ସ୍କିଲ୍ ଇଣ୍ଡିଆ ପକ୍ଷରୁ ୩ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ତାଲିମ୍ ଆରମ୍ଭ

ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଅନ୍ତର୍ଗତ ୩ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ତାଲିମ୍ ଦେବା କାର୍ଯ୍ୟ ଆରମ୍ଭ ହୋଇଛି । ଏଥିପାଇଁ ଦେଶର ୬ଟି ରାଜ୍ୟର ୧୧୬ଟି ଜିଲ୍ଲାରେ ୨୦୦ରୁ ଅଧିକ ତାଲିମ୍ କେନ୍ଦ୍ର ସ୍ଥାପିତ କରାଯାଇଛି । ଏହା ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା-୨୦୧୬-୨୦୨୦ ଅନ୍ତର୍ଗତ କାର୍ଯ୍ୟ କରୁଛି । ଦେଶର ଉତରପ୍ରଦେଶ, ବିହାର, ରାଜସ୍ତାନ, ଓଡ଼ିଶା, ମଧ୍ୟପ୍ରଦେଶ ଏବଂ ଝାଡ଼ଖଣ୍ଡ ଆଦି ରାଜ୍ୟରେ ଏହି ଅଭିଯାନ ଜାରି ରହିଛି । କୋଭିଡ୍ ପରବର୍ତୀ ସମୟରେ ପ୍ରବାସୀ ଶ୍ରମିକ ଏବଂ ଗ୍ରାମୀଣ ଜନତାଙ୍କୁ ସଶକ୍ତ କରାଇବା ଏହି ଅଭିଯାନର ମୂଳ ଲକ୍ଷ୍ୟ । ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ତଦାରଖରେ ୧୨୫ ଦିନ ମଧ୍ୟରେ ଦକ୍ଷତା ତାଲିମ୍ ପ୍ରଦାନ କରାଯିବ । କେତେକ ସ୍ଥାନରେ ତାଲିମ୍ ଆରମ୍ଭ ହୋଇସାରିଥିବାବେଳେ ପରବର୍ତୀ ସମୟରେ ଏହା ଅନ୍ୟ ଅଂଚଳରେ ଆରମ୍ଭ କରାଯିବ । ଜାତୀୟ ଦକ୍ଷତା ବିକାଶ କର୍ପୋରେଶନ ଅନ୍ତର୍ଗତ ୧.୫ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ସ୍ୱଳ୍ପ ସମୟ ଭିତିକ ତାଲିମ ପ୍ରଦାନ କରାଯାଇଛି । ସେହିପରି ୧.୫ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ପୂର୍ବ ଲର୍ଣ୍ଣିଂ ଯୋଜନା ଅନ୍ତର୍ଗତ ସ୍ୱୀକୃତି ପ୍ରଦାନ କରାଯାଇଛି ।

ଏହି ଅବସରରେ କେନ୍ଦ୍ରୀୟ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରୀ ଡ. ମହେନ୍ଦ୍ରନାଥ ପାଣ୍ଡେ କହିଲେ, ଗ୍ରାମୀଣ ବିକାଶ ସ୍କିଲ୍ ଇଣ୍ଡିଆ ମିଶନର ମୂଳ ଲକ୍ଷ୍ୟ । ଦେଶର ୭୦ ପ୍ରତିଶତ ମାନବସମ୍ବଳ ଗ୍ରାମରେ ରହିଥାନ୍ତି । ସେମାନଙ୍କର ବିକାଶରେ ହିଁ ଦେଶର ପ୍ରକୃତ ବିକାଶ ସମ୍ଭବ । ସ୍ଥାନୀୟ ଚାହିଦା ଅନୁସାରେ ଗ୍ରାମୀଣ ଅଂଚଳରେ ଦକ୍ଷତା ବିକାଶ ତାଲିମ୍ ପ୍ରଦାନ କରାଯାଉଛି । ଏହା ଦ୍ୱାରା ପ୍ରବାସୀ ଶ୍ରମିକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ଦକ୍ଷ ମାନବସମ୍ବଳ ଆମର ଆର୍ଥିକ ମେରୁଦଣ୍ଡ ସଦୃଶ । ତେଣୁ ଦକ୍ଷତା ବିକାଶ ଉପରେ ଗୁରୁତ୍ୱାରୋପ କରାଯାଉଛି । ଦକ୍ଷତା ବିକାଶ ତାଲିମ ଭିନ୍ନ ଭିନ୍ନ କାର୍ଯ୍ୟ ଆଧାରରେ ୧୫୦ ଘଂଟାରୁ ୩୦୦ ଘଂଟା ମଧ୍ୟରେ ହୋଇଥାଏ । ତାଲିମ ସମୟରେ ଡିଜିଟାଲ ଏବଂ ଆର୍ଥିକ ବିକାଶ ଉପରେ ଧ୍ୟାନ ଦିଆଯାଉଛି । ପୂର୍ବ ଲର୍ଣ୍ଣିଂ କାର୍ଯ୍ୟକ୍ରମ ଅନ୍ତର୍ଗତ ସଫଳତାର ସହିତ ତାଲିମ ଶେଷ କରିଥିବା ଯୁବବର୍ଗଙ୍କୁ ୫୦୦ ଟଙ୍କା ପ୍ରଦାନ କରାଯାଉଛି । ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଅନ୍ତର୍ଗତ ୨୦୧୬ରୁ ୨୦୨୦ ମଧ୍ୟରେ ୯୨ ଲକ୍ଷରୁ ଅଧିକ ଯୁବବର୍ଗଙ୍କୁ ତାଲିମ୍ ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ, ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ୨୦୧୪ ନଭେମ୍ବର ୯ରେ ସ୍ଥାପିତ ହୋଇଥିଲା । ସ୍କିଲ୍ ଇଣ୍ଡିଆ ଅନ୍ତର୍ଗତ ଇତିମଧ୍ୟରେ ୩ କୋଟିରୁ ଅଧିକ ଯୁବବର୍ଗଙ୍କୁ ତାଲିମ୍ ପ୍ରଦାନ କରାଯାଇଛି ।

Comments (0)
Add Comment