ଗ୍ଲେଜ୍ ଇଣ୍ଡିଆ ଠକେଇ ଘଟଣାରେ ଗିରଫ ୪ କୋର୍ଟ ଚାଲାଣ : ଜାମିନ ନାମଞ୍ଜୁର

ଢେଙ୍କାନାଳ,୧୭.୧୧: ଢେଙ୍କାନାଳ ସହର ଉପକଣ୍ଠରେ ଗଢି ଉଠିଥିବା ଗ୍ଲେଜ୍ ଇଣ୍ଡିଆ କମ୍ପାନୀ କୃଷି ବିଭାଗରେ ଚାକିରୀ ଦେବା ଆଳରେ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ କମ୍ପାନୀର ଅଟକ ୪ଜଣଙ୍କୁ ଆଜି ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଥିବାର ଜଣାପଡିଛି । ତେବେ ଉକ୍ତ ୪ ଜଣଙ୍କର ଜାମିନ ଆବେଦନକୁ ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ବିଚାର କରି ଜାମିନ ନାମଞ୍ଜୁର କରିଥିବା ବେଳେ ଅଭିଯୁକ୍ତ ୪ ଜଣଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବାର ସୂଚନା ମିଳିଛି । ସୂଚନା ଅନୁଯାୟୀ ଗିରଫ ୪ ଜଣ ବ୍ୟକ୍ତି ହେଲେ ଦେବଗଡ ଜିଲ୍ଲା ରିଆମାଳର ଲିଙ୍କନ ସାମଲ,ତେଲିବଣିର ବିକାଶ ବିଶ୍ୱାଳ, ଦେବଗଡ ଟାଉନର ମନୋଜ ସନ୍ୟାସୀ ଓ ସନ୍ତୋଷ ସାହୁ ବୋଲି ଜଣାପଡିଛି । ଏହି ୪ ଅଭିଯୁକ୍ତ ଗ୍ଲେଜ ଇଣ୍ଡିଆ ଟ୍ରେଡିଂ ପ୍ରାଇଭେଟ ଲିମିିଟେଡ ନାମକ ଏହି ସଂସ୍ଥାର କର୍ମଚାରୀ ଭାବେ କାର୍ଯ୍ୟ କରନ୍ତି । ଏହି ଅଭିଯୁକ୍ତମାନେ ବିଭିନ୍ନ ଜିଲ୍ଲା ଗ୍ରାମାଂଚଳର ନିରୀହ ଯୁବକ,ଯୁବତୀ ମାନଙ୍କୁ କୃଷି ବିଭାଗରେ ଚାକିରି କରିବାର ପ୍ରଲୋଭିତ କରି ପିଲାମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ତାଲିମ ଆଳରେ ଢେଙ୍କାନାଳ ସହର ଉପକଣ୍ଠ ଆନନ୍ଦ ନଗର ଠାରେ ଗ୍ଲେଜ୍ ଇଣ୍ଡିଆ ଅଫିସ ଖୋଲି ପିଲାମାନଙ୍କୁ ଗୃହବନ୍ଦୀ ଭାବେ ରଖିଥିଲେ । ତାଲିମ ନେବାକୁ ଆସିଥିବା ଏହି କୋମଳମତି ଯୁବକ,ଯୁବତୀ ମାନଙ୍କ ମାଧ୍ୟମରେ କମ୍ପାନୀ ଦ୍ୱାରା ପ୍ରସ୍ତୁତ କୃଷି ସାମଗ୍ରୀକୁ ଘରକୁ ଘର ବୁଲି ବିକ୍ରି କରିବାକୁ ନିୟୋଜିତ କରୁଥିଲେ । ତେବେ ଏହି କମ୍ପାନୀ କୋମଳମତି ଯୁବକ,ଯୁବତୀମାନଙ୍କୁ ଗୃହବନ୍ଦୀ ଭାବେ ରଖିଥିବାର ସ୍ଥାନୀୟ ଲୋକ ଜାଣିପାରି ଏହି ଘଟଣାର ହସ୍ତକ୍ଷେପ କରି ପୋଲିସକୁ ସୂଚନା ଦେଇଥିଲେ । ସୂଚନା ପାଇ ପୋଲିସ୍ ପିଲାମାନଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତ ମାନଙ୍କ ନାମରେ ମାମଲା ରୁଜ୍ଜୁ କରି ତଦନ୍ତ କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା ।

Comments (0)
Add Comment