ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ପାର୍ଥିବ ପଟେଲ

ନୂଆଦିଲ୍ଲୀ, ୯ ।୧୨: ଭାରତୀୟ କ୍ରିକେଟର ପାର୍ଥିବ ପଟେଲ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଭାରତ ପାଇଁ ମାତ୍ର ୧୭ ବର୍ଷରେ ପଦାର୍ପଣ କରିଥିବା ପାର୍ଥିବ ୩୫ ବର୍ଷ ବୟସରେ ପେଶାଦାର କ୍ରିକେଟକୁ ଅଲବିଦା ଜଣାଇଛନ୍ତି । ନିଜ ଟ୍ୱିଟର ଜରିଆରେ ନିଜର ଅବସର ସମ୍ପର୍କରେ ପାର୍ଥିବ ଘୋଷଣା କରିଛନ୍ତି । ୨୦୦୨ରେ ଇଂଲଣ୍ଡ ବିରୋଧରେ ମାତ୍ର ୧୭ ବର୍ଷ ୧୫୩ ଦିନରେ ପଦାର୍ପଣ କରି ସର୍ବକନିଷ୍ଠ ୱିକେଟ କିପରର ମାନ୍ୟତା ହାସଲ କରିଥିଲେ ପାର୍ଥିବ । ୩୫ବର୍ଷୀୟ ପାର୍ଥିବ ଏପର୍ଯ୍ୟନ୍ତ ସୁଦ୍ଧା ୨୫ଟି ଟେଷ୍ଟ, ୩୮ଟି ଅନ୍ତର୍ଜାତୀୟ ଦିନିକିଆ ଏବଂ ୨ଟି ଟି-୨୦ ମ୍ୟାଚ ଖେଲିଛନ୍ତି ଘରୋଇ କ୍ରିକେଟର ୧୯୪ ମ୍ୟାଚରେ ସେ ଗୁଜୁରାଟର ପ୍ରତିନିଧିତ୍୍ୱ କରିଥିଲେ । ସେ ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ୨୦୦୨ରେ ଖେଳିଥିଲେ । କିନ୍ତୁ ଦୀନେଶ କାର୍ତ୍ତିକ ଏବଂ ଧୋନି ଯେତେବେଳେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ ସେତେବେଳେ ପାର୍ଥିବ ପଟେଲ ଖୁବ୍ ସଂଘର୍ଷ କରିବାକୁ ପଡ଼ିଥିଲା ଏବଂ ମହେନ୍ଦ୍ର ସିଂ ଧୋନୀଙ୍କ ଉପସ୍ଥିତିରେ ପାର୍ଥିବଙ୍କୁ ଭାରତୀୟ ଦଳରେ ପର୍ଯ୍ୟାପ୍ତ ସୁଯୋଗ ମିଳିନଥିଲା । ସେ ଦୀର୍ଘ ଦିନ ଧରି ଭାରତୀୟ ଦଳରୁ ବାହାରେ ଥିଲେ । ପାର୍ଥିବ ପଟେଲ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ବିଭିନ୍ନ ଦଳ ପାଇଁ ଖେଳିଛନ୍ତି । ସେ ଚଳିତ ବର୍ଷ ଦୁବାଇରେ ଖେଳାଯାଇଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ବିରାଟ କୋହଲିଙ୍କ ନେତୃତ୍ୱରେ ବାଙ୍ଗାଲୋର ଦଳ (ଆରସିବି)ର ଖେଳୁଥିଲେ । କିଛି ବର୍ଷ ଧରି ପାର୍ଥିବ ପଟେଲ କମେଣ୍ଟ୍ରି ମଧ୍ୟ କରିଛନ୍ତି । ତେବେ କ୍ରିକେଟରୁ ଅବସର ନେବା ପରେ ସେ କଣ କରିବେ ସେ ସମ୍ପର୍କରେ ସେ ସୂଚନା ଦେଇନାହାଁନ୍ତି । ସେ ୧୮ ବର୍ଷର ଲମ୍ବା କ୍ୟାରିୟରେ ଶେଷ ଥର ପାଇଁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜର ଅନ୍ତିମ ଆନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ ।

Comments (0)
Add Comment