ରଜନୀକାନ୍ତ ହସ୍ପିଟାଲରେ ଭର୍ତ୍ତି

ଚେନ୍ନାଇ, ୨୫ ।୧୨: ତାମିଲ ସୁପରଷ୍ଟାର ରଜନୀକାନ୍ତ ହଠାତ୍ ଅସୁସ୍ଥ ହୋଇପଡ଼ିଛନ୍ତି । ତାଙ୍କ ରକ୍ତଚାପ ସାଂଘତିକ ଭାବେ ବଢ଼ିବା ଓ କମିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ହାଇଦ୍ରାବାଦରେ ଥିବା ଆପୋଲୋ ହସ୍ପିଟାଲର ସ୍ୱତନ୍ତ୍ର ଟିମ୍ ତାଙ୍କର ଚିକିତ୍ସା କରୁଛନ୍ତି । ରିପୋର୍ଟ ଲେଖା ହେବା ବେଳକୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ବିସ୍ତୃତ ସୂଚନା ମିଳିନାହିଁ । ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଯାଞ୍ଚ କରୁଛନ୍ତି । ତାଙ୍କ ରକ୍ତଚାପ ସ୍ଥିର ହେବା ପରେ ହିଁ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବ । ତାଙ୍କ ଶରୀରରେ ଆଉ କୌଣସି ଲକ୍ଷଣ ନାହିଁ । ହାଇଦ୍ରାବାଦରେ ରଜନୀକାନ୍ତ ତାଙ୍କ ଆଗାମୀ ଫିଲ୍ମର ଶୁଟିଂ କରୁଥିଲେ । ଏହି ସମୟରେ ସେଟ୍ରେ ଥିବା ୮ ଜଣ କ୍ରୁ ସଦସ୍ୟ ଡିସେମ୍ବର ୨୩ରେ କରୋନାରେ ଆକ୍ରାନ୍ତ ହୋଇଥିଲେ । ଘଟଣା ପରେ ରଜନୀକାନ୍ତ ନିଜକୁ କ୍ୱାରେଣ୍ଟାଇନରେ ରଖିଥିଲେ । ଏପରି କି ତାଙ୍କର କରୋନା ଟେଷ୍ଟ ମଧ୍ୟ କରାଯାଇଥିଲା । କିନ୍ତୁ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା । ହେଲେ ଆଜି ହଠାତ୍ ତାଙ୍କ ରକ୍ତଚାପରେ ଅସ୍ଥିରତା ଦେଖାଦେଇଛି ।

Comments (0)
Add Comment