ଗୋଆର ପ୍ରଥମ ମହିଳା ରାଜ୍ୟପାଳ ମୃଦୁଳା ସିହ୍ନାଙ୍କ ପରଲୋକ

ପାନାଜୀ, ୧୮/୧୧: ଗୋଆର ପୂର୍ବତନ ରାଜ୍ୟପାଳ ତଥା ବରିଷ୍ଠ ବିଜେପି ନେତା ମୃଦୁଳା ସିହ୍ନାଙ୍କ ବୁଧବାର ପରଲୋକ ଘଟିଛି । ମୃତ୍ୟୂ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ବିଜେପିର ଜଣେ ଟାଣୁଆ ନେତା ଥିଲେ ମୃଦୁଳା ସିହ୍ନା । ଜନସଂଘରୁ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଥିବା ମୃଦୁଳା ସିହ୍ନା ଗୋଆର ରାଜ୍ୟପାଳ ଭାବେ ଦାୟୀତ୍ୱ ତଲାଇଥିଲେ । ତେବେ ମୃଦୁଳା ସିହ୍ନାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୁଃଖ ପ୍ରକାଶ କରିବା ସହ ମୋଦି ଟ୍ୱିଟ୍ କରି ଲେଖିଛନ୍ତି, “ଲୋକସେବା ପାଖରୁ ନିଜର ପ୍ରୟାସ ପାଇଁ ଶ୍ରୀମତୀ ମୃଦୁଳା ସିହ୍ନା ମନେ ରହିବେ । ସେ ଜଣେ କୁଶଳ ଲେଖିକା ଥିଲେ । ସାହିତ୍ୟ ସହିତ ସଂସ୍କୃତି କ୍ଷେତ୍ରରେ ତାଙ୍କ ଉଲ୍ଲେଖନୀୟ ଅବଦାନ ଥିଲା । ତାଙ୍କର ନିଧନରେ ଦୁଃଖି । ତାଙ୍କ ପରିବାର ଓ ସମର୍ଥକଙ୍କୁ ସମବେଦନା । ଓମ୍ ଶାନ୍ତି ।’ ଏହା ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ବହୁ ବଡ଼ ବଡ଼ ନେତା ଶୋକ ପ୍ରକାଶ କରିଛନ୍ତି । ଅମିତ ଶାହ ଟ୍ୱିଟ୍ କରି ଲେଖିଛନ୍ତି, “ଜୀବନ ଥିବା ପର୍ଯ୍ୟନ୍ତ ସେ ସମାଜ ଓ ସଂଗଠନ ପାଇଁ କାର୍ଯ୍ୟ କରିଥିଲେ । ସେ ଜଣେ ନିପୁଣ ଲେଖିକା ଥିଲେ । ତାଙ୍କର ଲେଖା ପାଇଁ ବି ତାଙ୍କୁ ସର୍ବଦା ମନେ ପକାଯିବ । ତାଙ୍କ ପରିଜନଙ୍କୁ ସମବେଦନା ବ୍ୟକ୍ତ କରୁଛି ।’ ୨୭ ନଭେମ୍ବର ୧୯୪୨ରେ ବିହାରର ମୁଜାଫରନଗର ଛପରା ଗାଁରେ ଜନ୍ମ ଗ୍ରହଣ କରିଥିବା ମୃଦୁଳା ସିହ୍ନା ଗୋଆର ପ୍ରଥମ ମହିଳା ରାଜ୍ୟପାଳ ଥିଲେ । ସାହିତ୍ୟ ଜଗତରେ ମୃଦୁଳା ସିହ୍ନାଙ୍କ ନାଁ ବେଶ ସକ୍ରିୟ ଥିଲା । ଜୀବନ କାଳରେ ୪୬ ବହି ଲେଖିଥିଲେ ମୃଦୁଳା ସିହ୍ନା । ଏହା ସହ ମୃଦୁଳା ସିହ୍ନା ରାଜମାତା ବିଜୟାରାଜେଙ୍କ ଜୀବନୀ ଲେଖି ଚର୍ଚ୍ଚାରେ ମଧ୍ୟ ଥିଲେ ।

Comments (0)
Add Comment