ସ୍କୁଲରେ ମିଶ୍ରଣ ପ୍ରତିବାଦରେ ଡିଇଓଙ୍କ ଅଫିସ ସମ୍ମୁଖରେ ଧାରଣା

କେନ୍ଦ୍ରାପଡା , କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ପଂଚାୟତର ବଳିରାଜ ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଅନ୍ୟ ବିଦ୍ୟାଳୟ ସହ ମିଶ୍ରଣ ପ୍ରତିବାଦରେ ଶୁକ୍ରବାର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରାଭୀଭାବକ ଓ ସେହି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଧାରଣା ଦେଇଥିଲେ । ଦାବୀପତ୍ରରେ ଉଲ୍ଲେଖ ରହିଛି ଯେ ୧୯୩୯ମସିହାରେ ପ୍ରଥମେ ପ୍ରତିଷ୍ଠା ହୋଇଥିଲା ଏହି ବିଦ୍ୟାଳୟଟି । ଏଅଂଚଳର ବହୁ ପ୍ରତିଷ୍ଠିତ ନାଗରିକମାନଙ୍କୁ ଗଢିତୋଳିବାକୁ ସମର୍ଥ ହୋଇଥିଲା । ପ୍ରାଥମିକ ଶିକ୍ଷା ଲାଭ କରିବା ପାଇଁ ଏହି ବିଦ୍ୟାଳୟ ଉପରେ ଜଗନ୍ନାଥପୁର,ଢିଅସାହି ଭଳି ୨ଟି ହରିଜନ ପଡା ଗ୍ରାମ ସମେତ ବଳିରାଜ,ଅରଡାସାହି ଓ ବଗଡା ଗ୍ରାମର ଗୋଟିଏ ପଡାର ପିଲାମାନେ ନିର୍ଭର କରିଥାନ୍ତି । ଏହି ସ୍କୁଲର ପୂର୍ବରେ ସିଦ୍ଧ ମରିଚାଣୀ ବିଦ୍ୟାପୀଠ ଥିବା ବେଳେ ପଶ୍ଚିମରେ ତୁଣୁପୁର ପ୍ରାଥମିକ ସ୍କୁଲ ଏକ କିଲୋମିଟର ଦୂରରେ ଅବସ୍ଥିତ । ଗତ ୨୦୧୯-୨୦ ଶିକ୍ଷାବର୍ଷରେ ଏହି ବିଦ୍ୟାଳୟରେ ୩୪ଜଣ ଛାତ୍ରଛାତ୍ରୀ ପାଠପଢୁଥିବା ବେଳେ ଏହି ବିଦ୍ୟାଳୟଟିକୁ ବନ୍ଦ କରାଯାଇ ଅନ୍ୟ ସ୍କୁଲ ସହିତ ମିଶ୍ର୍ରଣ କରାଯିବାକୁ ସରକାରୀ ସ୍ତରରେ ପ୍ରସ୍ତୁତି ଆରମ୍ଭ କରାଗଲା । ଏଭଳି ଘଟଣା ବିରୋଧରେ ଜିଲ୍ଲାପାଳଙ୍କ ସମେତ ସମସ୍ତ ଅଧିକାରୀଙ୍କୁ ଏହାର ପ୍ରତିବାଦ ପୂର୍ବକ ଲିଖିତ ନିବେଦନ କରାଗଲା । କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ନୀତି ଯୋଗୁଁ ଆମମାନଙ୍କୁ ସ୍କୁଲ ବନ୍ଦ ନହେବାର ପ୍ରତିଶୃତି ପ୍ରଦାନ ପରେବି ଏହି ସ୍କୁଲଟିକୁ ସାଟେଲାଇଟ ସ୍କୁଲ ଘୋଷଣା କରାଯାଇ ଛାତ୍ରଛାତ୍ରୀଙ୍କ ନାମଲେଖାକୁ ବନ୍ଦ କରାଗଲା । ଏହି ସ୍କୁଲ ଠାରୁ କମ ସଂଖ୍ୟକ ଛାତ୍ରଛାତ୍ରୀ ଥିବା ସ୍କୁଲରେ ନାମଲେଖା ଚାଲିଥିବା ବେଳେ ଏଠାରେ ତାହା ବନ୍ଦ କରାଯାଇ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତକୁ ଅନ୍ଧାର ମଧ୍ୟକୁ ଠେଲିଦିଆଗଲା । ଏବେ ଏହି ସ୍କୁଲକୁ ପୁନର୍ବାର ଖୋଲା ନଗଲେ ଅନେକ ଗରୀବ ଛାତ୍ରଛାତ୍ରୀ ଶିକ୍ଷାଲାଭରୁ ବଂଚିତ ହେବେ ବୋଲି ଅଭିଯୋଗ ହୋଇଛି । ତେଣୁ ସ୍କୁଲ ମିଶ୍ରଣ ପ୍ରତିବାଦରେ ଧାରଣାରେ ବସିଥିବା ଛାତ୍ରାଭିଭାବକ,ଗ୍ରାମବାସୀ ଓ ଛାତ୍ରଛାତ୍ରୀମାନେ ପୂର୍ବାହ୍ନ ୧୦ଟା ସମୟରୁ ଅପରାହ୍ନ ପ୍ରାୟ ୩ଟା ପର୍ଯ୍ୟନ୍ତ ଧାରଣାରେ ବସିବା ପରେ ଜିଲ୍ଲା ଶାକ୍ଷା ଅଧିକାରୀ ସଞ୍ଜିବ କୁମାର ସିଂ ଧାରଣାସ୍ଥଳକୁ ଆସି ସେମାନଙ୍କ ଠାରୁ ଦାବିପତ୍ର ଗ୍ରହଣ କରି କେନ୍ଦ୍ରାପଡା ବ୍ଲକ ଶିକ୍ଷା ଅଧିକାରୀଙ୍କୁ ତଦନ୍ତ କରି ୭ଦିନ ମଧ୍ୟରେ ଏକ ସଂପୂର୍ଣ୍ଣ ରିପୋର୍ଟ ପଠାଇବାକୁ ନିର୍ଦେଶ ଦେଇଥିବା ଜଣାପଡିଛି । ଏହାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଏହି ଧାରଣାରେ ରମଣିରଞ୍ଜନ ରାଉତରାୟ,ଆଦିକନ୍ଦ ରାଉଳ,ବାବାଜୀ ଧଳ,ଗ୍ରାମ୍ୟ ଶିକ୍ଷା କମିଟି ସଭାପତି ଅନାଦି ଚରଣ ନାୟକ, ମଧୁସୁଦନ ସେଠୀ, ଉମାକାନ୍ତ ପତି, କରୁଣାକର ପଣ୍ଡା, ସୁଶାନ୍ତ କୁମାର ମଲ୍ଲିକ, ଶ୍ରୀଚରଣ ସାମଲ, ଗଣେଶ୍ୱର ପତି, ପ୍ରଦୀପ ପତି ପ୍ରମୁଖ ଶତାଧିକ ଅଭିଭାବକ,ଗ୍ରାମବାସୀ ଓ ଛାତ୍ରଛାତ୍ରୀମାନେ ଧାରଣାରେ ବସିଥିଲେ ।

Comments (0)
Add Comment