ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍‌ ଏସ୍‌. ମୁରଲୀଧର !

କଟକ,୧୭/୧୨: ପଞ୍ଜାବ-ହରିୟାଣା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍‌ ଏସ୍‌. ମୁରଲୀଧରଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି। ଏ ନେଇ ସୁପ୍ରିମ୍‌କୋର୍ଟ କଲେଜିୟମ୍‌ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଜଷ୍ଟିସ୍‌ ମୁରଲୀଧର ପ୍ରଥମେ ଦିଲ୍ଲୀ ହାଇକୋର୍ଟର ବିଚାରପତି ଭାବେ ୨୦୦୬ ମସିହା ମେ’ରେ ନିଯୁକ୍ତି ପାଇଥିଲେ । । ସେ ଗତ ମାର୍ଚ୍ଚ ୨୦ରେ ପଞ୍ଜାବ-ହରିୟାଣା ହାଇକୋର୍ଟକୁ ବଦଳି ହୋଇଥିଲେ । ଚେନ୍ନାଇର ବିବେକାନନ୍ଦ କଲେଜରୁ ସେ ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ପରେ ମାଡ୍ରାସ ବିଶ୍ୱବିଦ୍ୟାଳୟରୁ ଏଲ୍‌ଏଲ୍‌ବି ପାସ୍‌ କରିଥିଲେ । ନାଗପୁର ବଶ୍ୱବିଦ୍ୟାଳୟରୁ ସେ ଏଲ୍‌ଏଲ୍‌ଏମ୍‌ ପାସ୍‌ କରି ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ପିଏଚ୍‌ଡି କରିଥିଲେ । ପ୍ରଥମେ ସେ ଚେନ୍ନାଇରେ ଆଇନ ବ୍ୟବସାୟ କରିଥିଲେ। ପରେ ସେ ଦିଲ୍ଲୀକୁ ଆସି ସୁପ୍ରିମ୍‌କୋର୍ଟ ଏବଂ ଦିଲ୍ଲୀ ହାଇକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟାରମ୍ଭ କରିଥିଲେ। ତତ୍କାଳୀନ ଅତିରିକ୍ତ ସଲିସିଟର ଜେନେରାଲ ଜି. ରାମସ୍ୱାମୀଙ୍କ ପାଖରେ ସେ କିଛି ବର୍ଷ ପ୍ରାକ୍ଟିସ୍‌ କରିଥିବା ବେଳେ ସୁପ୍ରିମ୍‌କୋର୍ଟର ବହୁ ଜନସ୍ୱାର୍ଥ ମାମଲାରେ ସେ ଆମିକସ୍‌କ୍ୟୁରୀ ଭାବେ ନିଯୁକ୍ତି ପାଇଥିଲେ। ଜାତୀୟ ମାନବାଧିକାର କମିସନ ଏବଂ ଭାରତୀୟ ନିର୍ବାଚନ କମିସନ୍‌ର ମଧ୍ୟ ସେ କାଉନସେଲ୍‌ ରହିଥିଲେ। ଜଷ୍ଟିସ୍‌ ମୁରଲୀଧରଙ୍କ ନିଯୁକ୍ତି ସଂପର୍କରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇନଥିବା କୁହାଯାଉଛି।

Comments (0)
Add Comment