ବଦଳିବ ୩୫୦ବର୍ଷର ଏକାମ୍ର କ୍ଷେତ୍ର

ପାଇବ ନୂଆ ରୂପ

ଭୁବନେଶ୍ବର୧୭/୮:  ୩୫୦ବର୍ଷ ପରେ ନୂଆ ରୂପ ନେବାକୁ ଯାଉଛି ମହାପ୍ରଭୁ ଲିଙ୍ଗରାଜ ମନ୍ଦିର, ବିନ୍ଦୁ ସାଗର ସମେତ ସାରା ଏକାମ୍ର କ୍ଷେତ୍ର । ଆଜି ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏକାମ୍ର କ୍ଷେତ୍ର ଯୋଜନାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନନ୍ୟ କାରୁକାର୍ଯ୍ୟ ସୁଶୋଭିତ ମନ୍ଦିର, ଐତିହ୍ୟ ନଗରୀ ଭୁବନେଶ୍ବର ଗାରିମାକୁ ବୃଦ୍ଧି କରିବା ସହ UNESCOର ବିଶ୍ବ ଐତିହ୍ୟସ୍ଥଳ ତାଲିକାରେ ଏହାକୁ ସ୍ଥାନୀତ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ବଦଳିବ ୩୫୦ବର୍ଷର ଚିତ୍ର । ବର୍ଷକ ଭିତରେ ନୂଆ ରୂପ ପାଇବ ଏକାମ୍ର କ୍ଷେତ୍ର । UNESCOର ବିଶ୍ବ ଐତିହ୍ୟସ୍ଥଳ ତାଲିକାରେ ସ୍ଥାନ ପାଇବ ମନ୍ଦିର ମାଳିନୀ ଭୁବନେଶ୍ବର । ଏକ ଉଚ୍ଚସ୍ତରୀୟ ବୈଠକରେ ଏକାମ୍ର କ୍ଷେତ୍ର ଯୋଜନାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲିଙ୍ଗରାଜ ମନ୍ଦିର ସନ୍ନିକଟ ୬୬ ଏକର ଅଂଚଳରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି । ଆଗକୁ ଏକସଙ୍ଗେ ୨ ଲକ୍ଷ ଲୋକ ସମବେତ ହୋଇ ମହାଶିବରାତ୍ରିରେ ମହାଦୀପ ଦର୍ଶନ କରିପାରିବେ । ସେହିଭଳି ଲିଙ୍ଗରାଜ ମନ୍ଦିର ସହ ସିଧା ଦେଖିହେବ ବିନ୍ଦୁସାଗର ଚନ୍ଦନଯାତ୍ରା । ଆଗାମୀ ବର୍ଷକ ଭିତରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି।

ଶ୍ରାବଣ ମାସରେ ଲିଙ୍ଗରାଜ ମନ୍ଦିର ଆସୁଥିବା ଲକ୍ଷ ଲକ୍ଷ କାଉଡ଼ିଆ କିଭଳି ସୁବିଧାରେ ଆଉ ଶୃଙ୍ଖଳିତ ଭାବରେ ମନ୍ଦିର ଯାଇ ମହାପ୍ରଭୁଙ୍କୁ ପାଣିଲାଗି କରିପାରିବେ ସେଥିପାଇଁ ଏକାମ୍ର କ୍ଷେତ୍ର ଯୋଜନାରେ ଦୃଷ୍ଟି ଦିଆଯାଇଛି । ଏକାମ୍ର ଯୋଜନାରେ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗର ବିକାଶ, ଓରିଏଣ୍ଟେସନ୍‌ ସେଣ୍ଟର, ପାର୍କିଂ, ଫୁଡ୍‌ ପ୍ଲାଜା, ଭଜନ ମଣ୍ଡପ ସହିତ ଐତିହ୍ୟ ପୁଷ୍କରିଣୀର ପୁନରୁଦ୍ଧାର, କେଦାରଗୌରୀ ପୁଷ୍କରିଣୀର ଜଳ ନିଷ୍କାସନ ବ୍ୟବସ୍ଥା, ଏକାମ୍ରବାସୀଙ୍କର ସୁବିଧା, ପରିବହନ ବ୍ୟବସ୍ଥା, ବର୍ଷା ଜଳ ନିଷ୍କାସନ ଓ ବର୍ଯ୍ୟବସ୍ତୁ ନିଷ୍କାସନ ଭଳି ବିଭିନ୍ନ ବିଷୟ ଉପରେ ଏହି ଯୋଜନାରେ ଧ୍ୟାନ ଦିଆଯାଇଛି ।

Comments (0)
Add Comment