ବନ୍ଦ ଘରୁ ମିଳିଲା ପରିବାରର ୫ ଜଣଙ୍କ ମୃତଦେହ, ଆତ୍ମହତ୍ୟା ସନ୍ଦେହ

ଛତିଶଗଡ, ୧୭/୧୧ : ରାଜଧାନୀ ରାୟପୁରର ଅଭନପୁର ଜିଲ୍ଲା କେନ୍ଦ୍ରୀ ଗାଁରେ ଗୋଟିଏ ପରିବାରର ପାଞ୍ଚ ଜଣ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଏହି ଖବର ସାମ୍ନାକୁ ଆସିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତେବେ ଏହି ମର୍ମନ୍ତୁଦ ଘଟଣାରେ ଛତିଶଗଡ ଗୃହମନ୍ତ୍ରୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହିତ ଘଟଣାକୁ ଗମ୍ଭୀରତାର ସହ ନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ ନିର୍ଦେଶ ଦେଇଛନ୍ତି । ପୋଲିସର ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ଶବଗୁଡିକୁ ଜବତ କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଛି । ଛତିଶଗଡ ଗୃହମନ୍ତ୍ରୀ ତାଙ୍କ ବିବୃତିରେ କହିଛନ୍ତି ଯେ, ଆତ୍ମହତ୍ୟାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପୋଲିସକୁ ଆତ୍ମହତ୍ୟାର କାରଣ ଏଯାଏଁ ଜଣାପଡିନାହିଁ । ଆତ୍ମହତ୍ୟା କରିଥିବା ପରିବାରର ୫ ଜଣଙ୍କ ମଧ୍ୟରେ ୨ ଜଣ ମହିଳା, ୨ ଜଣ ଶିଶୁ ଏବଂ ଜଣେ ପୁରୁଷ ଅଛନ୍ତି । ତେବେ ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ ମୃତକ ପୁରୁଷ କମଲେଶ ସାହୁ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଏ ବାବଦରେ ଗୃହମନ୍ତ୍ରୀ ତାମ୍ରଧ୍ୱଜ ସାହୁ କହିଛନ୍ତି ଯେ ସେ ଅଞ୍ଚଳର ସିଏସପିଙ୍କ ସହିତ ଏବାବଦରେ ଆଲୋଚନା ହୋଇଛି । ସ୍ଥାନୀୟ ସିଏସପି କହିଛନ୍ତି ଯେ ପୋଲିସ ଟିମ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ଏବଂ ଶବ ଗୁଡିକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦିଆଯାଇଛି । ମାମଲା ବହୁତ ଗମ୍ଭୀର ହୋଇଥିବାରୁ ପୋଲିସ ସବୁ ଦିଗକୁ ଅନୁସନ୍ଧାନ କରୁଛି । ଘଟଣାର ତଦନ୍ତ କରୁଥିବା ଏଏସପି ତାଲେଶ୍ୱର ପଟେଲ କହିଛନ୍ତି ଯେ, ଘରର ପୁରୁଷ କମଲେଶ ସାହୁଙ୍କ ଶବ ଫାଶିରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଛି ଏବଂ ଘରର ଅନ୍ୟ ସଦସ୍ୟଙ୍କ ଶବ ଖଟ ଉପରେ ପଡିଥିବା ଅବସ୍ଥାରେ ଜବତ କରାଯାଇଛି । ଘରର ଭିତର ପଟୁ କବାଟ ବନ୍ଦ ଥିବା ଏବଂ ଘଟଣାସ୍ଥଳରୁ କିଛି ସୁଇସାଇଡ ନୋଟ ମିଳିନଥିବାରୁ ଏହା ଆତ୍ମହତ୍ୟା ହୋଇଥାଇପାରେ ବୋଲି ପୋଲିସ କହିଛି ।

Comments (0)
Add Comment