ସାମ୍ନାକୁ ଆସିଲା ଚୀନର ସାଂଘାତିକ ଚାଲ୍

ସିପିସି ସହ ଲିଙ୍କରେ ଅଛନ୍ତି ବିଭିନ୍ନ ଦେଶର ପ୍ରାୟ ୨୦ଲକ୍ଷ କର୍ମଚାରୀ

ନୂଆଦିଲ୍ଲୀ: ‘ଦ ଅଷ୍ଟ୍ରେଲିଆନ୍’ ଅନ୍ୟ କେତେକ ଅନ୍ତର୍ଜାତୀୟ ଖବରକାଗଜରେ ଚୀନ୍ କମ୍ୟୁନିଷ୍ଟ ପାର୍ଟି (ସିପିସି) କର୍ମୀଙ୍କ କାର୍ଯ୍ୟକଳାପ ସଂପର୍କରେ ବଡ଼ ଧରଣର ଲିକ୍ ହୋଇଥିବା ତଥ୍ୟ ପ୍ରକାଶ ପାଇଛି । ବିଶ୍ୱର ବିଭିନ୍ନ ଦେଶରେ ଏବଂ ବହୁରାଷ୍ଟ୍ରୀୟ କମ୍ପାନି ଓ କାର୍ଯ୍ୟାଳୟରେ କାର୍ଯ୍ୟରତ ପ୍ରାୟ ୨୦ ଲକ୍ଷ କର୍ମଚାରୀଙ୍କର ଚୀନ କମ୍ୟୁନିଷ୍ଟ ପାର୍ଟି ସହିତ ସଂପର୍କ ରହିଛି । ସେମାନେ ଦଳରେ ପଞ୍ଜୀକୃତ ହୋଇଛନ୍ତି । ପ୍ରତିରକ୍ଷାଠାରୁ ଆରମ୍ଭ କରି ବ୍ୟାଙ୍କ ଓ କରୋନା ଟିକା ପ୍ରସ୍ତୁତ କରୁଥିବା ବଡ଼ ବଡ଼ ଔଷଧ କମ୍ପାନିରେ ସିପିସି କର୍ମୀମାନେ କାର୍ଯ୍ୟ କରୁଛନ୍ତି ବୋଲି ଲିକ୍ ହୋଇଥିବା ତଥ୍ୟରେ କୁହାଯାଇଛି । ସିପିସିର ସଦସ୍ୟ ବୋଲି କୁହାଯାଇଥିବା ବ୍ୟକ୍ତିମାନେ ବୋଇଂ, ଫକ୍ସୱାଗନ, ଫାଇଜର, ଆଷ୍ଟ୍ରାଜେନେକା ସହିତ ଏଏନ୍ଜେଡ ଓ ଏଚଏସବିସି ଭଳି ଆର୍ଥିକ ସଂସ୍ଥାରେ ମଧ୍ୟ କାର୍ଯ୍ୟ କରୁଛନ୍ତି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ତଥ୍ୟ ପ୍ରଘଟ କରିଥିବା ବ୍ୟକ୍ତି ବା ହ୍ୱିସଲବ୍ଲୋୟରମାନେ ସାଂଘାଇସ୍ଥିତ ଏକ ସର୍ଭରରୁ ୨୦୧୬ ଏପ୍ରିଲରେ ଏହାକୁ ହାସଲ କରିଛନ୍ତି । ଦ ଅଷ୍ଟ୍ରେଲିଆନ୍ ପକ୍ଷରୁ ମଧ୍ୟ ଏହି ତଥ୍ୟର ସତ୍ୟାସତ୍ୟ ଉପରେ ଅନୁସନ୍ଧାନ କରାଯାଇଛି । ଏଥିରୁ ଜଣାଯାଇଛି ଚୀନର ସାଂଘାଇଠାରେ ଅତିକମ୍ରେ ୧୦ଟି ଦେଶର ଦୂତାବାସରେ ସିପିସିର ବରିଷ୍ଠ ସଦସ୍ୟମାନେ ରାଜନୈତିକ ଏବଂ ସରକାରୀ ବ୍ୟାପାର ବିଶେଷଜ୍ଞ, କିରାଣି, ଅର୍ଥନୈତିକ ଉପଦେଷ୍ଟା, କାର୍ଯ୍ୟନିର୍ବାହୀ ସହାୟକ ଭାବେ କାର୍ଯ୍ୟ କରୁଛନ୍ତି । କେବଳ ସେତିକି ନୁହେଁ ବିଭିନ୍ନ କମ୍ପାନି, ବିଶ୍ୱବିଦ୍ୟାଳୟ ଏବଂ ସରକାରୀ ଏଜେନ୍ସିରେ ସିପିସିର ୭୯ ହଜାର ଶାଖା କାର୍ଯ୍ୟ କରୁଛି । ଲିକ୍ ହୋଇ ଗଣମାଧ୍ୟରେ ପ୍ରକାଶ ପାଇଥିବା ଏହି ରିପୋର୍ଟରେ ଦାବି କରାଯାଇଛି ଯେ, ଅଷ୍ଟ୍ରେଲିଆ, ବ୍ରିଟିସ୍ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ ସାଂଘାଇଠାରେ ଥିବା ଦୂତାବାସ ଗୁଡ଼ିକରେ ସିପିସିର ସଦସ୍ୟମାନେ କାର୍ଯ୍ୟରତ ଅଛନ୍ତି । ଚୀନର ଏକ ଏଜେନ୍ସି ମାଧ୍ୟମରେ ଏସବୁ ଦୂତାବାସର ବିଦେଶ ଓ ବାଣିଜ୍ୟ ବ୍ୟାପ।।ର ବିଭାଗରେ ଏମାନେ କାର୍ଯ୍ୟ କରୁଛନ୍ତି । ଚୀନର ଏହି କାରନାମା ସଂପର୍କରେ ପ୍ରଥମ ଥର ପାଇଁ ତଥ୍ୟ ପ୍ରଘଟ ହୋଇଛି ବୋଲି ଉକ୍ତ ଖବରକାଗଜର ସାମ୍ବାଦିକ ଏବଂ ସ୍କାଏ ନ୍ୟୁଜ୍ର ଉପସ୍ଥାପିକା ଶାରୀ ମାକ୍ସସନ ସୋମବାର ଦାବି କରିଛନ୍ତି । ଚୀନର ରାଷ୍ଟ୍ରପତି ଓ ଦଳର ସଭାପତି ସି ଜିନପିଙ୍ଗ୍ଙ୍କ ଅଧୀନରେ ଦଳ କିଭଳି କାର୍ଯ୍ୟ କରୁଛି ତାହା ସମସ୍ତଙ୍କୁ ଚକିତ କରିଛି ବୋଲି ମାର୍କସନ କହିଛନ୍ତି । ବୌଦ୍ଧିକ ସଂପତ୍ତି ଚୋରି ଏବଂ ଅର୍ଥନୈତିକ ଗୁଇନ୍ଦାରୁ ସୁରକ୍ଷା ପାଇବା ପାଇଁ ଯେଉଁ କମ୍ପାନି ଓ ସଂସ୍ଥା କୌଣସି ବ୍ୟବସ୍ଥା କରିନାହାନ୍ତି ଏହା ସେମାନଙ୍କ ପାଇଁ ବଡ଼ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି । ପାଶ୍ଚାତ୍ୟ ଦେଶର କମ୍ପାନି ଗୁଡ଼ିକରେ ସିପିସିର ଶାଖା ଖୋଲାଯାଇଛି । ଏହି ଶାଖାର ସଦସ୍ୟମାନେ ଚୀନ ରାଷ୍ଟ୍ରପତି ତଥା ଦଳର ସଭାପତି ଜିନପିଙ୍ଗ୍ଙ୍କ ନିକଟରେ ସିଧାସଳଖ ଉତ୍ତରଦାୟୀ ରହିଥାନ୍ତି । ତେଣୁ ଆବଶ୍ୟକ ପଡ଼ିଲେ ଚୀନ ରାଷ୍ଟ୍ରପତି ମଧ୍ୟ ଏହି କର୍ମଚାରୀଙ୍କଠାରୁ ପାଶ୍ଚାତ୍ୟ କମ୍ପାନି ଗୁଡ଼ିକ ସଂପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିପାରନ୍ତି । ଯଦିଓ ବିଭିନ୍ନ ବିଦେଶୀ କମ୍ପାନି, ବିଶ୍ୱବିଦ୍ୟାଳୟ ଓ କାର୍ଯ୍ୟାଳୟରେ ନିଯୁକ୍ତ ଚୀନ୍ କମ୍ୟୁନିଷ୍ଟ ପାର୍ଟିର ସଦସ୍ୟ ଥିବା କର୍ମଚାରୀମାନେ ଗୁଇନ୍ଦାଗିରି କରୁଛନ୍ତି ବୋଲି ସମ୍ପୂର୍ଣ୍ଣ ଭାବେ କୁହାଯାଇ ପାରିବ ନାହିଁ ତେବେ ଚିନ୍ତାର ବିଷୟ ହେଲା ଯେ ଏହି କର୍ମଚାରୀମାନେ ସିପିସିର ସଦସ୍ୟ ବୋଲି ବିଦେଶୀ କମ୍ପାନି ଗୁଡ଼ିକ ଜାଣିଛନ୍ତି ତ? ଯଦି ଜାଣିଛନ୍ତି, ତା’ହେଲେ ସେମାନଙ୍କ ନିଜ ଦେଶର ଲୋକ ଓ କମ୍ପାନିର ତଥ୍ୟକୁ ସୁରକ୍ଷା ଦେବା ପାଇଁ କିଛି ପଦକ୍ଷେପ ନେଇଛନ୍ତି ତ? ୫ଜି ନେଟୱାର୍କ ସେବାରୁ ଚୀନ କମ୍ପାନି ହୁୱେଇକୁ ବିଶ୍ୱର ପ୍ରଥମ ଦେଶଭାବେ ବାଦ୍ ଦେବା ପରେ ଦୁଇ ଦେଶ ମଧ୍ୟରେ ପ୍ରଥମେ ୨୦୧୮ ମସିହାରେ ସଂପର୍କ ତିକ୍ତ ହେବା ଆରମ୍ଭ ହୋଇଥିଲା । ଏହାପରେ କରୋନା ଭୂତାଣୁର ଉତ୍ପତ୍ତି ସ୍ଥଳ ସଂପର୍କରେ ତଦନ୍ତ ପାଇଁ କାନବେରା ଦାବି କରିବା ପରେ ସଂପର୍କ ଆହୁରି ବିଗିଡ଼ି ଥିଲା । ଅନ୍ୟପକ୍ଷରେ ହଂକଂ, ଜିନପିଙ୍ଗ, ତାଇୱାନ ଓ ଦକ୍ଷିଣ ଚୀନ ସାଗର ପ୍ରସଙ୍ଗକୁ ନେଇ ଅଷ୍ଟ୍ରେଲିଆ ସମାଲୋଚନା କରିବା ପରେ ବେଜିଂ ଏହି ଦେଶ ଉପରେ ଖପ୍ପା ହୋଇଛି ।

Comments (0)
Add Comment