ସୂଚିବଦ୍ଧ ରହିଛି। ଭାକସିନର ପ୍ରୋଜେକ୍ଟ ପାଇଁ ଅର୍ଥ ଯୋଗାଉଥିବା ରୁଷିୟାନ ଡାଇରେକ୍ଟ ଫଣ୍ଡର ମୁଖ୍ୟ କିରିଲ ଦ୍ରିମିତ୍ରିଏଭ କହିଛନ୍ତି ତୃତୀୟ ପର୍ଯ୍ୟାୟର ପରୀକ୍ଷଣ ବୁଧବାରଠୁ ଆରମ୍ଭ ହେବ। ଭାକସିନର ଅଦୌଗିକି ଉତ୍ପାଦନ ସେପ୍ଟେମ୍ବରରୁ ଆରମ୍ଭ ହେବାର ଆଶା ରହିଛି। ଅଦ୍ୟାବଧି ୨୦ ଦେଶ ଏକ ଅରବରୁ ଅଧିକ ଡୋଜ୍ ପାଇଁ ଅର୍ଡର ଦେଇ ସାରିଲେଣି। ୟୁଏଇ, ସାଉଦି ଆରବ, ଇଣ୍ଡୋନେସିଆ, ଫିଲାପାଇନ୍ସ, ବ୍ରାଜିଲ, ମେକ୍ସିକୋ ଭଳି ଦେଶ ମଧ୍ୟ ଅର୍ଡର ଦେଇଛନ୍ତି ।

Comments (0)
Add Comment